ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ବେଆଇନ ସୁନା ଖଣିରେ ଫସି ୧୦୦ ଶ୍ରମିକଙ୍କ ମୃତ୍ୟୁ ଘଟଣା ଏବେ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଖଣିରେ ଶ୍ରମିକମାନେ ପ୍ରାୟ ଦେଢ ମାସ ଧରି ଭୋକ ଉପାସରେ ସଂଘର୍ଷ କରୁଥିଲେ। ଦକ୍ଷିଣ ଆଫ୍ରିକାର ଷ୍ଟିଲଫୋଣ୍ଟେନ୍ ସହର ନିକଟ ବଫେଲ୍ସଫୋଣ୍ଟେନ୍ ସ୍ଥିତ ସୁନା ଖଣିରେ ପ୍ରାୟ ୧୦୦ ଜଣ ଶ୍ରମିକ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରିବା ପରେ ଜଣାପଡିଲା ଯେ, ସେମାନଙ୍କର ମୃତ୍ୟୁ ଖାଦ୍ୟପେୟ ଅଭାବରୁ ହୋଇଛି । ଏନେଇ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓଟି ଫସିରହିଥିବା ଶ୍ରମିକଙ୍କ ମଧ୍ୟରୁ ଜଣେ ପଠାଇଥିବା ନେଇ ଜଣାପଡିଛି ।
ମାଇନିଂ ଆଫେକ୍ଟେଡ୍ କମ୍ୟୁନିଟି ୟୁନାଇଟେଡ୍ ଇନ୍ ଆକ୍ସନ୍ ଗ୍ରୁପ୍ ଅନୁଯାୟୀ, ଇଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୬ ଶ୍ରମିକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି ଏବଂ ୧୮ଟି ମୃତ ଦେହ ବାହାର କରାଯାଇଛି । କୁହାଯାଉଛି ଯେ, ଖଣିର ଗଭୀରତା ପ୍ରାୟ ୨.୫ କିମିରୁ ଅଧିକ । ପ୍ରାରମ୍ଭିକ ସୂଚନା ଅନୁସାରେ ଖଣିରେ ପାଖାପାଖି ୫୦୦ ଜଣ ଶ୍ରମିକ ଫସି ରହିଥିବା ବେଳେ ପ୍ରାୟ ୧୦୦ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି । ସେପଟେ ପୋଲିସ ଖଣିକୁ ସିଲ୍ କରିବାକୁ ଉଦ୍ୟମ କରୁଥିବା ବେଳେ ଶ୍ରମିକ ଓ ପୋଲିସ ମଧ୍ୟରେ ବିବାଦ ଦେଖାଦେଇଛି । ପୋଲିସର କହିବା ଅନୁସାରେ, ଗିରଫଦାରୀ ଭୟରେ ଶ୍ରମିକମାନେ ବାହାରକୁ ଆସୁନାହାଁନ୍ତି।
ମିଳିଥିବା ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ । ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ କ୍ଷୁଧା ବୋଲି ଜଣାପଡିଛି । ଖଣିକୁ ଖାଦ୍ୟ ଏବଂ ଜଳ ଯୋଗାଣ ବନ୍ଦ ଥିବାରୁ ସମସ୍ତ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେପଟେ ଏତେ ଶ୍ରମିକଙ୍କ ମୃତ୍ୟୁ ଖଣିର ସୁରକ୍ଷା ଏବଂ ପରିଚାଳନା ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। କହିରଖୁଛୁ ଯେ, ଦକ୍ଷିଣ ଆଫ୍ରିକାରେ ବେଆଇନ ଖଣି ଏକ ସାଧାରଣ ସମସ୍ୟା। ଯେତେବେଳେ ବଡ କମ୍ପାନୀଗୁଡିକ ଖଣି ଛାଡି ସେମାନଙ୍କୁ ଅଦରକାରୀ ମନେ କରନ୍ତି, ସ୍ଥାନୀୟ ଖଣି ମାଲିକମାନେ ଅବଶିଷ୍ଟ ସୁନା ବାହାର କରିବାକୁ ଚେଷ୍ଟା କରନ୍ତି । ଏହି ବିପଦପୂର୍ଣ୍ଣ ପରିସ୍ଥିତି ସେମାନଙ୍କ ଜୀବନ ପ୍ରତି ବିପଦ ହୋଇଥାଏ ।