ରାୟପୁର-ଆଇଜାୱଲ: ଆଜି ଦେଶର ୨ଟି ସ୍ଥାନରେ ବିଧାନସଭା ନିର୍ବାଚନ । ଛତିଶଗଡ-ମିଜୋରାମ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସରିଛି ଭୋଟ୍ ଗ୍ରହଣ । ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ଉପରେ ମତଦାନ ଅପରାହ୍ନ ୫ ଟାରେ ଶେଷ ହୋଇଛି । ଅପରାହ୍ନ ୫ ଟା ସୁଦ୍ଧା ୭୦.୮୭ ପ୍ରତିଶତ ମତଦାନ ହୋଇଛି ।
ଭୋଟ୍ ଗ୍ରହଣ ସମୟରେ ନକ୍ସଲମାନେ ଆତଙ୍କ ସୃଷ୍ଟି କରିଥିଲେ । କାଙ୍କେର, ନାରାୟଣପୁର, ବିଜାପୁର, ଦନ୍ତେୱାଡା ଏବଂ ସୁକମାରେ ନକ୍ସଲ ଉପଦ୍ରବ ଘଟଣା ସାମ୍ନାକୁ ଆସିଛି । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆଇଡି ବ୍ଲାଷ୍ଟ ହେତୁ ଦୁଇ ଜଣ ଯବାନ ଆହତ ହୋଇଛନ୍ତି ।
ତେବେ ଛତିଶଗଡରେ ମୋଟ ୨୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଯେଉଁଥିରେ ୧୯୮ ପୁରୁଷ ଏବଂ ୨୫ ମହିଳା ପ୍ରାର୍ଥୀ ଅଛନ୍ତି । ଛତିଶଗଡର ମୋଟ ୪୦ ଲକ୍ଷ ୭୮ ହଜାର ୬୮୧ ଭୋଟର ପ୍ରଥମ ପର୍ଯ୍ୟାୟରେ ମତ ସାବ୍ୟସ୍ତ କରିବେ । ତେବେ ଲୋକମାନେ ସକାଳ ୭ ଟାରୁ ଭୋଟ୍ ଦେବା ଆରମ୍ଭ କରିଥିବାବେଳେ, ବୃଦ୍ଧ ଓ ମହିଳା ମାନେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଦେଇଛନ୍ତି ।
ସେହିପରି ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୦ ଟି ସିଟ୍ ପାଇଁ ମତଦାନ ଶେଷ ହୋଇଛି । ନିର୍ବାଚନ ଆୟୋଗ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଅପରାହ୍ନ ୫ ଟା ପର୍ଯ୍ୟନ୍ତ ୭୭.୦୪ ପ୍ରତିଶତ ଲୋକ ସେମାନଙ୍କର ମତ ସାବ୍ୟସ୍ତ କରିଛନ୍ତି । ରାଜ୍ୟର ୮.୫୭ ଲକ୍ଷ ଭୋଟର ୧୭୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର ହେବ । ରାଜ୍ୟରେ ମିଜୋ ନ୍ୟାସନାଲ ଫ୍ରଣ୍ଟ, ଜୋରମ ପିପୁଲ୍ସ ମୁବମେଣ୍ଟ ଏବଂ କଂଗ୍ରେସ ମଧ୍ୟରେ ଚାଲିଛି ଜୋରଦାର ପ୍ରତିଯୋଗିତା ।
ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ମିଜୋରାମକୁ ଲାଗିଥିବା ମିଆଁମାର ଏବଂ ବାଙ୍ଗଲାଦେଶ ସୀମାକୁ ସମ୍ପୂର୍ଣ୍ଣ ରୂପେ ସିଲ କରାଯାଇଛି । ମିଜୋରାମରେ ମଧ୍ୟ ଅନେକ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ମତଦାନ ହୋଇଥିଲା । ଅଞ୍ଚଳରେ ଭୋଟ ଗ୍ରହଣ ସମୟରେ ୬୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଥିଲେ ।
Comments are closed.