ଭୁବନେଶ୍ବର: ଯାଜପୁର ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗା ରୁଜା ଓ ସମର୍ଥକଙ୍କ ଉପରେ ଆକ୍ରମଣ ଘଟଣା । ଏହାକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ କରି ଦୋଷୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ।
ନିଜ ପୋଷ୍ଟରେ ବିରୋଧୀ ଦଳ ନେତା ଲେଖିଛନ୍ତି ଯେ, ଦିନ ଦ୍ବିପହରରେ ଏହି ଘଟଣା ଘଟିଥିଲେ ବି ପୋଲିସ ପ୍ରଶାସନ ତଥା ସରକାର ନିରବଦ୍ରଷ୍ଟା ସାଜିବା ଏବଂ ଏପର୍ଯ୍ୟନ୍ତ କାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ରାଜ୍ୟରେ ଅରାଜକତା ଓ ଗୁଣ୍ଡାରାଜକୁ ପ୍ରସୟ ଦେଇ ବିଜେପି ସରକାର କ’ଣ ଦର୍ଶାଇବାକୁ ଚାହୁଁଛନ୍ତି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଏହା ସହ ଶାନ୍ତିପ୍ରିୟ ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ । ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ନବୀନ ପଟ୍ଟନାୟକ ।

ଅନ୍ୟପଟେ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ସମର୍ଥକମାନେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଗିରଫ ଦାବିରେ ଭୁବନେଶ୍ୱର କମିଶନରେଟ୍ ପୋଲିସ ମୁଖ୍ୟାଳୟ ଆଗରେ ରାତି ସାରା ଧାରଣାରେ ବସିଥିଲେ । ପ୍ରଣବ କହିଥିଲେ, ଧର୍ମଶାଳାରେ ସ୍ଥାନୀୟ ବିଧାୟକ ଅରାଜକତା ସୃଷ୍ଟି କରିଛନ୍ତି । ପୂର୍ବରୁ ମୋତେ ଓ ମୋ ସମର୍ଥକମାନଙ୍କୁ ଆକ୍ରମଣ କରାଯାଇଥିଲା । ଆଜି ସେମାନେ ଘରେ ପଶି ମୋ ସମର୍ଥକମାନଙ୍କୁ ଆକ୍ରମଣ କରିଛନ୍ତି । ଜିଲ୍ଲା ପୋଲିସ ଉପରେ ଆମର ଭରସା ନାହିଁ । ସେଥିପାଇଁ ଡିଜିଙ୍କୁ ଭେଟିବାକୁ ଆସିଛୁ । ଯେ ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯିବ ଆମେ ଏହି ଧାରଣା ଜାରି ରଖିବୁ ।