Latest Odisha News

BREAKING NEWS

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ: କେଉଁ ଦଳରୁ କିଏ ହୋଇପାରନ୍ତି ପ୍ରାର୍ଥୀ !

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ୩ଟି ରାଜନୈତିକ ଦଳ । ନଭେମ୍ବର ୨୯ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ପରେ ଆରମ୍ଭ ହୋଇଯାଇଛି କସରତ।

କଂଗ୍ରେସ ନେତାମାନେ ଗ୍ରାଉଣ୍ଡ ଜିରୋକୁ ଯାଇ ଗୋଟି ଚାଳନା ଆରମ୍ଭ କରିଥିବା ବେଳେ ବିଜେଡି ଓ ବିଜେପି ନିର୍ବାଚନ ରଣନୀତି କରିବାରେ ବ୍ୟସ୍ତ। ଏହା ମଧ୍ୟରେ ପ୍ରଶ୍ନ ଉଠିଛି କେଉଁ ଦଳରୁ କିଏ ହେବ ପ୍ରାର୍ଥୀ?

ଶାସକ ବିଜେଡ଼ିରୁ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ ଶୁଭାସିନୀ ଜେନା ମୁଖ୍ୟ ଦାବିଦାର ଥିବା ବେଳେ ଗତ ନିର୍ବାଚନରେ ହାରିଯାଇଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ନାଁ ମଧ୍ୟ ଚର୍ଚ୍ଚା ଅଛି ।

ବିଜେପିରୁ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ଓ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ପ୍ରାର୍ଥୀ ହେବାପାଇଁ ଇଛୁକ ଥିବା ଜଣାପଡିଛି । ସେହିଭଳି କଂଗ୍ରେସରୁ ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ ଏବଂ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ନାମ ଜୋର ଧରିଥିବା ବେଳେ କଂଗ୍ରେସ ନେତା ବିକ୍ରମ ପଣ୍ଡା ଅନ୍ୟତମ ଦାବିଦାର ଥିବା ଆଲୋଚନା ଚାଲିଛି ।

ସେପଟେ ତିର୍ତ୍ତୋଲ ଆସନରୁ ଶାସକ ଦଳ ପକ୍ଷରୁ ପୂର୍ବତନ ବିଧାୟକ ଵିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଆଶାୟୀ ରହିଛନ୍ତି ।

ବିଜେପିରୁ ରମାକାନ୍ତ ଭୋଇ ଓ ବିଷ୍ଣୁ ପ୍ରସାଦ ତରାଇଙ୍କ ନାମ ଚର୍ଚ୍ଚା ହେଉଛି । କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ, ପ୍ରତିମା ମଲ୍ଲିକ ଓ ଦେବୀପ୍ରସନ୍ନ ମଲ୍ଲିକ ଆଶାୟୀ ଅଛନ୍ତି । ତେବେ ଏହି ଦୁଇ ନିର୍ବାଚନ ମଣ୍ଡଳୀରୁ କେଉଁ ଦଳ ବାଜିମାତ କରୁଛି ତା ଉପରେ ସମସ୍ତଙ୍କର ନଜର ରହିଛି ।

Leave A Reply

Your email address will not be published.