ସୁନ୍ଦରଗଡ଼: ବେଆଇନ୍ କୋଇଲା ଗଚ୍ଛିତ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବୁଧବାର ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଜିଲ୍ଲାର ହେମଗିରି ତହସିଲ ଅଧୀନ କନିକା ନିକଟସ୍ଥ ଆର୍ୟନ କୋଲ୍ ୱାସେରିକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଏହି ଠାରେ ହଜାର ହଜାର ଟନ୍ ବେଆଇନ କୋଇଲା କାରବାର ନେଇ ଅଭିଯୋଗ ହେବା ପରେ ଖଣି ବିଭାଗ, ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପକ୍ଷରୁ ମିଳିତ ଚଢ଼ାଉ ପରେ ସିଲ୍ କରାଯାଇଛି ।
ସିଲ୍ ସମୟରେ ଉପଜିଲ୍ଲାପାଳ ଦାଶରଥି ସରାବୁ, ସ୍ଥାନୀୟ ଏସ୍ଡିପିଓ ନିର୍ମଳ ମହାପାତ୍ର, ତହସିଲଦାର ସାରିକାରାଣୀ ଧମେଲ, ଖଣି ବିଭାଗର କର୍ମଚାରୀ ଓ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ଏଥି ସହିତ ବେଆଇନ କୋଇଲା ଗଚ୍ଛିତ ରଖିଥିବା ଘଟଣାରେ ଜିଲ୍ଲା ପ୍ରଶାସନ ଆର୍ୟନ କୋଲ୍ ୱାସେରିର ଲାଇସେନ୍ସକୁ ରଦ୍ଦ କରିଦେଇଛି । ଗତକାଲି ୧୦ ହଜାର ଟନ୍ ବେଆଇନ୍ କୋଇଲା ଠାବ ହୋଇଥିଲା ।
ସୂଚନାଯୋଗ୍ୟ, ଜିଲ୍ଲା ଏମ୍ସିଏଲ୍ କ୍ଷେତ୍ର ଅଧୀନ ଗୋପାଳପୁର ଅଞ୍ଚଳରେ ବେଆଇନ ଖଣିରୁ କୋଇଲା ଚୋରି ଖବର ସାମ୍ନାକୁ ଆସିବା ପରେ ଖଣି ବିଭାଗ, ରାଜସ୍ବ, ବନ ବିଭାଗ ଓ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ତନାଘନା । ଏହା ପରେ ଖଣି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରୁ ଖଣି, ଭୂତତ୍ତ୍ବ ବିଭାଗର ୯ ଜଣିଆ ଟିମ୍ ଆସି ଦୁଇ ଦିନ ଯାଞ୍ଚ କରି ଫେରି ଯାଇଥିଲେ । ତେବେ ଚଢ଼ାଉ ଓ ଯାଞ୍ଚ ବନ୍ଦ ହେବା ପରେ ଏକ ବଡ଼ଧରଣର କୋଇଲା ଲୁଟ୍ ଘଟଣା ସାମନାକୁ ଆସିଥିଲା ।
Comments are closed.