ଆତ୍ମଶିକାର
କିଶୋର ପାଣିଗ୍ରାହୀ
ଏତେ କୋଳାହଳ ଭିତରେ
ଆଉ କୋଉ ଶବ୍ଦଙ୍କର ବାକିରହିଗଲା ଆବାହନ,
ଆଗମନ, ପୁନରାଗମନ
ଆଚମନ, ପୁନରାଚମନ?
ଚତୁର୍ଦିଗରେ
ଏତେ ଶବ୍ଦରେ କଣ
ଯଥେଷ୍ଟ ହୋଇଲାନାଇଁ ପ୍ରଦୂଷଣ,
ନା ପୁଷ୍ଟ ହୋଇପାରିଲା ନାଇଁ କବିତା-କର୍ଷଣ?
ଲୋଡ଼ା ନାହିଁ ଆଉ ଏତେ
ଶବ୍ଦର ମିଶାଣଫେଡ଼ାଣ ।
ଶବ୍ଦର ଦୁଇ ଓଠ ମଝିରେ
ବେଶ୍ ଭଲ ନିରବତାର ବିଶ୍ୱରୂପ
ବେଶ୍ ଭଲ ।
ଶବ୍ଦଟିଏ ପାଇଁ
କେତେ ନ ହେଇଚି ଏ ଛାତି ଲୁହୁଲୁହାଣ!
ଶବ୍ଦଟିଏ ମାୟାରେ ମାରିଚ ହୁଏ
ଧରୁଧରୁ ଖସିଯାଉଥାଏ
ଶରବିଦ୍ଧ ନ ହେବାଯାଏ
ତାର ବି ମୁକ୍ତି ନଥାଏ,
ଯେମିତି-
ଅସ୍ଥିରକାଣ୍ଡ ଓ କୋଦଣ୍ଡ,
ଭୂମିସାତ୍ ନକରିବାଯାଏ
ନଥାଏ ଶିକାରୀର ପରିତ୍ରାଣ ।
ଶବ୍ଦଟିଏ ଖଂଜୁଖଂଜୁ
ନିଜ ଭିତରେ ନିଜର ମାୟାବିସ୍ତାର
ମାୟାରୁ ମୁକ୍ତି ଖୋଜୁଖୋଜୁ ଏ ମୃଗୟା
କବିର ତ ଆତ୍ମଶିକାର ।
ଯେଉଁ ଶିକାରରେ କ୍ଷରିତ ହେଲାନାହିଁ ରକ୍ତ,
ଯେଉଁ ଶିକାରରେ
ଦରଜ ଚରିଲା ନାହିଁ ନଖ ଓ ଦାନ୍ତରେ
ସେତ ଆଉ କାହାର ପରିତ୍ୟକ୍ତ ।
ଏମିତି ଶବ୍ଦଙ୍କ ଭୋକରେ ବରଂ ଚିରକାଳ
ମରୁଥିବା ଭଲ
ବାରବାର
ଦରକାର ନାହିଁ ଏତେ ଶବ୍ଦର କୋଳାହଳ ।
……………….
ଇଂରାଜୀବିଭାଗ, ଆଇ.ଜି.ଏମ୍. କଲେଜ
ଧୁଷୁରୀ, ଭଦ୍ରକ
Comments are closed.