Latest Odisha News

BREAKING NEWS

କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର: କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଜଣେ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟରେ ଅବହେଳା କରିଥିବା ଜଣାପଡିଛି । ରାମାନୁଜ ଦାସଙ୍କୁ ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳୀ ନଂ ୧୩୭ ର ବୁଥ୍ ନଂ ୧୧୦ ପାଇଁ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଭାବେ ନିଯୁକ୍ତ କରାଯାଇଥିଲା ।

ହେଲେ କୌଣସି ବୈଧ କାରଣ ବା ପୂର୍ବ ଅନୁମତି ବିନା ଦାୟିତ୍ୱରେ ଅନୁପସ୍ଥିତ ରହିବା ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କିତ କାର୍ଯ୍ୟ ନିଷ୍ଠାର ସହ ନିର୍ବାହ କରିବାରେ ବିଫଳ ହୋଇଥିଲେ ଯାହା କର୍ତ୍ତବ୍ୟ ପାଳନ କରିବାରେ ଗୁରୁତର ଅବହେଳା ଓ କର୍ତ୍ତବ୍ୟଚ୍ୟୁତି ଭାବେ ଗଣାଯାଇଛି ।

ଗଜପତିଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶ ଅନୁଯାୟୀ ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳୀ-୧୩୭ କାଶିନଗର ବ୍ଲକ ପୋଲିଂ ଷ୍ଟେସନ୍ ସଂଖ୍ୟା ୧୧୦-ସିଦ୍ଧାମଡ଼ଙ୍ଗ ଅଧିନ ବୁଥ୍ ସ୍ତରୀୟ ଅଧିକାରୀ ରାମାନୁଜ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆଇଏଏସ, ଜନପ୍ରତିନିଧିତ୍ୱ ଆଇନ, ୧୯୫୦ ଧାରା ୩୨(୧) ଆଧାରରେ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି । ନିଲମ୍ବନ ସମୟରେ ଶ୍ରୀ ଦାସ କୌଣସି ପୂର୍ବ ଅନୁମତି ବିନା ତାଙ୍କ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ଏବଂ ନିୟମାନୁସାରେ ଭତ୍ତା ପାଇବେ ବୋଲି ଆଦେଶରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.