Latest Odisha News

BREAKING NEWS

‘ରେଖାଙ୍କ ସ୍ବାମୀ ଚଳାଉଛନ୍ତି ଦିଲ୍ଲୀ ସରକାର’- ଅଭିଯୋଗ ଆଣିଲେ ଆତିଶୀ

ନୂଆଦିଲ୍ଲୀ: ‘ସରକାର ଚଳାଉନାହାନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ପରଦା ପଛରେ ରହି ସ୍ବାମୀ ମନିଷ ଗୁପ୍ତା ଦିଲ୍ଲୀ ସରକାର ପରିଚାଳନା କରୁଛନ୍ତି ।’ କିଛଇ ଏପରି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ବିରୋଧୀ ଦଳ ନେତା ଆତିଶୀ ମରଲେନ୍ ।  ଆମ ଆଦମୀ ପାର୍ଟି ନେତ୍ରୀ ତଥା ବିରୋଧୀ ଦଳ ନେତା ଆତିଶୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସ୍ୱାମୀଙ୍କୁ ଅଣଆନୁଷ୍ଠାନିକ ଭାବରେ ଦିଲ୍ଲୀ ସରକାର ପରିଚାଳନା କରୁଥିବା ଅଭିଯୋଗ କରିଛନ୍ତି ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରି କିଛି ଏପରି ମହାଭିଯୋଗ ଆରିଛନ୍ତି ଆତିଶୀ । ଆତିଶୀ ତାଙ୍କ ପୋଷ୍ଟରେ ଏକ ଫଟୋ ଜଡିତ କରିଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସ୍ୱାମୀ ମନୀଷ ଗୁପ୍ତା, ଏମସିଡି, ଡିଜେବି, ପିଡବ୍ଲୁଡି, ଏବଂ ଡିୟୁଏସଆଇବି ସମେତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକରେ ନଜର ଆସିଥିବା ବେଳେ ସେ ବୈଠକର ଅଧ୍ୟକ୍ଷତା କରୁଛନ୍ତି ବୋଲି ଦାବି କରିଛନ୍ତି ଆତିଶୀ । ଯେଉଁଥିରେ ସେ ଲେଖିଛନ୍ତି, ଏହି ଫଟୋକୁ ଧ୍ୟାନର ସହିତ ଦେଖନ୍ତୁ, । ଏମସିଡି, ଡିଜେବି, ପିଡବ୍ଲୁଡି, ଏବଂ ଡିୟୁଏସଆଇବିର ଅଧିକାରୀଙ୍କ ବୈଠକ ନେଉଥିବା ବ୍ୟକ୍ତି ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସ୍ୱାମୀ ମନୀଷ ଗୁପ୍ତା । ଏଥିସହିତ ଉକ୍ତ ଫଟୋରେ ଥିବା ପରିସ୍ଥିତିକୁ ଗ୍ରାମାଞ୍ଚଳ ଶାସନ ପ୍ରଥା ସହିତ ତୁଳନା କରିଛନ୍ତି ଆତିଶୀ, ଯେଉଁଥିରେ ଜଣେ ନିର୍ବାଚିତ ମହିଳା ସରପଞ୍ଚଙ୍କ ସ୍ୱାମୀ ପ୍ରାୟତଃ ଅନୌପଚାରିକ ଭାବରେ ପ୍ରଶାସନିକ ଦାୟିତ୍ୱ ଗ୍ରହଣ କରିପାରିବେ ।

