Latest Odisha News

ପ୍ରଶଂସା ହେଉ କି ନିନ୍ଦା, ଏବେ ଚର୍ଚ୍ଚାରେ ଫାଇଭ ଟି

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ବହୁ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଆହୁରି ଏକ ପ୍ରସଙ୍ଗ ଚର୍ଚ୍ଚାକୁ ବହୁଗୁଣିତ କରିଛି। ତାହା ହେଉଛି ଫାଇଭ ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସହ ଉନ୍ନୟନ କାର୍ଯ୍ୟଗୁଡିକର ସମୀକ୍ଷା। ପୂର୍ବରୁ ରାଜ୍ୟର ଫାଇଭ ଟି ସଚିବ ବିଭିନ୍ନ ପ୍ରମୁଖ ଧର୍ମାନୁଷ୍ଠାନ ବୁଲି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଥିବାବେଳେ ଏବେ ବିଭିନ୍ନ ସ୍କୁଲ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ମେଡିକାଲ ସହ ବିଭିନ୍ନ ସ୍ଥାନ ବୁଲିବା ସହ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି।

କିଛି ଦିନ ତଳେ ଫାଇଭ ଟି ସଚିବ କୋରାପୁଟର ନାରାୟଣପାଟଣା ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ସେଠାରେ ଥିବା ଜଗନ୍ନାଥ ମନ୍ଦିର ବୁଲିବା ସହ ଝଞ୍ଜାବତୀ ଡ୍ୟାମ ସାଇଟକୁ ମଧ୍ୟ ଯାଇ ସ୍ଥିତିର ସମୀକ୍ଷା କରିଥିଲେ। ସେଠାକାର ଦେଓମାଳି ପର୍ବତ ବୁଲିବା ସହ କିଛି ଏସଏଚଜି ମହିଳାଙ୍କୁ ଭେଟି ଆଲୋଚନା କରିଥିଲେ। ସେହିପରି ପୂର୍ବରୁ କଟକ, ପୁରୀ ସହ ଭଦ୍ରକ, ମୟୁରଭଞ୍ଜ ଆଦି ଅନେକ ଜିଲ୍ଲା ଗସ୍ତ କରି ବହୁ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏପରିକି ଫାଇଭ ଟି ସଚିବଙ୍କ ସୁନ୍ଦରଗଡ଼ ଗସ୍ତ ଏବେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ସୁନ୍ଦରଗଡ଼ ଜିଲ୍ଲାକୁ ବହୁ କୋଟି ଟଙ୍କାର ଭେଟି ଦିଆଯିବା ପରେ ଫାଇଭ ଟି ସଚିବଙ୍କ ଜିଲ୍ଲା ଗସ୍ତ ଓ ବିଭିନ୍ନ କାର୍ଯ୍ୟର ସମୀକ୍ଷା ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ବିଶେଷ କରି ଫାଇଭ ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ପାଖେ ପାଖେ ରହୁଥିବା ଦେଖାଯାଇଛି। ବିଭିନ୍ନ କାର୍ଯ୍ୟର ଘୋଷଣା ହେଉ କିମ୍ବା ଉଦଘାଟନ, ଅନଲାଇନରେ ହେଉ କିମ୍ବା ଅଫଲାଇନରେ ସବୁଠି ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ ଟି ସଚିବଙ୍କୁ ଦେଖିବାକୁ ମିଳୁଛି।

ଆଗକୁ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ଓ ଫାଇଭ ଟି ସଚିବଙ୍କ ଘନ ଘନ ଜିଲ୍ଲା ଗସ୍ତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସେପଟେ ବିରୋଧୀ ମାନେ ମଧ୍ୟ ଫାଇଭ ଟି ବ୍ୟବସ୍ଥାକୁ ଟାର୍ଗେଟ କରୁଛନ୍ତି। ସମାଲୋଚନା ମଧ୍ୟ କରୁଛନ୍ତି। ପୂର୍ବରୁ ଫାଇଭ ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ସହ ଏମିତି ଖୋଲାଖୋଲି ବାହାରକୁ ଆସିବା କିମ୍ବା କାର୍ଯ୍ୟକ୍ରମରେ ଯୋଗ ଦେବା ଦେଖାଯାଉ ନ ଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କ ସହ ଏବଂ ନିଜେ ବିଭିନ୍ନ ଜିଲ୍ଲା ଗସ୍ତ କରିବା ବହୁ ବିଭାଗର କାର୍ଯ୍ୟ ସମୀକ୍ଷା କରିବା ଓ କାମ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେବା ଦେଖାଯାଉଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଆଗକୁ ନିର୍ବାଚନ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଓ ଫାଇଭ ଟି ସଚିବଙ୍କ ଘନ ଘନ ଗସ୍ତକୁ ନେଇ ଆଲୋଚନା ଜୋର ଧରିଛି।କିନ୍ତୁ ଏହାକୁ ଭ୍ରୁକ୍ଷେପ ନ କରି ଫାଇଭ ଟି ମାଧ୍ୟମରେ ସଂସ୍କାର ଆଣିବାକୁ ଉଦ୍ୟମ ହେଉଥିବା କୁହାଯାଉଛି। ନିର୍ବାଚନ ପାଇଁ ଶାସକ ଦଳର ଏହା କିଛି ଗୋଟେ ସ୍ୱତନ୍ତ୍ର ରଣନୀତି କି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.