Latest Odisha News

କିଏ ହେବେ ପିପିଲିର ମହାରଥୀ?

ଭୁବନେଶ୍ଵର: ପୁରୀ ଜିଲ୍ଲାର ପିପିଲି ବିଧାନସଭା ଆସନ ବିଜେଡିର ଗଡ ରହିଛି । ୨୦୦୦ ମସିହାରୁ ପିପିଲିରେ ଶଙ୍ଖନାଦ ହୋଇଆସୁଛି । ପ୍ରଦୀପ ମହାରଥୀ ଲଗାତର ପିପିଲିରୁ ବିଜୟୀ ହୋଇଆସୁଥିଲେ । ତାଙ୍କ ପରଲୋକ ପରେ ୨୦୨୧ ଉପନିର୍ବାଚନରେ ପୁଅ ରୁଦ୍ର ପ୍ରତାପ ମହାରଥୀ ବି ବିଜେଡିର ବିଜୟ ଧାରାକୁ ଆଗକୁ ନେଇଛନ୍ତି। କିନ୍ତୁ ଏବେ ପିପିଲିରେ ବଦଳିଛି ସ୍ଥିତି । ଉପନିର୍ବାଚନରେ ଅନୁକମ୍ପାମୂଳକ ଭୋଟ ପାଇଥିଲେ ରୁଦ୍ର। ଏଥର ନିଜ ଦମରେ ପିପିଲି ଲଢେଇ ଲଢିବେ । ସେପଟେ ରୁଦ୍ରଙ୍କୁ କଡା ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଜ୍ଞାନରଞ୍ଜନ ପଟ୍ଟନାୟକ ।

ରୁଦ୍ରଙ୍କ ପାଇଁ `ଆଶ୍ରିତ’ ଚକ୍ରବ୍ୟୂହ

ଚବିଶ ନିର୍ବାଚନରେ ରୁଦ୍ର ମହାରଥୀ ପାଇଁ ସହଜ ହେବନି ପିପିଲି ଲଢେଇ । ଉପନିର୍ବାଚନ ବେଳେ ଅନୁକମ୍ପାମୂଳକ ଭୋଟ୍ ପାଇ ବିଜୟୀ ହୋଇଥିବା ରୁଦ୍ରଙ୍କ ଆଗରେ ବଡ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ସେ ପିପିଲି ଥରେ ବି ଜିତିନଥିଲେ ମଧ୍ୟ ତାଙ୍କ ପରଫର୍ମାନ୍ସ ଗ୍ରାଫ ବଢି ବଢି ଚାଲିଛି । ୨୦୧୯ ହେଉ କି ୨୦୨୧ ଉପନିର୍ବାଚନ, ବିଜେପିର ଭୋଟ୍ ପ୍ରତିଶତ ବଢାଇଛନ୍ତି ଆଶ୍ରିତ । ଗ୍ରାଉଣ୍ଡରେ ତାଙ୍କର ଲୋକପ୍ରିୟତା ବି ବଢିଛି । ଉପନିର୍ବାଚନରେ ୨୦ହଜାର ଭୋଟରେ ହାରିଥିଲେ । ପରାଜୟର ପ୍ରତିଶୋଧ ନେବାକୁ ଜାନ୍ ଲଗାଇଛନ୍ତି ଆଶ୍ରିତ ।

