ଝାନ୍ସୀ: ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଅଘଟଣ । ମେଡିକାଲରେ ନିଆଁ ଲାଗି ୧୦ ନବଜାତ ଜୀବନ୍ତ ଦଗ୍ଧ । ନିଆଁ କବଳରୁ ପ୍ରାୟ ୩୫ ଜଣ ନବଜାତଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ମେଡିକାଲ୍ର ଏନଆଇସିୟୁରେ ଲାଗିଥିଲା ନିଆଁ । ତେବେ ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଝାନ୍ସୀସ୍ଥିତ ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲର ସ୍ବତନ୍ତ୍ର ନବଜାତ ଶିଶୁ ୱାର୍ଡରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୧୦ ଶିଶୁଙ୍କ ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡ ଘଟିବା ପରେ ରୋଗୀମାନେ ପ୍ରାଣ ବିକଳରେ ଡାକ୍ତରଖାନାରୁ ବାହାରକୁ ପଳାଇଥିଲେ । ଖବରପାଇ ଉଦ୍ଧାରକାରୀ ଦଳ ପହଞ୍ଚି ହସ୍ପିଟାଲରୁ ୩୭ ଜଣ ଶିଶୁଙ୍କୁ ଉଦ୍ଧାର କରିବା ସହ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକ ଶିଶୁ ଗୁରୁତର ଥିବା ନେଇ ସୂଚନା ମିଳିଛି । ଦୀର୍ଘ ୪/୫ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ତେବେ ସର୍ଟସର୍କିଟ ଯୋଗୁଁ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସେପଟେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ, ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଓ ପୁଲିସ ମହାନିରୀକ୍ଷକଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ । ଅନ୍ୟପଟେ ହସ୍ପିଟାଲ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।