ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବିରୋଧୀଙ୍କ ହାଇଡ୍ରାମା । ପୂରା ଦିନ ପାଇଁ ନିଲମ୍ବିତ ହେଲେ ବିରୋଧୀ ଦଳ ନେତ୍ରୀ ଆତିଶୀଙ୍କ ସହ ଆପର ୨୦ ବିଧାୟକ । ଏଥିସହିତ ଗୃହ କାର୍ଯ୍ୟକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଆଜି ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ଦିନ ଚାଲିଥିବା ବେଳେ ମଦ ନୀତି ଦୁର୍ନୀତି ଉପରେ ଭାରତୀୟ ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ ବା ସିଏଜି ରିପୋର୍ଟ ଗୃହରେ ଆଗତ ହେବା ପରେ ଏହାକୁ ନେଇ ବିରୋଧି ଆପ୍ ଗୃହରେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଥିଲା । ଯେଉଁ କାରଣରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସମେତ ୨୧ ଜଣ ଆମ ଆଦମୀ ପାର୍ଟିର ବିଧାୟକଙ୍କୁ ବିଧାନସଭା ଅଧିବେଶନରୁ ଦିନକ ପାଇଁ ନିଲମ୍ବିତ କରାଯାଇଛି ।
ତେବେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗୃହରେ ଏହି ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ସମୟରେ ଦ୍ବିତୀୟ ଦିନର ଅଧିବେଶନ ଆରମ୍ଭ ହେବା ମାତ୍ରେ, ଉପରାଜ୍ୟପାଳ ଭିକେ ସକ୍ସେନା ଗୃହକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ଆପ ବିଧାୟକମାନେ ବିଜେପି ସରକାର ବିରୋଧରେ ଜୋରଦାର ସ୍ଲୋଗାନ ଦେବାକୁ ଆରମ୍ଭ କରିଥିଲେ । ବାଚସ୍ପତି ବିଧାୟକମାନଙ୍କୁ ଶାନ୍ତ ରହିବା ପାଇଁ ଅନେକ ଅନୁରୋଧ କରିଥିଲେ । ହେଲେ ଉପରାଜ୍ୟପାଳଙ୍କ ଭାଷଣ ଦେବା ବେଳେ., କୌଣସି କଥା ନ ଶୁଣି, ବାଧା ସୃଷ୍ଟି କରିଚାଲିଥିଲେ ଆପ୍ ବିଧାୟକ । ଫଳସ୍ୱରୂପ, ବାଚସ୍ପତି ବିଧାୟକମାନଙ୍କୁ ଦିନକ ପାଇଁ ନିଲମ୍ବିତ କରିଛନ୍ତି ।
ସେପଟେ ନିଲମ୍ବିତ ହେବା ପରେ ବିଧାନସଭା ପରିସରରେ ଧାରଣା ଦେିଛନ୍ତି ଆତିଶୀଙ୍କ ସହ ଅନ୍ୟ ଆପ ନେତା । ଏନେଇ ଆତିଶୀ ଅଭିଯୋଗ କରିଛନ୍ତି, ବିଜେପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବି.ଆର୍. ଆମ୍ବେଦକରଙ୍କ ଫଟୋ ହଟାଇ ତାଙ୍କ ପ୍ରତି ଅସମ୍ମାନ କରିଛି । ବାବାସାହେବ ଆମ୍ବେଦକରଙ୍କ ଫଟୋ ହଟାଇ ବିଜେପି ତାର ପ୍ରକୃତ ରଙ୍ଗ ଦେଖାଇଛି । ମୋଦି ବାବାସାହେବଙ୍କ ସ୍ଥାନ ନେଇପାରିବେ, କ’ଣ ଏହା ଦଳ ଭାବୁଛି?, ଯେପର୍ଯ୍ୟନ୍ତ ଡକ୍ଟର ବି.ଆର. ଆମ୍ବେଦକରଙ୍କ ଫଟୋଚିତ୍ର ସ୍ଥାନିତ ନହୋଇଛି, ସେ ପର୍ଯ୍ୟନ୍ତ ଆପ୍ ପ୍ରତିବାଦ ଜାରି ରଖିବ ବୋଲି କହିଛନ୍ତି ଆତିଶୀ ।
Comments are closed.