Latest Odisha News

‘ଟ୍ରେଜେରୀରେ ଅଛି ଚାବି, ଦିନ ୧ଟା ୨୮ରେ ଖୋଲିବ ରତ୍ନ ଭଣ୍ଡାର’

ପୁରୀ: ଖୋଲିବ ରତ୍ନ ଭଣ୍ଡାର । ଏହା ପୂର୍ବରୁ ସରିଛି ରତ୍ନ ଭଣ୍ଡାର ଯାଞ୍ଚ କମିଟି ବୈଠକ । ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇସାରିଛି । ଏବେ ଖାଲି ଖୋଲିବାକୁ ଅପେକ୍ଷା । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ।

ଏନେଇ ବିଶ୍ବନାଥ କହିଛନ୍ତି, ବୈଠକରେ ଦିନ ୧ଟା ୨୮ ଶୁଭ ମୁହୂର୍ତ୍ତ ଥିବାରୁ ଏହି ସମୟରେ ରତ୍ନଭଣ୍ଡାର ଖୋଲିବା ପାଇଁ ଧାର୍ଯ୍ୟ କରାଯାଇଛି । ଏହା ସହିତ ରତ୍ନଭଣ୍ଡାର ଚାବି ଟ୍ରେଜେରୀରେ ଅଛି, ଏହାକୁ ଟ୍ରେଜେରୀରୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାବି ଆସିବା ପରେ ୧ଟା ୨୮ ସୁଦ୍ଧା ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ ।

ସେପଟେ ଏହାକୁ ନେଇ ମୁଖ୍ୟ ପ୍ରଶାସକ କହିଛନ୍ତି, ବାହାର ରତ୍ନଭଣ୍ଡାରର ସମସ୍ତ ଚାବି ଅଛି । ଭିତର ରତ୍ନଭଣ୍ଡାର ପାଇଁ ଯେଉଁ ଚାବି ଅଛି ସେଥିରେ ଯଦି ନଖୋଲେ, ତାହାଲେ ଏସଓପି ଅନୁସାରେ କାର୍ଯ୍ୟ ଆଗକୁ ବଢାଯିବ ବୋଲି ସେ କହିଛନ୍ତି । ଏଥିସହିତ ଆଜି ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ନାହିଁ  । କେବଳ ରତ୍ନଭଣ୍ଡାର ଭିତରର ଯାଞ୍ଚ କରାଯିବ । ଏହାର ଅବସ୍ଥା କିପରି ଅଛି, କେମିତି କ’ଣ ଏହା ଉପରେ କାର୍ଯ୍ୟ କରାଯିବ ସେନେଇ ତଦନ୍ତ କରାଯିବ । ଭିତରେ ଯାହା ବି ସବୁ କରାଯିବ ସବୁ କିଛିର ଭିଡିଓଗ୍ରାଫି ପ୍ରମାଣ ରହିବ  । ଯାହା ବି କମିଟିର ନିର୍ଦ୍ଦେଶ ରହିଛି ସେହି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ ।

ଏହା ସହିତ ସେ ଏହା ବି କହିଛନ୍ତି, ଯେହେତୁ ଭିତର ରତ୍ନଭଣ୍ଡାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ, ତେଣୁ ଭିତର ରତ୍ନଭଣ୍ଡାର ମରାମତି ପରେ ହିଁ ଗଣତି କାମ ଆରମ୍ଭ ହେବ । ଆଜି କେବଳ ଭିତର ବାହାର ଚାବି ଖୋଲାଯାଇ ଅଳଙ୍କାରର ସିଫ୍ଟିଂ ହେବ । ଏଥିପାଇଁ ଅସ୍ଥାୟୀ ୬ଟି ସିନ୍ଦୁକ ବି ଆସିଛି । ଏହା ମଧ୍ୟକୁ ସମସ୍ତ ଅଳଙ୍କାର ସିଫ୍ଟ କରାଯାଇ ପ୍ରଥମେ ମରାମତି କାର୍ଯ୍ୟ କରାଯିବ । ଏହା ପରେ ଗଣତି କାର୍ଯ୍ୟ ଆରମ୍ଭ ହେବ ।

Comments are closed.