ଭୁବନେଶ୍ୱର:ସରିଲା ମାଟ୍ରିକ ପରୀକ୍ଷା । ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନରେ ପିଲାମାନେ ଗଣିତ ପରୀକ୍ଷା ଦେଇଥିଲେ । ଏପ୍ରିଲ ୩ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ‘କିଛି ତ୍ରୁଟି ଦେଖାଯାଇଥିଲା, ମାତ୍ର ସୁରୁଖୁରୁରେ ପରୀକ୍ଷା ସରିଛି’ । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବ ବୋଲି କହିଛନ୍ତି ବୋର୍ଡ ସଭାପତି। ସେହିପରି ମୁଦ୍ରଣ ଜନିତ ତ୍ରୁଟିକୁ ବାଦଦେଲେ ମାଟ୍ରିକ ପରୀକ୍ଷା ସୁରୁଖୁରୁରେ ସରିଥିବା ଗଣଶିକ୍ଷା ମନ୍ତ୍ରୀ ମଧ୍ୟ କହିଛନ୍ତି । ଅନ୍ୟପକ୍ଷେ ପ୍ରଶ୍ନପତ୍ର ଲିକ ଏବଂ ପ୍ରଶ୍ନପତ୍ର ତ୍ରୁଟିକୁ ନେଇ ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି । ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖାଯାଇଛି ।
ଶୂନ୍ୟକାଳରେ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ । ଗୃ୍ହ ଆରମ୍ଭରୁ ଏହି ପ୍ରଶ୍ନ ଉଠାଇ ପ୍ରବଳ ହଟ୍ଟଗୋଳ କରିଥିଲେ ଉଭୟେ ବିଜେପି ଓ କଂଗ୍ରେସ । ଏପରିକି ପ୍ରଶ୍ନପତ୍ର ଲିକର କପିକୁ ମଧ୍ୟ ଦେଖାଇଥିଲେ ବିରୋଧୀ । ବିରୋଧୀମାନେ ପୋଡିୟମ ତଳକୁ ଚାଲିଆସିଥିଲେ । ଏହା ଦ୍ୱାରା ପିଲାଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି ବୋଲି ନାରାବାଜି କରିଥିଲେ ଦୁଇ ଦଳର ସଦସ୍ୟ । ବିରୋଧୀ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ବିରୋଧୀଙ୍କ ହଟ୍ଟେଗୋଳ ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଥିଲେ ।
ଗୃହ ବାହାରେ ମଧ୍ୟ ପ୍ରଶ୍ନପତ୍ର ଲିଙ୍କ ପ୍ରସଙ୍ଗକୁ ନେଇ ସ୍ୱର ଉଠାଇଛନ୍ତି ମୋହନ ମାଝି । ଭାଇରାଲ ହୋଇଥିବା ଗଣିତ ପ୍ରଶ୍ନପତ୍ର ସେଟକୁ ଦେଖାଇ ଅଭିଯୋଗ କରି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି ବୋଲି କହିଛନ୍ତି । ଏହି ପ୍ରସଙ୍ଗରେ ସେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କିରଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ଜାଣିଶୁଣି ପ୍ରଶ୍ନପତ୍ର ଲିକ କରାଯାଉଛି । ପ୍ରତିଦିନ ପ୍ରଶ୍ନପତ୍ର ଲିକ ହେଉଛି । ତେଣୁ ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ଅନ୍ୟପକ୍ଷେ ଏ ପ୍ରସଙ୍ଗରେ ଆଲୋଚନା ନ କରିବା ପାଇଁ ୪ଟା ଯାଏ ଗୃହକୁ ମୁଳତବି କରାଗଲା ବୋଲି କହି ସରକାରଙ୍କୁ ସମାଲୋଚନା କରିଛନ୍ତି ତାରା ।
Comments are closed.