Latest Odisha News

BREAKING NEWS

ଅଟଳ ଜୀଙ୍କ ଜୀବନର ଗାଥା ଭାରତ ରାଜନୈତିକ ଇତିହାସରେ ଅଦ୍ୱିତୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ଅଟଳ ଯୁବଶକ୍ତି, ଓଡ଼ିଶା ପକ୍ଷରୁ ଆୟୋଜିତ ଅଟଳ ପ୍ରତିଭା ସମ୍ମାନ-୨୦୨୫ ଉତ୍ସବ ଅବସରରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ଓଡିଶାର ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଭା ମାନଙ୍କୁ ସମ୍ମାନିତ କରିଥିଲେ ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଯେତେବେଳେ ବି ଅଟଳ ବିହାରୀ ବାଜପେୟୀଙ୍କ କଥା ଆଲୋଚନା ହେବ, ‘ପୋଖରାନ ପରମାଣୁ ପରୀକ୍ଷଣ’ ଏବଂ ‘କାର୍ଗିଲ ବିଜୟ’ କଥା ସର୍ବାଗ୍ରେ ଆସିବ । ଅଟଳଜୀ କେବଳ ଏକ ରାଜନେତା ନୁହଁ, ସେ ଜନମାନସର ହୃଦୟରେ ଥିବା ଏକ ଅଭିନ୍ନ ଅନୁଭୂତି ।

ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅଟଳଜୀଙ୍କ ଓଡ଼ିଶାପ୍ରତି ପ୍ରଗାଢ ଭଲପାଇବା ଥିଲା । ସେ ଅନେକ ସମୟରେ ଓଡ଼ିଶା ପାଇଁ ରାସ୍ତା, ରେଳପଥ, ଶିକ୍ଷା, ଔଦ୍ୟୋଗିକ ରୂପାନ୍ତରଣ ଆଦି ରେ ଏକ ନୂଆ ଯୁଗର ଆରମ୍ଭ କରିଥିଲେ । ତାଙ୍କ ଯୁଗ ହେଉଛି ସୁଜଳାମ୍ ସୁଫଳାମ୍ ଭାରତର ପ୍ରତୀକ ।

ସେହି ଯୁଗପୁରୁଷଙ୍କ ସ୍ମରଣରେ ଏହି ସ୍ମରଣିକା ‘ଯୁଗଜନ୍ମା ଅଟଳ’ ଦ୍ୱାରା ଅଟଳଜୀଙ୍କ ଜୀବନ, ଚିନ୍ତାଧାରା, ସଂସ୍କୃତି, ଦୃଷ୍ଟିକୋଣ, ତାଙ୍କ ଦୃଢ଼ ପଦକ୍ଷେପ ଓ ଦେଶପ୍ରେମ ଉପରେ ଆଧାରିତ ଗୁରୁତ୍ୱପୂର୍ଣ୍ଣ ଲେଖାମାନେ ସଂପ୍ରେକ୍ଷଣ କରିବାକୁ ଚେଷ୍ଟା କରାଯାଇଛି। ଏହା କେବଳ ସ୍ମୃତି ନୁହଁ, ଏହା ଏକ ଦିଗଦର୍ଶନ – ଏକ ଅଟଳ ମାର୍ଗ ଯାହା ଆସନ୍ତା ପିଢିଙ୍କୁ ଅନୁପ୍ରେରଣା ଦେବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ତାଙ୍କ ଜୀବନର ଗାଥା ଭାରତ ରାଜନୈତିକ ଇତିହାସରେ ଅଦ୍ୱିତୀୟ । ସେ ଏକ ଦଳର ପ୍ରତିନିଧି ଥିଲେ, କିନ୍ତୁ ଜନତାଙ୍କ ମନର ନେତା ଥିଲେ। ତାଙ୍କର ଶାସନକାଳ ହେଉ ବା ବିପକ୍ଷ ଜୀବନ – ସେ ସଦା ସତ୍ୟ, ନ୍ୟାୟ ଓ ରାଷ୍ଟ୍ରପ୍ରେମର ମୂର୍ତ୍ତିମାନ ଉଦାହରଣ ଥିଲେ । ସେ ଥିଲେ ଅଜାତଶତ୍ରୁ । ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ । ଏମିତିକି ତାଙ୍କର ଘୋର ବିରୋଧୀ ବି କହୁଥିଲେ, ‘He is the right man in the wrong party’ ।

ସେ ପୁଣି କହିଥିଲେ ଅଟଳଜୀଙ୍କ ସଦା ସର୍ବଦା ଯୁବ ଶକ୍ତି ଉପରେ ଅଗାଧ ଆଶା ଓ ବିଶ୍ବାସ ଥିଲା । ଅଟଳଜୀ ମାନୁଥିଲେ – ଯୁବ ପିଢି କେବଳ ଆଗାମୀ ନୁହେଁ, ବରଂ ବର୍ତ୍ତମାନର ନୈତିକ ଶକ୍ତି ଓ ପରିବର୍ତ୍ତନର ନାୟକ । ଆମେ ଯଦି ଅଟଳଜୀଙ୍କ ପଥ ଅନୁସରଣ କରିବାକୁ ଚାହୁଁଛୁ, ତେବେ ଆମେ ଯୁବପିଢି ଭାବେ ନିଜ ଜୀବନକୁ ନୀତି, ସଂଗଠନ, ଶିକ୍ଷା ଓ ଦେଶପ୍ରେମରେ ଗଠିତ କରିବାକୁ ପଡିବ । ଆଜିର ଓଡ଼ିଶା ଓ ଭାରତ ତାଙ୍କ ପଦଚିହ୍ନକୁ ଅନୁସରଣ କରି ଅଟଳ ଭାବନା ଓ ଅଟଳ ନିଷ୍ଠାରେ ଏକ ନୂଆ ଯୁଗ ଗଢ଼ିପାରିବ ।

Comments are closed.