ରୁଦ୍ର Vs ଆଶ୍ରିତ

ଉପନିର୍ବାଚନ ଜିତିବା ପରେ ପଞ୍ଚାୟତ ନିର୍ବାଚନରେ ରୁଦ୍ରଙ୍କ ନେତୃତ୍ବରେ ପିପିଲିରେ ଭଲ ପ୍ରଦର୍ଶନ କରିଛି ବିଜେଡି । ଉଭୟ ପିପିଲି ଓ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ସହ ୬ଟି ଯାକ ଜିଲ୍ଲା ପରିଷଦ ଜୋନରେ ବିଜେଡି ବାଜିମାତ କରିଥିଲା । ରୁଦ୍ରଙ୍କ ନେତୃତ୍ବରେ ବିଜେଡି ପିପିଲି ପୌର ପରିଷଦ ଦଖଲ କରିଥିଲା। ତେଣୁ ଗ୍ରାଉଣ୍ଡରେ ରୁଦ୍ରଙ୍କର ଭଲ ସଂଗଠନ ରହିଛି । ସେପଟେ ପିପିଲିରେ ବିଜେପିର ସପୋର୍ଟ ବେସ୍ ସୁଦୃଢ କରିଛନ୍ତି ଆଶ୍ରିତ ପଟ୍ଟନାୟକ । ପୁରୀ ଜିଲ୍ଲା ବିଜେପି ସଭାପତି ରହିଥିବା ଆଶ୍ରିତ ପୂର୍ବରୁ ପିପିଲି ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟ ବି ନିର୍ବାଚିତ ହୋଇଥିଲେ । ଉଭୟ ରୁଦ୍ର ଓ ଆଶ୍ରିତଙ୍କର ତୃଣମୂଳରେ ଭଲ ସଂଗଠନ ରହିଥିବାରୁ ଟକ୍କର ଜୋରଦାର ହୋଇପାରେ ।

ନବୀନ ଲହର ନା ମୋଦି ମ୍ୟାଜିକ୍!

ନବୀନ ସରକାରଙ୍କ ବିକାଶମୂଳକ ଯୋଜନାକୁ ନେଇ ରୁଦ୍ର ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ତ ଆଶ୍ରିତ ଦେଉଛନ୍ତି ମୋଦିଙ୍କ ଗ୍ୟାରେଣ୍ଟି। ପିପିଲିରେ ବିଜେଡି ନେତା ଭିକେ ପାଣ୍ଡିଆନ ରୁଦ୍ରଙ୍କ ପାଇଁ ପ୍ରଚାର କରିଛନ୍ତି। ମାଗଣା ବିଜୁଳି ହେଉ କି ଚାନ୍ଦୁଆ ଶିଳ୍ପର ବିକାଶ, ବିଏସକେଓ୍ବାଇ ହେଉ କି ମନ୍ଦିର ରୂପାନ୍ତରଣ, ବିକାଶର ନାରା ଦେଇ ଭୋଟ୍ ମାଗିଛନ୍ତି ପାଣ୍ଡିଆନ । ସେପଟେ ଆଶ୍ରିତଙ୍କ ପାଇଁ ହେମାମାଳିନୀ ରୋଡ୍ ଶୋ କରିଛନ୍ତି ତ ଜୋରଦାର ପ୍ରଚାର କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା । ପ୍ରଚାର ମଇଦାନରେ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଜାନ୍ ଲଗାଇଛନ୍ତି ।

ଖସିଛି କଂଗ୍ରେସ ଗ୍ରାଫ୍

ଦିନେ ପିପିଲି କଂଗ୍ରେସର ଗଡ ରହିଥିଲା । ହେଲେ ଏବେ କଂଗ୍ରେସ ପିପିଲିରେ ଅସ୍ତିତ୍ବର ଲଢେଇ ଲଢୁଛି । କଂଗ୍ରେସରୁ ପିପିଲରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଜ୍ଞାନରଞ୍ଜନ ପଟ୍ଟନାୟକ । ସେପଟେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି ସମାଜସେବୀ ତଥା ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚର ଆବାହକ ରାଧାମୋହନ । ବିଜେପିରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ସେ ୫ବର୍ଷ ହେଲା ସାଂଗଠନିକ କାମ କରିଥିଲେ। ତେବେ ଦଳ ତାଙ୍କୁ ଟିକେଟ୍ ନଦେବାରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ । ସେଠୁ ବି ନିରାଶ ହେବା ପରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି । ପିପିଲି ନିର୍ବାଚନରେ ରାଧାମୋହନ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି। ଏପରିକି ରୁଦ୍ର ଓ ଆଶ୍ରିତଙ୍କୁ ଫାଇଟ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

 

 

Comments are closed.