Latest Odisha News

BREAKING NEWS

ନବ ଦାସଙ୍କ ହତ୍ୟା ଘଟଣାର ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନାହିଁ ନା ଲୁଚାଉଛନ୍ତି -ନରସିଂହ ମିଶ୍ର

ଭୁବନେଶ୍ୱର: ନବଦାସଙ୍କ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ମୁହଁ ଖୋଲିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ନବଦାସ ହତ୍ୟା ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ପଶ୍ଚିମ ଓଡ଼ଶାର ବିଜେଡି ନେତାଙ୍କ ସଂପୃକ୍ତି ଥାଇପାରେ ବୋଲି ସେ ଅଭିଯୋଗ ଆଣିବା ସହ ଏହାର ତଦନ୍ତର ତଦାରଖ ପାଇଁ ହାଇକୋର୍ଟ ଜଜଙ୍କ ଦ୍ୱାରା ଏସଆଇଟି ଗଠନ କରିବାକୁ  ଦାବି କରିଛନ୍ତି ।

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ସମାଲୋଚନା କରି କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ମୁ୍ଖ୍ୟମନ୍ତ୍ରୀଙ୍କ ବିବୃତ୍ତିରୁ ଯାହା ଜଣାପଡୁଛି ସେ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ କିଛି ଜାଣି ନାହାନ୍ତି କିମ୍ବା ଏହି ମୃତ୍ୟୁ ପଛରେ କୌଣସି ଷଡଯନ୍ତ୍ର ନ ଥିବା ସେ କହିବାକୁ ଚାହୁଁଛନ୍ତି । ନଚେତ ସେ ତଥ୍ୟ ଲୁଚାଇବାକୁ ଚାହୁଁଛନ୍ତି ।

ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି, ନବଙ୍କ ହତ୍ୟା ମାମଲାରେ ଅନେକ ଦିଗକୁ ନେଇ ସନ୍ଦେହ ଆସୁଛି । ହେଲେ ବିଜେଡି କେବଳ ଏଏସଆଇଙ୍କ ପାଖରେ ଅଟକି ଯାଇଛି । ଏହା ପଛରେ ଥିବା ଷଡଯନ୍ତ୍ର କଥା ବିଚାରକୁ ନେଉନି । ସେ କହିଛନ୍ତି, ନବଙ୍କ ହତ୍ୟା ଏକ ଷଡଯନ୍ତ୍ର ବୋଲି ତାଙ୍କ ପରିବାର ସଦସ୍ୟ କହୁଛନ୍ତି । ଏକଥାରେ ସେ ନିଜେ ମଧ୍ୟ ଏକମତ । କାରଣ ଜଣେ ଏଏସଆଇ କେମିତି କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରିପାରିବ ? ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଜଣେ ପୋଲିସ ମନ୍ତ୍ରୀଙ୍କ ପାଖରେ କେମିତି ପହଞ୍ଚିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ମୃତ୍ୟୁର ଅନେକ ଦିଗ ରହିଛି ଯାହାକୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସର ଭୁକ୍ତ କରୁନି ।  ନବଙ୍କ ରାଜନୈତିକ, ବ୍ୟାବସାୟିକ ଶତ୍ରୁତା ଦିଗ କଥା ବି ବିଚାରକୁ ନିଆଯାଉନି । ନବଙ୍କର ରାଜନୈତିକ ଶତ୍ରୁ ଅଛନ୍ତି । ଶ୍ରୀ ମିଶ୍ର କହିଛନ୍ତି, ପଶ୍ଚିମ ଓଡ଼ିଶାର ଜଣେ ବାହୁବଳି ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ସହ ନବଙ୍କର ପଡୁ ନଥିଲା । ହୁଏତ ନବଙ୍କ ହତ୍ୟାରେ ତାଙ୍କର ସଂପୃକ୍ତ ଥାଇ ପାରନ୍ତି । ତେଣୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ନବଙ୍କ ମୃତ୍ୟୁ ପରଠାରୁ ହିଁ ତଦନ୍ତରେ ଅବହେଳା କରାଯାଉଥିବା ନରାସିଂହ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଗୁଳି ଗଲା କୁଆଡେ ? ନବ କାର ଭିତରେ ଥିବାବେଳେ ଗୁଳି ଫୁଟିଲା । ସେ କାର ଭିତରେ ହିଁ ପଡିଗଲେ । ତେଣୁ ଗୁଳି କାର ଭିତରେ ଥିବା କଥା । ତେବେ ତୁରନ୍ତ କାରକୁ ସିଜ କରାଗଲା ନାହିଁ କାହିଁକି ?  ଓକିଲ ଭାବରେ ମୁଁ ଯେତିକି ଘଟଣା ସାମ୍ନା କରିଛି ଜାଣିଛି ଗୁଳିକୁ ଖୋଜି ବାହାର କରିହବ। କିନ୍ତୁ ଗୁଳି କାହିଁକି ତାଙ୍କ ଶରୀରରୁ ବାହାର କରାଗଲା ନାହିଁ।

ଅନ୍ୟପକ୍ଷେ ବ୍ୟବଚ୍ଛେଦ ରିପୋର୍ଟ କହୁଛି, ନବଙ୍କର ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି । ହେଲେ  ତାଙ୍କୁ ଭୁବନେଶ୍ୱର କାହିଁକି ନିଆଗଲା ? ମୁଖ୍ୟମନ୍ତ୍ରର ତାଙ୍କୁ କାହିଁକି ନମସ୍କାର କଲେ ? ତେଣୁ  ମୋର ଓକିଲ ଅଭିଜ୍ଞତା କହୁଛି ତଦନ୍ତ ଠିକ ଭାବେ ହେଉନାହିଁ.।

ତା ଛଡା ଏତେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବୟାନରେ ସେ ଆଦୌ ସନ୍ତୁଷ୍ଟ ନୁହନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର ।

Leave A Reply

Your email address will not be published.