ନୂଆଦିଲ୍ଲୀ: ୟୁରୋପରେ ବଢିଲା ଋଷ ଭୟ । ପ୍ରାୟ ସବୁ ନାଟୋ ଦେଶ ଏବେ ଯୁଦ୍ଧ ପାଇଁ ପୂର୍ବପ୍ରସ୍ତୁତି ଜୋରଦାର କରିଛନ୍ତି । ୟୁକ୍ରେନ ଜିତିବା ପରେ ନାଟୋ ଦେଶଗୁଡିକ ଉପରେ ଋଷ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ଆଉ ଯଦି ସତରେ ଋଷ ଆକ୍ରମଣ କରେ ତେବେ ସହଯୋଗ ପାଇଁ ଆମେରିକା ହାତ ବଢାଇବନି । କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଲଗାତର ନାଟୋ ଦେଶ ଉପରେ ସେନା ଖର୍ଚ୍ଚ ବଢାଇବାକୁ ଚାପ ପକାଉଛନ୍ତି । ଫଳରେ ସୁରକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ନାଟୋ ଦେଶ । ନାଟୋର ସବୁଠୁ ନୂଆ ସଦସ୍ୟ ସ୍ବିଡେନ୍ ନିଜ ନାଗରିକଙ୍କ ପାଇଁ ପରମାଣୁ ବଙ୍କର ପ୍ରସ୍ତୁତ କରୁଛି ।
ବଙ୍କର ପ୍ରସ୍ତୁତ କରୁଛି ସ୍ବିଡେନ୍
ନିଜ ଦେଶର ନାଗରିକଙ୍କୁ ଋଷ-ୟୁକ୍ରେନ୍ ସଂଘର୍ଷ ମଧ୍ୟରେ ଯୁଦ୍ଧ ବିପଦ ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇଛି ସ୍ବିଡେନ୍ । ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ବଙ୍କରର ଆଧୁନିକୀକରଣ ପାଇଁ ୧୦୦ମିଲିୟନ କ୍ରୋନ୍ ବା ୯.୯ମିଲିୟନ ଡଲାର ଖର୍ଚ୍ଚ ପାଇଁ ସ୍ବିଡେନ୍ ଘୋଷଣା କରିଛି । ୨୦୨୪ ମାର୍ଚ୍ଚ ମାସରେ ନାଟୋ ସଦସ୍ୟ ହୋଇଥିଲା ସ୍ବିଡେନ୍ । ଏହାପରଠୁ ଦେଶ ବଙ୍କର ତଦାରଖ ତଥା ଏସବୁର ଆଧୁନିକୀକରଣ ଉପରେ ଗୁରୁତ୍ବ ଦେଇଆସୁଛି । ଦୁଇରୁ ତିନି ବର୍ଷ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବଙ୍କରଗୁଡିକୁ ଅପଡେଟ୍ କରାଯାଉଛି । ଯେମିତି କି କେମିକାଲ୍ ଓ ରେଡିଓଲୋଜି ଅସ୍ତ୍ରଶସ୍ତ୍ରରୁ ଏହା ନାଗରିକଙ୍କୁ ସୁରକ୍ଷା ଦେଇପାରିବ ।
ସ୍ବିଡେନରେ କେତେ ବଙ୍କର?
ଋଷ ସହ ମିଳିତ ସମୁଦ୍ର ସୀମା ସ୍ବିଡେନ୍ ଏକ ସ୍କାଣ୍ଡିନାଭିଆନ୍ ଦେଶ । ଏମିତିରେ ସ୍ବିଡେନରେ ପୂର୍ବରୁ ହିଁ ୬୪ହଜାରଟି ବଙ୍କର ରହିଛି, ଯାହା ଅନ୍ୟ ଦେଶ ତୁଳନାରେ ବେଶ୍ ଅଧିକ। ଏସବୁ ବଙ୍କରରେ ଦେଶ ଦୁଇ ତୃତୀୟାଂଶ ଜନସଂଖ୍ୟା ବା ୭୦ଲକ୍ଷ ନାଗରିକ ସୁରକ୍ଷିତ ରହିପାରିବେ । କିଛି ବଙ୍କର ଏତେ ବଡ଼ ଯେ, ସେଥିରେ ଏକାସାଙ୍ଗେ ହଜାର ହଜାର ଲୋକ ଆଶ୍ରୟ ନେଇପାରିବେ । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏସବୁ ବଙ୍କର ତିଆରି କରାଯାଇଥିଲା । ତେବେ ଯୁଦ୍ଧ ଶେଷ ହେବା ପରଠୁ ଏସବୁର ଉପଯୋଗ କରାଯାଇନି ।
ନାଗରିକଙ୍କ ସୁରକ୍ଷା ପ୍ଲାନ୍
ନାଟୋ ଦେଶ ସମୂହରେ ସାମିଲ ହେବା ପରଠୁ ନିଜ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ବଙ୍କରକୁ ଅତ୍ୟାଧୁନିକ ପ୍ରଣାଳୀରେ ଅପଡେଟ୍ କରୁଛି ସ୍ବିଡେନ୍। ସାଂପ୍ରତିକ ସ୍ଥିତିରେ ରସାୟନିକ, ଜୈବିକ ତଥା ପରମାଣୁ ହମଲାର ମୁକାବିଲା କରିବାକୁ ଏଗୁଡିକର ଆଧୁନିକୀକରଣ କରାଯାଉଛି । ବଙ୍କରର ଫିଲଟରରେ ପରିବର୍ତ୍ତନ କରାଯାଉଛି । ଏସବୁକୁ ବୋମାର ଅଂଶ, ପରମାଣୁ ହତିଆର ବିସ୍ଫୋରଣ ଓ ଏଥିପାଇଁ ହେଉଥିବା ଗ୍ରୀଷ୍ମପ୍ରବାହ, ରସାୟନିକ ହତିଆରରୁ ନିର୍ଗତ ହେଉଥିବା ଗ୍ୟାସରୁ ସୁରକ୍ଷା ଦେବାକୁ ଡିଜାଇନ୍ କରାଯାଉଛି । ଏହି କାର୍ଯ୍ୟକ୍ରମ ସବୁଠୁ ବଡ଼ ୮୦ଟି ବଙ୍କର ମଧ୍ୟରୁ ୨୫ଟିରେ କରାଯାଉଛି ।
ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ସାମନା କରିବାକୁ ନିଜ ଦେଶର ନାଗରିକଙ୍କୁ ପ୍ରସ୍ତୁତ ରଖୁଛି ସ୍ବିଡେନ୍ । ଗତବର୍ଷ ନଭେମ୍ବରରେ ପ୍ରାୟ ୫୦ଲକ୍ଷ ପାମପ୍ଲେଟ୍ ବଣ୍ଟା ଯାଇଥିଲା । ଏଥିରେ ଯୁଦ୍ଧ ସଂକଟ ପାଇଁ କିଭଳି ପ୍ରସ୍ତୁତ ରହିବେ, ପ୍ରାକୃତିକ ବିପର୍ଯ୍ୟୟ, ସାଇବର ଆଟାକ୍ ଓ ଆତଙ୍କବାଦର କେମିତି ସାମନା କରିବେ ସେନେଇ ସୂଚନା ଦିଆଯାଇଥିଲା । ଏହାସହ ପରମାଣୁ ଆକ୍ରମଣ ହେଲେ କିଭଳି ନିଜକୁ ରକ୍ଷା କରିବେ, ସେନେଇ ମଧ୍ୟ ଟିପସ ଦିଆଯାଇଥିଲା ।
Comments are closed.