ଏନେଇ ସେ ଲେଖିଛନ୍ତି, ପୂର୍ବରୁ ଆମେ ଶୁଣିଥିଲୁ ଯେ ଯଦି ଗାଁରେ ଜଣେ ମହିଳା ସରପଞ୍ଚ ନିର୍ବାଚିତ ହୁଅନ୍ତି, ତେବେ ସମସ୍ତ ସରକାରୀ କାମ ତାଙ୍କ ସ୍ୱାମୀ ପରିଚାଳନା କରିବେ । କୁହାଯାଉଥିଲା ଯେ ଗାଁର ମହିଳାମାନେ ସରକାରୀ କାମ କିପରି ପରିଚାଳନା କରିବେ ତାହା ଜାଣନ୍ତି ନାହିଁ, ତେଣୁ କାମ ‘ସରପଞ୍ଚଙ୍କ ସ୍ୱାମୀ’ ଦ୍ୱାରା ପରିଚାଳନା କରାଯିବ । କିନ୍ତୁ ଦେଶର ଇତିହାସରେ ଏଭଳି କାର୍ଯ୍ୟ ପ୍ରଥମ ଯେ, ଜଣେ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ସମସ୍ତ ସରକାରୀ କାମ ତାଙ୍କ ସ୍ୱାମୀ ପରିଚାଳନା କରୁଛନ୍ତି ।

ଆହୁରି ମଧ୍ୟ ରାଜଧାନୀରେ ବଢ଼ୁଥିବା ବିଦ୍ୟୁତ୍ ବିଭ୍ରାଟ ଏବଂ ବର୍ଦ୍ଧିତ ଘରୋଇ ସ୍କୁଲ ଫିସ୍ ଭଳି ପ୍ରଶାସନିକ ଚିନ୍ତା ରେଖା ଗୁପ୍ତାଙ୍କ ସମ୍ପୃକ୍ତି ଅଭାବ ସହିତ ଜଡିତ କି? ବୋଲି ସେ ପ୍ରଶ୍ନ କରିଛନ୍ତି । ରେଖା ଗୁପ୍ତା କ’ଣ ସରକାରୀ କାମ କିପରି ପରିଚାଳନା କରିବେ ତାହା ଜାଣନ୍ତି ନାହିଁ? ଏହି କାରଣରୁ କ’ଣ ଦିଲ୍ଲୀରେ ପ୍ରତିଦିନ ଲମ୍ବା ବିଦ୍ୟୁତ୍ କାଟ୍ ହେଉଛି? ରେଖା କ’ଣ ବିଦ୍ୟୁତ୍ କମ୍ପାନୀଗୁଡ଼ିକୁ ପରିଚାଳନା କରିପାରିବେ ନାହିଁ? ସେ କ’ଣ ଶିକ୍ଷା ବିଭାଗକୁ ପରିଚାଳନା କରିପାରିବେ ନାହିଁ? ଏଭଳି ଅନେକ ପ୍ରଶ୍ନ କରି ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ଆକ୍ଷେପ କରିଛନ୍ତି ଆତିଶୀ ।

ଯାହାର କଡା ଜବାବ ରଖିଛି ବିଜେପି । ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ ଆତିଶୀଙ୍କ ଏଭଳି ସବୁ ପ୍ରଶ୍ନ ଅପମାନଜନକ ବୋଲି କହିଥିଲେ । ରେଖା ଗୁପ୍ତାଙ୍କ ରାଜନୈତିକ ଯାତ୍ରାକୁ ସମର୍ଥନ କରି ସଚଦେବ କହିଛନ୍ତି, ଆତିଶୀ ନିଜେ ଜଣେ ମହିଳା ହୋଇ ଅନ୍ୟ ଜଣେ ମହିଳା ନେତାଙ୍କୁ ଅପମାନିତ କରୁଛନ୍ତି, ଏହା ଆଶ୍ଚର୍ଯ୍ୟଜନକ । ରେଖା ଗୁପ୍ତା ଡିୟୁଏସୟୁ ସଚିବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ତାଙ୍କ ସ୍ୱାମୀ ତାଙ୍କୁ ସମର୍ଥନ କରିବା ବେଆଇନ କିମ୍ବା ଅନୈତିକ ନୁହେଁ । ଏଥିସହିତ କେଜ୍ରିଓ୍ବାଲଙ୍କ ପତ୍ନୀଙ୍କ ଉଦାହରଣ ଦେିଛନ୍ତି ସଚଦେବ । କହିଛନ୍ତି, ଯେମିତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫ ପରେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ, ଏହା କ’ଣ ଗଣତନ୍ତ୍ରର ଅପମାନ ନଥିଲା? ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ ।

Comments are closed.