Latest Odisha News

ପହଞ୍ଚିଲା ବାଜପେୟୀଙ୍କ ଅସ୍ଥି କଳସ, ସର୍ବଦଳୀୟ ସଭାରେ ଯୋଗଦେବେ ବିଜେଡ଼ି ଓ କଂଗ୍ରେସ

ଭୁବନେଶ୍ୱର : ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥିକଳସ ଆଣି ଭୁବନେଶ୍ୱରରେ ପହଞ୍ଚିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ପୁରୀ ମହୋଦଧିରେ କାଲି ଅସ୍ଥି ବିସର୍ଜନ ହେବାକୁ ଥିବାବେଳେ ୨୪ ତାରିଖରେ ହେବ ସର୍ବଦଳୀୟ ସ୍ମୃତିସଭା ।

ଓଡ଼ିଶା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଆଜି ଦିଲ୍ଲୀରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କଠୁ ଅସ୍ଥିକଳସ ଗ୍ରହଣ କରିଥିଲେ । ତେବେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଅସ୍ଥିକଳସକୁ ଦର୍ଶନ କରିବାକୁ କାର୍ଯ୍ୟାଳୟ ଲୋକାରଣ୍ୟ ହୋଇପଡ଼ିଥିଲା ।

ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସ୍ମୃତିରେ ୨୪ ତାରିଖ ଦିନ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ସାର୍ବଜନୀନ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି । ରାଜ୍ୟ ବିଜେପି ପକ୍ଷରୁ ସବୁ ଦଳକୁ ଏହି ସ୍ମୃତିସଭାରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି ।

ଦଳ ପକ୍ଷରୁ ବିଜେଡ଼ି, କଂଗ୍ରେସ, ସିପିଆଇ, ସିପିଏମ ପ୍ରଭୃତି ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ଭେଟି ସର୍ବଦଳୀୟ ସ୍ମୃତିସଭାରେ ଯୋଗଦେବାକୁ ଅନୁରୋଧ କରାଯାଇଛି, ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

ତେବେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯଥେଷ୍ଟ ସମ୍ମାନ ରହିଛି । ବିଜେଡ଼ି ଗଠନ ସମୟରେ ମଧ୍ୟ ସ୍ୱର୍ଗତ ବାଜପେୟୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତେଣୁ ବିଜେଡ଼ି ଏହି ସ୍ମୃତିସଭାରେ ଯୋଗଦେବାର ନିଶ୍ଚିତ ସମ୍ଭାବନା ରହିଛି ।

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିଜେପି ପକ୍ଷରୁ ଭେଟି ସ୍ମୃତିସଭାରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ ଓ ଅନୁରୋଧ କରାଯାଇଛି । ଗଣମାଧ୍ୟମକୁ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ନିମନ୍ତ୍ରଣ ପାଇଲେ ମୁଁ କଂଗ୍ରେସ ତରଫରୁ ନିଶ୍ଚିତ ଯିବି ନଚେତ ଆମର କେହି ପ୍ରତିନିଧି ଏହି ସ୍ମୃତିସଭାରେ ଯୋଗଦେବେ ।

Leave A Reply

Your email address will not be published.