Latest Odisha News

BREAKING NEWS

ଅସୁରଗଡର ଐତିହାସିକ କାନ୍ଥ

ସମ୍ବଲପୁରର ଅସୁରଗଡ । କାହିଁକି ଏହି ସ୍ଥାନକୁ କୁହାଯାଏ ଅସୁରଗଡ । କିଏ ଓ କାହିଁକି ଏପରି କରିଛି ନାମକରଣ । ଅସୁରଗଡର ଐତିହାସିକ କାନ୍ଥ ପଛରେ କଣ ରହିଛି ରହସ୍ୟ । ଏନେଇ ଆଜି ବି ଅନେକ କିମ୍ବଦନ୍ତୀ ଶୁଣିବାକୁ ମିଳେ । ଏମିତି ଏକ ରହସ୍ୟମୟ ଠିକଣା ହେଉଛି ଅସୁରଗଡ । କାନ୍ଥରୁ ପଥର ଚୋରି କଲେ ହୁଏ ଅନିଷ୍ଟ !ସମ୍ବଲପୁର କଚେରୀ ଛକରୁ ଦ୍ବିତୀୟ ମହାନଦୀ ସେତୁ ପାର ହୋଇ ଘଣ୍ଟେଶ୍ବରୀ ଯିବା ରାସ୍ତାରେ ପଡେ ବ୍ରହ୍ମପୁର ଗାଁ । ଯେଉଁଠି ରହିଛି ଏହି ଅସୁରଗଡ । ଏଠାରେ ପହଞ୍ଚିବା ମାତ୍ରେ ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରେ । କିଏ ଓ କାହିଁକି ଏହି ସ୍ଥାନକୁ ଅସୁରଗଡର ନାଁ ଦେଇଛି । ଘଞ୍ଚ ପାହାଡ ଭରା ଜଙ୍ଗଲ ଘେରରେ ପଥର କାନ୍ଥ । ପାହାଡର ଉତ୍ତର ଓ ପଶ୍ଚିମ ପାର୍ଶ୍ବକୁ ଘେରି ରହିଥିବା କାନ୍ଥଟି ଉତ୍ତର ଆଡକୁ ଲମ୍ବି ଯାଇଛି । ଏହାର ଓସାର ୪ ରୁ ୫ ଫୁଟ ହୋଇଥିବାବେଳେ ଉଚ୍ଚତା ପ୍ରାୟ ୭ ଫୁଟ । ହେଲେ ନିଜର୍ନ ନିକାଞ୍ଚନ ସ୍ଥାନରେ କିଏ ନିର୍ମାଣ କରିଛି ଏହି କାନ୍ଥ । ଦିନ ବେଳା ଏଠାରେ ଅପୂର୍ବ ଶାନ୍ତି ମିଳେ ହେଲେ ସୂର୍ଯ୍ୟାସ୍ତ ପରର ସ୍ଥିତି ଭୟ ସଂଚାର କରେ । ଆଉ ରାତିରେ ବିଭିନ୍ନ ପ୍ରକାରର ଶବ୍ଦ ଶୁଭିଲା ପରି ମନେ ହୁଏ । ସେଥିପାଇଁ ସଞ୍ଜ ନଉଁ ନଉଁ ଅସୁରଗଡ ସାଜେ ଅସୁରଙ୍କ ଠିକଣା ।ବ୍ରହ୍ମପୁର ଗାଁ ଲୋକଙ୍କ ଅନୁସାରେ ଏକଦା ରାତ୍ରୀ ସମୟରେ ଅସୁରମାନେ ଘର ତୋଳିବାକୁ ଚେଷ୍ଟା କରୁଥିଲେ । ସକାଳ ହୋଇଗଲା ଭାବି କାନ୍ଥକୁ ଅଧାରେ ଛାଡି ଚାଲିଗଲେ । ଏପରି ବି ଶୁଣିବାକୁ ମିଳେ ଯେ ଅସୁରମାନେ ଏହି ସ୍ଥାନରେ ନିଜର ଧନ ସମ୍ପତ୍ତି ଲୁଚାଇ ରଖିଛନ୍ତି । ସେଥିପାଇଁ ଏଠାରେ କାନ୍ଥ ନିର୍ମାଣ କରିଥିଲେ । ଅନ୍ୟପଟେ, ଏହି ସ୍ଥାନରୁ ପଥର ନେଲେ କୁଆଡେ ସ୍ବପ୍ନାଦେଶ ହୋଇଥାଏ ବୋଲି ରହିଛି ବିଶ୍ବାସ। ତେବେ ଏସବୁ ବିଶ୍ବାସର କୌଣିସ ପ୍ରମାଣ ଆଜି ଯାଏଁ ମିଳିପାରିନଥିବାବେଳେ କାନ୍ଥରେ ଥିବା ରହସ୍ୟ ଏବେ ଏପର୍ଯ୍ୟନ୍ତ ବି ଜଣାପଡିନାହିଁ ।

 

 

Leave A Reply

Your email address will not be published.