Latest Odisha News

BREAKING NEWS

ବିଧାନସଭା ନିର୍ବାଚନ ପୂର୍ବରୁ ଆସାମକୁ ‘ଅଶାନ୍ତ’ ଘୋଷଣା କଲେ ରାଜ୍ୟପାଳ, ୬ ମାସ ପାଇଁ ଲାଗୁ ହେଲା AFSPA

ଗୌହାଟୀ : ଆସନ୍ତା ଏପ୍ରିଲ-ମେ ମାସରେ ଆସାମରେ ହେବ ବିଧାନସଭା ନିର୍ବାଚନ । କିନ୍ତୁ ଏହା ପୂର୍ବରୁ ରାଜ୍ୟପାଳ ଜଗଦୀଶ ମୁଖୀ ଆସାମକୁ ଫେବୃଆରୀ ୨୭ରୁ ଆଗାମୀ ୬ ମାସ ଲାଗି ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି । ଏ ନେଇ ଏକ ଅଧିସୂଚନା ଜାରି ହୋଇଥିବା ବେଳେ, ସଶସ୍ତ୍ର ବଳ (ସ୍ବତନ୍ତ୍ର କ୍ଷମତା) ଅଧିନିୟମ ୧୯୫୮ ଧାରା ୩ରେ ଦିଆଯାଇଥିବା କ୍ଷମତା ବଳରେ ସାରା ରାଜ୍ୟକୁ ଅଶାନ୍ତ କ୍ଷେତ୍ର ଘୋଷଣା କରାଯାଇଛି ।

ଗତବର୍ଷ ପୂର୍ବୋତ୍ତରରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଓ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ପରେ ଅଗଷ୍ଟ ୨୮ ତାରିଖ ଦିନ ରାଜ୍ୟପାଳ ୬ ମାସ ଲାଗି ଏହି ଆଇନକୁ ପରବର୍ତ୍ତି ଘୋଷଣା ପର୍ଯ୍ୟନ୍ତ ଲାଗୁ କରିଥିଲେ । ତେବେ ଏଥର ସେଭଳି କୌଣସି କାରଣ ନଥିବା ବେଳେ ଏଏଫଏସପିଏ ଲାଗୁ ହେବା ଚର୍ଚ୍ଚାର ବିଷୟ ପାଲଟିଛି । କାର୍ବି ଅଙ୍ଗ୍ଲୋଙ୍ଗ ଅଞ୍ଚଳରେ ୫ଟି ବିଦ୍ରୋହୀ ଗୋଷ୍ଠୀର ୧ ହଜାର ୪୦ ଜଣ ବିଦ୍ରୋହୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଉପସ୍ଥିତିରେ ଅସ୍ତ୍ରତ୍ୟାଗ କରିବାର ଦିନକ ପରେ ରାଜ୍ୟପାଳ ଆସାମକୁ ଅଶାନ୍ତ କ୍ଷେତ୍ର ଘୋଷଣା କରିଛନ୍ତି ।

ଏହି ଆଇନରେ ସୁରକ୍ଷା ବଳ ବିନା ୱାରେଣ୍ଟରେ ସର୍ଚ୍ଚ ଅପରେସନ ସହ କାହାକୁ ଗିରଫ କରିବା ଲାଗି କ୍ଷମତା ପ୍ରଦାନ କରିଥାଏ । ତେବେ ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟପାଳ ଆଇନର ସାହାରା ନେବା ଏବେ ନିର୍ବାଚନ ପ୍ରଚାର ଲାଗି ବିରୋଧୀ ଦଳଙ୍କୁ ଚିନ୍ତାରେ ପକାଇଛି ।

Leave A Reply

Your email address will not be published.