Latest Odisha News

BREAKING NEWS

ବିଧାନସଭା ନିର୍ବାଚନ ଫଳାଫଳ: ହାରିଲା କ୍ଷମତା ଆଉ ବାହୁବଳ, ଗଣତନ୍ତ୍ର ଉପରେ ବଢିଲା ଆସ୍ଥା !

ନୂଆଦିଲ୍ଲୀ: କାମ କଲାନି ଅର୍ଥ । କାମ କଲାନି କ୍ଷମତା । ଫେଲ ମାରିଲା ପରିବାର ରାଜନୀତି, ବାହୁବଳ । ଉଡିଲା ଗଣତନ୍ତ୍ରର ବିଜୟ ଧ୍ୱଜା  । ଜିତିଲେ ଶ୍ରମିକ..ହାରିଲେ ଚାରି ଚାରିଥରର ମୁଖ୍ୟମନ୍ତ୍ରୀ । ସେତିକି ନୁହେଁ, ଗୋଟିଏ ଆସନରେ ଦୁଇ ଦୁଇଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ  ହରାଇ ଜିତିଲେ  ସାଧାରଣ ନେତା ।  ଏଥର ନିର୍ବାଚନରେ ଏମିତି କଛି ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି ।

୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଦେଖିଲେ ଯାହା ଜଣାପଡୁଛି, ୪ଟି ରାଜ୍ୟରେ କଂଗ୍ରେସକୁ ଏଡାଇ ଦେଇଛନ୍ତି ଜନତା । ତିନି ରାଜ୍ୟରେ ବିଜେପି ବହୁମତ ପାଇଥିବାବେଳେ ଗୋଟିଏ ରାଜ୍ୟ ତେଲେଙ୍ଗାନାରେ କଂଗ୍ରେସ ପାଇଛି ସଫଳତା । ତେଲେଙ୍ଗାନରେ ବିଜେପି ୮ଟି ଆସନରେ ସନ୍ତୁଷ୍ଟ ହୋଇଥିବାବେଳେ ଏଠି କଂଗ୍ରେସକୁ ମିଳିଛି ବହୁମତ । ଏଠାରେ କେସିଆର ସରକାରଙ୍କୁ ହରାଇ କ୍ଷମତା ହାତେଇଛି କଂଗ୍ରେସ । କଂଗ୍ରେସର ରେବନ୍ତ ରେଡ୍ଡି ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ହେଲେ ଏଠି ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ତେଲେଙ୍ଗାନାର କାମାରେଡ୍ଡି ନିର୍ବାଚନ ମଣ୍ଡଳୀ ଫଳାଫଳ । ଏହି ଆସନରୁ ନିର୍ବାଚନ ଲଢୁଥିଲେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରେବନ୍ତ ରେଡ୍ଡି ଏବଂ ବିଆରଏସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ହେଲେ ଉଭୟଙ୍କୁ ମାତ ଦେଇ ଏହି ଆସନରୁ ଜିତିଥିଲେ ବିଜେପି ପ୍ରାର୍ଥୀ କଟିପଲ୍ଲୀ ଭେଙ୍କଟ ରାମନ୍ନା ରେଡ୍ଡି ।

୫୩ ବର୍ଷୀୟ ଏହି ନେତା ଜଣକ ମାତ୍ର ଦ୍ୱାଦଶ ଯାଏ ପାଠ ପଢିଛନ୍ତି । ହେଲେ ଅପର୍ଯ୍ୟାପ୍ତ ସମ୍ପତ୍ତିର ଅଧିକାରୀ । ତାଙ୍କ ସମ୍ପତ୍ତିର ମୂଲ୍ୟ ୪୯.୭ କୋଟି । ତେବେ ୧୧ଟି ଅପରାଧିକ ମାମଲାର ବୋଝ ମଧ୍ୟ ସେ ବହନ କରୁଛନ୍ତି। ତଥାପି ତାଙ୍କର ଲୋକ ସମ୍ପର୍କ, ବିକାଶ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବା ନୀତିକୁ ଜନତା ଗ୍ରହଣ କରିଛନ୍ତି ଏବଂ ଦୁଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ହରାଇ ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି ।

ଆଉ ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡରେ । ଛତିଶଗଡର ବେମତରା ଜିଲ୍ଲାର ସାଜା ନିର୍ବାଚନ ମଣ୍ଡଳୀରୁ ଜିତିଛନ୍ତି ଈଶ୍ୱର ସାହୁ । ପେଶାରେ ଜଣେ ଶ୍ରମିକ । ଶିକ୍ଷାଗତ ଯୋଗ୍ୟତା ମାତ୍ର ୫ମ  । ତାଙ୍କ ପୁଅ ଭୁବନେଶ୍ୱର ସାହୁ ବିରନପୁର ଗ୍ରାମରେ ସାମ୍ପ୍ରଦାୟିକ ହିଂସାରେ ପ୍ରାଣ ହରାଇଛି । ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ଈଶ୍ୱର । ବିଜେପି ଟିକେଟରେ ଲଢୁଥିଲେ । ଏହି ଆସନରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ କଂଗ୍ରେସ ମନ୍ତ୍ରୀ ରବୀନ୍ଦ୍ର ଚୌବେ । ଖାଲି ମନ୍ତ୍ରୀ ନ ଥିଲେ । ୬ ଥର ବିଧାୟକ ହୋଇଥିଲେ । ତଥାପି ରବୀନ୍ଦ୍ର ଚୌବେଙ୍କ ପରି ଜଣେ କ୍ଷମତା ଏବଂ ପ୍ରତିପତ୍ତିଶାଳୀ ନେତାଙ୍କୁ ୫,୧୯୬ ଭୋଟରେ ହରାଇବାରେ ସକ୍ଷମ ହୋଇଥିଲେ ଈଶ୍ୱର । ପୁଅ ମୃତ୍ୟୁର ନ୍ୟାୟ ମାଗି ମାଗି  ସେ ଭୋଟ ମାଗିଥିଲେ  । ହେଲେ ୬ ଥରର ବିଧାୟକ ଏବଂ ଜଣେ ମନ୍ତ୍ରୀଙ୍କୁ ହରାଇ ସେ ଜିତିବେ ଏକଥା ତାଙ୍କ ବାହୁବଳୀ, କ୍ଷମତାଶାଳୀ ପ୍ରତିଦ୍ୱନ୍ଦ୍ୱୀ ବି ଭାବି ନ ଥିଲେ । ହେଲେ ସମସ୍ତଙ୍କୁ ଚମକାଇ ସେ ଗଣତନ୍ତ୍ରର ବିଜୟ ବାନା ଉଡାଇଥିଲେ ।

Comments are closed.