Latest Odisha News

BREAKING NEWS

ବଢ଼ିଲା ରାଜ୍ୟପାଳଙ୍କ ପୁଅର ଅଡ଼ୁଆ, ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ କଲେ ଏଏସଓ

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସ୍ଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁରୀ ରାଜଭବନରେ ଲଳିତ ମାଡ଼ ମାରିଥିବା ନେଇ ଥାନାରେ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଂସଦୀୟ ବ୍ୟାପାର ବିଭାଗର ଏଏସ୍ଓ ବୈକୁଣ୍ଠ ପ୍ରଧାନ ଅଭିଯୋଗରେ ଦର୍ଶାଇଛନ୍ତି ଯେ ପୁରୀରେ ରଥଯାତ୍ରା ରାତିରେ ରାଜଭବନରେ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ। ବୈକୁଣ୍ଠ ପ୍ରଧାନ ଦାୟର କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଜୁଲାଇ ୭ ଓ ୮ ତାରିଖ ଦୁଇ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରହଣି ବ୍ୟବସ୍ଥା ତଦାରଖ ପାଇଁ ତାଙ୍କୁ ରାଜଭବନରେ ନିୟୋଜିତ କରାଯାଇଥିଲା।

ଜୁଲାଇ ୭ ତାରିଖ ରାତିରେ ସେ ରାଜଭବନରେ ଥିବା ତାଙ୍କ କାର୍ଯ୍ୟାଳୟରେ ଥିଲେ। ଲଳିତ ତାଙ୍କୁ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂହଙ୍କ ଜରିଆରେ ରାତି ପ୍ରାୟ ୧୧ଟା ୪୫ରେ ୪ ନମ୍ବର ସୁଟକୁ ଡାକିଥିଲେ। ବୈକୁଣ୍ଠ ପ୍ରଧାନ ତାଙ୍କ ପାଖକୁ ଯିବା ମାତ୍ରେ ଲଳିତ ଓ ସେଠାରେ ଉପସ୍ଥିତ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ।

ବିନା କୌଣସି ପାଟି ତୁଣ୍ଡ ବା ବିତର୍କରେ ବୈକୁଣ୍ଠଙ୍କ ଉପରକୁ ଚାପୁଡ଼ା ମାରିଥିଲେ। ଏଥିରେ ବୈକୁଣ୍ଠ ପ୍ରଧାନ ଖସି ପଳାଇବାରେ ସକ୍ଷମ ହୋଇ ଅନ୍ୟ ଏକ କୋଠାରେ ଲୁଚି ରହିଥିଲେ। କିନ୍ତୁ ଲଳିତଙ୍କ ଦୁଇ ଜଣ ପିଏସ୍ଓ ତାଙ୍କୁ ବଳପୂର୍ବକ ନେଇଆସିଥିଲେ। ଏଥର ଲଳିତ ଓ ଅନ୍ୟମାନେ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ।

ଏହି ଘଟଣା ପରେ ବୈକିଣ୍ଠ ପ୍ରଧାନ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ମୌଖିକ ଭାବେ ଜଣାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ସେ ନ୍ୟାୟ ପାଇଁ ପ୍ରମୁଖ ଶାସନ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। କୌଣସି ପ୍ରତିକ୍ରିୟା ନ ମିଳିବାରୁ ବୈକୁଣ୍ଠଙ୍କ ପତ୍ନୀ ପୁରୀ ସି ବିଚ୍ ଥାନାରେ ଅଭିଯୋଗ କରିଛନ୍ତି।

ଏଏସ୍ଓଙ୍କ ପତ୍ନୀ ସୟୋଜୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ପରିବହନ ପାଇଁ ବିଳାସପୂର୍ଣ୍ଣ କାର ନ ପଠାଇବାରୁ ତାଙ୍କ ସ୍ୱାମୀଙ୍କୁ ଲଳିତ ଓ ତାଙ୍କ ସାଙ୍ଗମାନେ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣରେ ତାଙ୍କ ସ୍ୱାମୀ ଆହତ ହୋଇଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ବୋଲି ସେ କହିଛନ୍ତି।

Comments are closed.