ପୁରୀ: ଆଶା ସାଥୀମାନଙ୍କର ଦେଖାଦେଉଥିବା ସମସ୍ୟା ଦୂରୀକରଣ ଉଦ୍ଦେଶ୍ୟରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା ସାଥୀ ସଂଘ ଆହ୍ୱାନ କ୍ରମେ ୫ ଦଫା ଦାବୀ ପ୍ରଦାନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ଗୁରୁବାର ଦିନ ଏହି ଦାବୀପତ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା (ଓଡ଼ିଶା)ଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।
ଏହି ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ, କେନ୍ଦ୍ର ସରକାର ୨୦୧୮-୧୯ ମସିହା ପି.ଆଇ.ପି ରେ ଆଶା ସାଥୀମାନଙ୍କ ଲାଗି ୫୦୦୦ ଟଙ୍କା ଘୋଷଣା କରିଥିଲେ । ଏହା ୨୦୧୯ରେ ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଦୁଃଖର ବିଷୟ ଆଶା ସାଥୀମାନଙ୍କୁ ୩୦୦୦ ଟଙ୍କା ପ୍ରଦାନ କରାଯାଉଛି । ଆଶା ସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଘୋଷଣାନୁଯାୟୀ ୬୦୦୦ ଟଙ୍କା ପ୍ରଦାନ କରିବା, ଆଶା ସାଥୀଙ୍କ ୟୁନିଫର୍ମ ଲାଗୁ କରିବା, କାର୍ଯ୍ୟ ଦକ୍ଷତା ଲାଗି ଟ୍ରେନିଂ ପ୍ରଦାନ କରିବା, ୧୩ ବର୍ଷ ଧରି ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟ କରିଆସୁଥିବା ଯୋଗୁଁ ସେମାନଙ୍କ ଲାଗି ଇନସ୍ୟୁରାନ୍ସ ଏବଂ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ନେଇ ୫ ଦଫା ଦାବୀ କରିଛି ଆଶା ସାଥୀ ସଂଘ ।
ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶା ସାଥୀମାନେ ଏହି ୫ ଦଫା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନରେ ଓଡ଼ିଶା ରାଜ୍ୟ ଆଶା ସାଥୀ ସଂଘର ପୁରୀ ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପ୍ରଧାନ, ସମ୍ପାଦିକ ମେନକା ସାହୁ, ଭାରତୀୟ ମଜଦୁର ସଂଘ କର୍ମକର୍ତ୍ତା ଡାଃ କମଳ ନାରାୟଣ ରଥ ପ୍ରମୁଖ ନେତୃତ୍ୱ ଗ୍ରହଣ କରିଥିଲେ ।
Comments are closed.