Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କେଜ୍ରିୱାଲଙ୍କ ବିବାଦୀୟ ବୟାନ: “ସିଜେପି ବିକ୍ଷୋଭରେ ଲୋକେ ମୋଦୀଙ୍କୁ ପିଟିବାକୁ ଆସିଥିଲେ”

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଉଠିଛି। ଏକ ଭିଡିଓରେ କେଜ୍ରିୱାଲ କହୁଥିବାର ଶୁଣାଯାଉଛି ଯେ, “ସିଜେପି ବିରୋଧ ପ୍ରଦର୍ଶନରେ ଲୋକେ ମୋଦୀଙ୍କୁ ପିଟିବାକୁ ବା ଠୋକିବାକୁ ଆସିଥିଲେ।” ଏହି ବୟାନ ଭାଇରାଲ ହେବା ପରେ ବିଜେପି କେଜ୍ରିୱାଲଙ୍କ ଉପରେ ବର୍ଷିଛି ଓ ଏହାକୁ ତାଙ୍କର “ଘୃଣ୍ୟ ମାନସିକତା” ବୋଲି ଆଖ୍ୟା ଦେଇଛି।

ବିଜେପି ନେତା ତଥା ଦିଲ୍ଲୀର ମନ୍ତ୍ରୀ କପିଲ ମିଶ୍ରା ଏହି ଘଟଣାରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଲଗାତାର ତିନିଥର ନିର୍ବାଚିତ ଦେଶର ଜଣେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କେଜ୍ରିୱାଲ ଯେଉଁ ‘ମାଓବାଦୀ’ ଭାଷା ବ୍ୟବହାର କରିଛନ୍ତି, ତାହା ତାଙ୍କର ନୈତିକ ତଥା ଭାଷାଗତ ଦେବାଳିଆପଣର ପ୍ରତୀକ । କପିଲ ମିଶ୍ରା ଆହୁରି ମଧ୍ୟ କହିଛନ୍ତି, “ଦିଲ୍ଲୀର ଜନତା ଯାହାଙ୍କୁ ପଞ୍ଜାବ ପଠାଇଦେଲେ ଏବଂ ଏବେ ପଞ୍ଜାବବାସୀ ମଧ୍ୟ ଯାହାଙ୍କୁ ଦୂରେଇ ଦେବାକୁ ଯାଉଛନ୍ତି, ସେହି ବ୍ୟକ୍ତି ନିଜ ହତାଶା ଯୋଗୁଁ ଏଭଳି କଥା କହୁଛନ୍ତି।”

ସେହିପରି ଦିଲ୍ଲୀ ବିଜେପିର ପୂର୍ବତନ ସଭାପତି ବୀରେନ୍ଦ୍ର ସଚଦେବା ଏହି ଟିପ୍ପଣୀକୁ ନିନ୍ଦା କରି କହିଛନ୍ତି ଯେ, ଏକ ସଭ୍ୟ ସମାଜରେ ଏଭଳି ଶବ୍ଦ ଗ୍ରହଣଯୋଗ୍ୟ ନୁହେଁ। ଦୁର୍ନୀତିରେ ବୁଡ଼ି ରହିଥିବା ଜଣେ ବ୍ୟକ୍ତିଙ୍କଠାରୁ ଏହାଠାରୁ ବଳି ଭଲ କ’ଣ ବା ଆଶା କରାଯାଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଦିଲ୍ଲୀ ବିଜେପି ପକ୍ଷରୁ ସୋସିଆଲ୍ ମିଡିଆ ଏକ୍ସ (X) ରେ ଏକ ପୋଷ୍ଟ କରାଯାଇ ଅଭିଯୋଗ ହୋଇଛି ଯେ, କେଜ୍ରିୱାଲ ନିଜେ ସ୍ୱୀକାର କରିଛନ୍ତି ଯେ ସିଜେପି ଆନ୍ଦୋଳନ ପଛରେ କି ଉଦ୍ଦେଶ୍ୟ ଥିଲା ଏବଂ ପ୍ରଦର୍ଶନକାରୀମାନେ ମୋଦୀଙ୍କୁ ଟାର୍ଗେଟ କରିବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ବର୍ତ୍ତମାନ ଏହି ଘଟଣାକୁ ନେଇ ଆପ୍ ଏବଂ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହେବାରେ ଲାଗିଛି।

Leave A Reply

Your email address will not be published.