ନୂଆଦିଲ୍ଲୀ: ମୁଁ ବହୁତ୍ ଛୋଟ ଲୋକ । ଏହି ଲୋକମାନେ ବହୁତ ଶକ୍ତିଶାଳୀ ଅଟନ୍ତି । ମୋର ଦୋଷ ହେଉଛି ଯେ, ମୁଁ ଦିଲ୍ଲୀର ବିଦ୍ୟାଳୟଗୁଡ଼ିକୁ ଭଲ କରିଥିଲି । ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଥିଲି, କିନ୍ତୁ ଯେତେବେଳେ ମୁଁ ତିହାରକୁ ଗଲି, ମୋର ଔଷଧ ୧୫ ଦିନ ପାଇଁ ବନ୍ଦ କରିଦିଆଗଲା । ମୋର ଇନସୁଲିନ୍ ବନ୍ଦ କରିଦେଲେ । ଜେଲ୍ ରୁ ବାହାରିବା ପରେ ଆଜି ଏପରି କହି ବିଜେପି ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ସେ ଆହୁରି କହିଛନ୍ତି, ଏହି ଲୋକମାନେ ଦିଲ୍ଲୀ ସରକାରଙ୍କୁ ଅଟକାଇବାକୁ ଚାହୁଁଛନ୍ତି । ଏହି ଲୋକମାନେ ମନୀଷ ସିସୋଦିଆଙ୍କୁ ଜେଲକୁ ପଠାଇଥିଲେ । ଯେଉଁଠି ତାଙ୍କୁ ଦେଶର ଶିକ୍ଷା ମନ୍ତ୍ରୀ କରାଯିବା ଉଚିତ୍ ।
ଜେଲରୁ ମୁକୁଳିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଥମ ଥର ପାଇଁ ଜନସାଧାରଣଙ୍କ ନିକଟରେ ପହଞ୍ଚିଥିଲେ । ସେ ଦିଲ୍ଲୀର ମେହେରୁଲିରେ ଏକ ରୋଡ୍ ସୋ ଆୟୋଜନ କରି ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । କେଜ୍ରିୱାଲ ରୋଡ୍ ସୋରେ ଉପସ୍ଥିତ ଥିବା ଲୋକଙ୍କୁ କହିଥିଲେ ଯେ, ‘ମୋତୋ ସମର୍ଥନ ଦରକାର । ଦେଶରେ ଏକଛତ୍ରବାଦୀ ଶାସନ ଚାଲିଛି । ଆମକୁ ଏହି ଏକଛତ୍ରବାଦୀ ଶାସନ ବିରୋଧରେ ଲଢିବାକୁ ପଡିବ । ଅନେକ ମହାନ ଏକଛତ୍ରବାଦୀ ଶାସକ ଆସି ଏହି ଦେଶରୁ ଯାଇଛନ୍ତି । ଆମକୁ ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ପଡିବ’ ।
ଏହି ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରୁନାହିଁ । ଅନେକ ରାଜ୍ୟରେ ସେମାନଙ୍କର ଆସନ ହ୍ରାସ ପାଉଛି । ପଞ୍ଜାବରେ ସେମାନଙ୍କର ବିଲୋପ ସୁନିଶ୍ଚିତ । ଜୁନ୍ ୪ ରେ ଇଣ୍ଡିଆ ମେଣ୍ଟ ଗଠନ ହେବ । ଆମେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟରେ ପରିଣତ ନିଶ୍ଚୟ କରିବୁ, କେବଳ ଦିଲ୍ଲୀର ସମସ୍ତ ସାତୋଟି ଆସନକୁ ଇଣ୍ଡିଆ ମିଳିତ ମଞ୍ଚକୁ ଦେବୁ ବୋଲି କହିଥିଲେ କେଜ୍ରିଓ୍ବାଲ୍ ।
ସେ ଆହୁରି କହିଛନ୍ତି ଯେ, ‘ଯେଉଁମାନେ ଜେଲରେ ମୋତେ ଭେଟିବାକୁ ଆସୁଥିଲେ ସେମାନେ ମୋ ସ୍ବାସ୍ଥ୍ୟ ବିଷୟରେ ପଚାରିଥିଲେ । ହେଲେ ମୁଁ ସେମାନଙ୍କୁ କହୁଥିଲି, ମୋର ସ୍ୱାସ୍ଥ୍ୟ ବିଷୟରେ ଭୁଲିଯାଅ, ମୋ ଦିଲ୍ଲୀର ସ୍ୱାସ୍ଥ୍ୟ କିପରି ଅଛି କୁହ । ମୁଁ ପଚାରିଥିଲି ଦିଲ୍ଲୀର ଲୋକଙ୍କର କିଛି ଅସୁବିଧା ଅଛି କି? ଲୋକମାନେ ମାଗଣା ବିଦ୍ୟୁତ ପାଇଛନ୍ତି ତ ? ମହିଳାମାନେ ବସ୍ ରେ ମାଗଣା ଯାତ୍ରା କରିବାର ଲାଭ ପାଇଛନ୍ତି କି ନାହିଁ? ବୋଲି ପଚାରି ବୁଝିଥିଲି’ ।
Comments are closed.