ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ନବ ଦାସ ପ୍ରସଙ୍ଗରେ ଗୃହ ହୁଲୁସ୍ତୁଲ ହୋଇଛି। ବିରୋଧୀ ଦଳ ଶାସକ ଦଳକୁ ଟାର୍ଗେଟ କରି ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରଶ୍ନକାଳ ଆରମ୍ଭ ହେବାର କିଛି ସମୟ ପରେ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ଆସନ ନିକଟକୁ ଯାଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ସେହିପରି ଶାସକ ଦଳ ମଧ୍ୟ ଚାଷୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ବିରୋଧରେ ନାରାବାଜି କରିଥିଲେ। ଆଉ ଗୃହରେ ଏକ ପ୍ରକାର ପୋଷ୍ଟର ଯୁଦ୍ଧ ହୋଇଥିବା ଦେଖିବାକୁ ମିଳିଛି।
କଂଗ୍ରେସ ଓ ବିଜେପି ସଦସ୍ୟମାନେ ନବ ଦାସଙ୍କୁ ନ୍ୟାୟ ପ୍ରଦାନ ଓ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର ଦାବିରେ ବ୍ୟାନର ଧରି ଗୃହର ମଧ୍ୟଭାଗକୁ ଆସିଥିଲେ। ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମଧ୍ୟ ସେମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି।
ବାଚସ୍ପତି ଗୃହକାର୍ଯ୍ୟକୁ ପୂର୍ବାହ୍ନ ୧୧ଟା ୩୦ ଯାଏ ମୁଲତବୀ ରଖିଥିଲେ। ଅପରପକ୍ଷରେ ଶାସକ ଦଳ ବିଜେଡିର ବିଧାୟକମାନେ ମଧ୍ୟ ଚାଷୀ ସମସ୍ୟା ନେଇ ବ୍ୟାନର ଦେଖାଇ କେନ୍ଦ୍ର ବିରୋଧରେ ନାରାବାଜି କରିଥିଲେ। ଶୂନ୍ୟକାଳରେ ବାଚସ୍ପତି ନିଜ ଆସନକୁ ଯାଇ ନିଜ ନିଜର ଦାବି ଉପସ୍ଥାପନ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ବିରୋଧୀମାନେ ଗୃହର ପୋଡିୟମ ଘେରାଉ କରି ଶାସକ ବିଜେଡି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।
ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଆମେ ‘ମୋସନ୍’ ବୋଲି ଆଲୋଚନା କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲୁ। କିନ୍ତୁ ବାଚସ୍ପତି ଆମ ଦାବିକୁ ଗ୍ରହଣ କରିନଥିଲେ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ। କ୍ରାଇମବ୍ରାଞ୍ଚ ଉପରେ ଆମର କୌଣସି ଭରସା ନାହିଁ ବୋଲି ସେ କହିଛନ୍ତି।
Comments are closed.