Latest Odisha News

ତିବ୍ଦତ ଭୂକମ୍ପ: ୯ ଘଣ୍ଟାରେ ୧୦୦ରୁ ଅଧିକ ଝଟକା, ୧୨୬ ରୁ ଉର୍ଦ୍ଧ୍ଵ ମୃତ

ନୂଆଦିଲ୍ଲୀ: ଗତକାଲି ୬.୮ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ତିବ୍ଦତ । ଭୂକମ୍ପରେ ପ୍ରାୟ ୧୨୬ଜଣ ପ୍ରାଣ ହରାଇଥିବା ବେଳେ ୧୮୮ ରୁ ଉର୍ଦ୍ଦ୍ଵ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଗତ ୯ ଘଣ୍ଟା ମଧ୍ୟରେ ଛୋଟ ବଡ କରି ୧୦୦ଥର ଥରିଥିଲା ତିବ୍ଦତ । ତିବ୍ଦତ ସହିତ ପଡୋଶୀ ଦେଶ ନେପାଳରେ ମଧ୍ୟ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା । ସେଠାରେ ୭.୧ ତୀବ୍ରତା ବିଶିଷ୍ଟ କମ୍ପନ ଅନୂଭୂତ ହୋଇଥିଲା । କମ୍ପନ ତୀବ୍ରତା ଏତେ ତୀବ୍ର ଥିଲା ଯେ ଭୟରେ ଲୋକମାନେ ଘରୁ ବାହାରକୁ ଆସିଲେ।

ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର (CENC) କହିବା ଅନୁସାରେ, ଏହି ଭୂକମ୍ପ ରିକ୍ଟର ସ୍କେଲରେ ୬.୮ ତୀବ୍ରତା ଥିବା ବେଳେ ଆମେରିକାର ଭୂତତ୍ତ୍ୱ ସେବା (USGS) ଅନୁସାରେ ଏହାର ତୀବ୍ରତା ୭.୧ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ତିବ୍ଦତର ଟିଙ୍ଗରିରେ ଥିଲା। ଏହି ସ୍ଥାନରେ ଚୀନ୍ ତିବ୍ଦତର ଟାଙ୍ଗପୋ ନଦୀ ଉପରେ ବିଶ୍ୱର ‘ବୃହତ୍ତମ ବନ୍ଧ’ ନିର୍ମାଣ କରିବାକୁ ଯୋଜନା କରୁଛି। ଭାରତରେ ପ୍ରବେଶ କରିଥିବା ଏହି ନଦୀକୁ ବ୍ରହ୍ମପୁତ୍ର କୁହାଯାଇଥାଏ।

ପ୍ରାଥମିକ ସର୍ବେକ୍ଷଣରୁ ଜଣାପଡିଛି ଯେ, ତିବ୍ଦତର ଶିଗାଟସେ ଅଞ୍ଚଳରେ ୩,୬୦୯ ଘର ନଷ୍ଟ ହୋଇଯାଇଥିବାବେଳେ ପ୍ରାୟ ୮ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ତେବେ ନେପାଳ କିମ୍ବା ଅନ୍ୟାନ୍ୟ ସ୍ଥାନରେ କୌଣସି ମୃତ୍ୟୁ ଖବର ହୋଇନାହିଁ। ତିବ୍ଦତର ପଡୋଶୀ ଦେଶ ଚୀନ୍, ନେପାଳ, ଭୁଟାନ ଏବଂ ଭାରତର କିଛି ଜିଲ୍ଲା ତଥା ବାଂଲାଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ସେପଟେ ଚୀନ୍ ଅଧିକାରୀଙ୍କ କହିବା ଅନୁସାରେ ଉଦ୍ଧାରକାରୀ ଦଳ ଏଯାବତ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ପ୍ରାୟ ୩୦,୦୦୦ରୁ ଅଧିକ ବାସିନ୍ଦାଙ୍କୁ ଉଦ୍ଧାର କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଏବେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଉଭୟ ବିଦ୍ୟୁତ୍ ଏବଂ ଜଳ ଯୋଗାଣ ପ୍ରଭାବିତ ହୋଇଛି । ସେହିପରି ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳର ଡିଙ୍ଗ୍ରି କାଉଣ୍ଟିରେ ଥିବା ମାଉଣ୍ଟ ଏଭରେଷ୍ଟର ଚୀନ୍ ପର୍ଯ୍ୟଟନ ସ୍ଥଳକୁ ବନ୍ଦ କରିଦେଇଛି ।

Comments are closed.