Latest Odisha News

BREAKING NEWS

ଚଳଚଞ୍ଚଳ ରାମଲୀଳା ମଇଦାନ: ତୃତୀୟ ଥର ଲାଗି ଶପଥ ନେବେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଦିନ ଠିକ୍ ୧୨ଟା ୧୫ ମିନିଟ ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ ୩ୟ ଥର ଲାଗି ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଦିନ ପ୍ରାୟ ୧୦ଟା ସମୟରେ ଏହି ଶପଥଗ୍ରହଣ ଉତ୍ସବ ଆରମ୍ଭ ହେବ ।

ଏହି ଶପଥ ଗ୍ରହଣ ଉତ୍ସବ ଦିଲ୍ଲୀର ଯେଉଁ ରାମଲୀଳା ମଇଦାନରେ ଅନୁଷ୍ଠିତ ହେଉଛି ଏଠାରେ ୧.୨୫ ଲକ୍ଷ ଲୋକ ଉପସ୍ଥିତ ରହିବାର କ୍ଷମତା ରହିଛି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୧ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ଅନୁମାନ କରାଯାଉଛି ।

ଆପ୍ ପକ୍ଷରୁ ଏହି ଶପଥଗ୍ରହଣ ଉତ୍ସବର ନାମ ରଖାଯାଇଛି ‘ଥ୍ୟାଙ୍କ ୟୁ ଦିଲ୍ଲୀ’ ବା ‘ଧନ୍ୟବାଦ ଦିଲ୍ଲୀ’ । ଏହି ଉତ୍ସବରେ ଆପର ରାଜନୈତିକ କର୍ମୀଙ୍କ ବ୍ୟତୀତ ୫୦ ଜଣ ସ୍କୁଲ ଶିକ୍ଷକ, ଡାକ୍ତର, ପରୀକ୍ଷା ଟପ୍ପର, ଅଟୋ ଚାଳକ, ସଫାଇ କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ଏହି ଉତ୍ସବକୁ ନିମନ୍ତ୍ରିତ କରାଯାଇଛି ।

ଇତିମଧ୍ୟରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏକ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ଦିଲ୍ଲୀ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଉଥିବା କିଛି ବିଧାୟକଙ୍କ ନାମ ଘୋଷଣା କରିଛନ୍ତି । ସେହି ଆପ ବିଧାୟକମାନେ ହେଲେ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଲ୍ ରାୟ, କୈଳାଶ ଗେଲହଟ, ଇମ୍ରାନ ହୁସେନ ଏବଂ ରାଜେନ୍ଦ୍ର ଗୌତମ ।

ଏହି ନୂଆ ମନ୍ତ୍ରୀମଣ୍ଡଳରେ ଏଥର ନୂଆ ମୁହଁ ଭାବେ ଅତିସୀ ଏବଂ ରାଘବ ଚଢା ମନ୍ତ୍ରୀଭାବେ ସ୍ଥାନ ପାଇପାରନ୍ତି ବୋଲି ଏନଡ଼ିଟିଭିରେ ଏକ ଖବର ପ୍ରକାଶ ପାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ସମୁଦାୟ ୭୦ଟି ଆସନ ମଧ୍ୟରୁ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ୬୨ଟି ଏବଂ ବିଜେପି ୮ଟି ଆସନ ଅକ୍ତିଆର କରିଛନ୍ତି । ଗତ ନିର୍ବାଚନ ପରି କଂଗ୍ରେସକୁ ଏଥର ମଧ୍ୟ ଗୋଟିଏ ବି ହେଲେ ଆସନ ମିଳିପାରିନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ଯୋଗୁଁ ନିଜର ଲୋକସଭା ନିର୍ବାଚନ ମଣ୍ଡଳୀ ବାରଣାସୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇ ନପାରନ୍ତି । ଗତକାଲି ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଏହି ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ ।

ବ୍ୟୁରୋକ୍ରାଟରୁ ରାଜନେତା ପାଲଟିଥିବା ୫୧ ବର୍ଷ ବୟସ୍କ କେଜ୍ରିୱାଲ୍ ସମାଜସେବୀ ଆନ୍ନା ହଜାରେଙ୍କ ସହିତ ଏହି ରାମଲୀଳା ମଇଦାନରେ ଆନ୍ଦୋଳନ ଆରମ୍ଭ କରିଥିଲେ ।

Leave A Reply

Your email address will not be published.