Latest Odisha News

ପରଲୋକରେ ଆସ୍କା ସାଂସଦ ଲଡୁ କିଶୋର ସ୍ୱାଇଁ

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ଆସ୍କା ସାଂସଦ ଲଡୁ କିଶୋର ସ୍ୱାଇଁ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଦିନ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି ।

ସେ କିଡନୀ ରୋଗରେ ଆକ୍ରାନ୍ତ ରହିଥିଲାବେଳେ ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।

ପ୍ରାପ୍ତ ସୂଚନାନୁଯାୟୀ ଗତ ସୋମବାର ରାତିରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତି ପ୍ରାୟ ୧୧ଟା ୪୫ରେ ତାଙ୍କର ଦେହାନ୍ତ ଘଟିଥିଲା।

ଏପରିକି ବୁଧବାର ଅନୁଷ୍ଠିତ ହେବାକୁ ଥିବା ସଂସଦ ଅଧିବେଶନରେ ଯୋଗ ଦେବା ଲାଗି ତାଙ୍କ ପାଇ ବିମାନ ଟିକେଟ୍ ମଧ୍ୟ କଟାଯାଇଥିଲା ବୋଲି ପରିବାର ସଦସ୍ୟଙ୍କ ପକ୍ଷରୁ ସୂଚନା ମିଳିଛି । ଆହୁରି ମଧ୍ୟ ତାଙ୍କ ମୃତ୍ୟୁଶର୍ଯ୍ୟା ନିକଟରେ ଧର୍ମପତ୍ନୀ ମଞ୍ଜୁଳାଙ୍କ ସହ ପୁଅ ନଚିକେତା ଓ ଅଶ୍ୱିନୀ ଉପସ୍ଥିତ ରହିଥିଲେ ।

ତାଙ୍କ ମରଶରୀରକୁ ପୈତୃକ ଗ୍ରାମ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗରର ପଥରାକୁ ନିଆଯାଇଛି। ସେଠାରେ ଏହି ଦିବଙ୍ଗତ ସାଂସଦଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି ।

ଏଥିସହିତ ସ୍ୱର୍ଗତଃ ଲଡୁ କିଶୋରଙ୍କ ଶେଷ ଦର୍ଶନ କରିବାକୁ ତାଙ୍କ ବାସଭବନରେ ବିଭିନ୍ନ ନେତା ଏବଂ ସମର୍ଥକଙ୍କ ଭିଡ଼ ଜମିବାରେ ଲାଗିଛି ।

୧୯୪୭ ମସିହା ଜୁଲାଇ ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିବା ଲଡୁକିଶୋର ସ୍ୱାଇଁ ୨୦୦୪ ମସିହାରେ କବିସୂର‌୍ୟ୍ୟନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ।

ଏହାପରେ ୨୦୧୪ ମସିହାରେ ସେ ଆସ୍କା ଲୋକସଭା ଆସନରୁ ବିଜେଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ଏହି ବରିଷ୍ଠ ନେତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ ଏହି ବରିଷ୍ଠ ନେତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.