Latest Odisha News

BREAKING NEWS

ଦିନେ ଦୁଇଦିନରେ ପିସିସିର ନୂଆ କମିଟି !

ଭୁବନେଶ୍ୱର: ଘୋଷଣା ହେବ ଶରତଙ୍କ ନୂଆ ଟିମ। ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟ ପ୍ରଦେଶ କଂଗ୍ରେସର ନୂଆ କମିଟି ଘୋଷଣା ହୋଇପାରେ। ପିସିସି ସଭାପତି ଦିଲ୍ଲୀ ଗସ୍ତ କରିବା ପରେ ଏ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଦାଇତ୍ୱ ନେବାର ବହୁ ମାସ ବିତିଯାଇଥିଲେ ମଧ୍ୟ ଏ ଯାଏ ପିସିସି କମିଟି ଗଠନ ହୋଇ ନ ଥିବାରୁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପୁଥିଲା। ଏବେ କିନ୍ତୁ ଏହି ଅପେକ୍ଷର ଅବସାନ ହେବାକୁ ଯାଉଛି।

ପିସିସିର ନୂଆ କମିଟିରେ ମୋଟ 165 ରୁ 175 ଜଣ ସଦସ୍ୟ ରହିବେ ବୋଲି କୁହାଯାଉଛି। ସେଥିରୁ ୧୦ ଜଣରୁ ଅଧିକ ଉପସଭାପତି, ୧୫ ରୁ ଅଧିକ ସାଧାରଣ ସମ୍ପାଦକ, ୮୦ ରୁ ଅଧିକ ସମ୍ପାଦକ ଓ ୨୫ ଜଣ ମୁଖପାତ୍ର ସ୍ଥାନ ପାଇବା କୁହାଯାଉଛି। ପିସିସି ପକ୍ଷରୁ କମିଟି ପାଇଁ ନାଁ ପ୍ରସ୍ତାବ ଦିଆଯାଇଥିବା ବେଳେ ଦିନେ ଦୁଇଦିନି ମଧ୍ୟରେ ଏହା ଉପରେ ଏଆଇସିସିର ମୋହର ବାଜିବ ବୋଲି କୁହାଯାଉଛି।

ଶରତ ପଟ୍ଟନାୟକ ପିସିସି ସଭାପତି ଦାଇତ୍ୱ ନେବା ପରେ ଏ ଯାଏ କମିଟି ଗଠନ ହୋଇପାରି ନ ଥିଲା। ପୂର୍ବରୁ ନିରଂଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଯିବା ପରେ ପୁରୁଣା କମିଟି ଆପେ ଆପେ ଭାଙ୍ଗିଥିଲା। କିନ୍ତୁ ଶରତ ଦାଇତ୍ୱ ନେବା ପରେ ଏ ଯାଏ କମିଟି ଗଠନ କରିପାରି ନ ଥିଲେ। ଭାରତ ଯୋଡୋ ଯାତ୍ରା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ କେନ୍ଦ୍ରୀୟ ନେତୃତ୍ୱ ବ୍ୟସ୍ତ ଥିବାରୁ କମିଟି ଘୋଷଣା ହୋଇପାରୁ ନ ଥିବା କୁହାଯାଏ।

କିନ୍ତୁ ନିର୍ବାଚନ ଆସନ୍ନ ଥିବାରୁ କମିଟି ଗଠନ ତୁରନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଉଥିଲା। ଏପରିକି କମିଟି ଗଠନରେ ଅହେତୁକ ବିଳମ୍ବ ହୋଇସାରିଲାଣି। ତେଣୁ ଏବେ ଖୁବ ଶୀଘ୍ର ନୂଆ କମିଟି ଘୋଷଣା ସହ କଂଗ୍ରେସ କାର୍ଯ୍ୟକୁ ଓଲ୍ହାଇବ ବୋଲି କୁହାଯାଉଛି। ଏପରିକି ନୂଆ କମିଟିରେ ବିଭିନ୍ନ ବର୍ଗ ତଥା ଦଳର ବିଭିନ୍ନ ଗ୍ରୁପକୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରାଯାଇଥିବା କୁହାଯାଉଛି।

କମିଟିରେ ୫୦ ପ୍ରତିଶତରୁ ଅଧିକ ସଦସ୍ୟ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନିଜ ଲୋକଙ୍କୁ ନିଆଯାଇଥିବା ଚର୍ଚ୍ଚା ହେଉଛି। ସେହିପରି ଦଳର ଅନ୍ୟ କିଛି ବରିଷ୍ଠ ଓ ପ୍ରଭାବୀ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କ ନିକଟତର ଲୋକଙ୍କୁ ମଧ୍ୟ କମିଟିରେ ସ୍ଥାନ ମିଳିଥିବା ଆଲୋଚନା ହେଉଛି।

ଏପରିକି ଆଗକୁ ନିର୍ବାଚନ ଥିବାରୁ କମିଟି ଘୋଷଣା ସହ ଏପ୍ରିଲ ମାସରେ କଂଗ୍ରେସ ଏକ ବିଶାଳ ସମାବେଶ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି। ୫୦ ହଜାରରୁ ଅଧିକ ସଂଖ୍ୟକ ଲୋକଙ୍କ ସମାବେଶ କରାଇ ଦଳ ନିର୍ବାଚନ ପୂର୍ବରୁ ଏକ ବାତାବରଣ ତିଆରି କରିବ ବୋଲି କୁହାଯାଉଛି।

ଏବେ ଶରତ ଦିଲ୍ଲୀ ଗସ୍ତରେ ଥିବାବେଳେ କମିଟି ଘୋଷଣାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ସେପଟେ କଂଗ୍ରେସରେ ମିଶିଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଏଆଇସିସିରେ ପଦ ମିଳିବା ନେଇ ଚର୍ଚ୍ଚା ହେଉଥିବାବେଳେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ରହିବେ କିମ୍ବା ଆଉ କାହାକୁ ଦାଇତ୍ୱ ଦିଆଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.