Latest Odisha News

BREAKING NEWS

ଦିନିକିଆ ପରେ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ବେନୋନି: ଦିନିକିଆ ବିଶ୍ୱକପ କ୍ରିକେଟ ପରେ ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଭାରତକୁ ୭୯ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଟାଇଟଲ ହାସଲ କରିଛି । ୨୫୪ ରନର ରେକର୍ଡ ଟାର୍ଗେଟକୁ ପିଛା କରି ଭାରତ ୪୩.୫ ଓଭରରେ ୧୭୪ ରନ କରିବାକୁ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ବୋଲିଂ ବାହିନୀ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ହାର ମାନିଥିଲେ । ଆଦର୍ଶ ସିଂ ଦଳ ପକ୍ଷରୁ ସର୍ବାଧିକ ୪୭ ରନ କରିଥିବା ବେଳେ ମୁଶୀର ଖାଁ ୨୨ ରନ କରିଥିଲେ । ଆଶୀଷ କୁଲକର୍ଣ୍ଣି (୩), ଉଦୟ ସହାରନ(୮), ସଚିନ ଢ଼ାସ(୯), ପ୍ରିୟାଂଶୁ ମୋଲିୟା(୯) ରନ କରିବାକୁ ସକ୍ଷମ ହୋଇଥିଲେ । ମୁରୁଗାନ ଅଭିଷେକ ଶେଷ ଭାଗରେ ୪୨ ରନ କରି ଦଳର ସମ୍ମାନ ରଖିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ମାହିଲ ବିୟର୍ଡମ୍ୟାନ ୩ଟି, ର‌୍ୟାଫ ମ୍ୟାକମିଲାନ ୩ଟି ଓ କାଲୁମ ଭିଡେଲର ୨ଟି ୱିକେଟ ଅକ୍ତିଆର କରିଥିଲେ । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ ବିନିମୟରେ ୨୫୩ ରନ କରିଥିଲା । ବିଶ୍ୱକପ ଫାଇନାଲରେ ଏହା ସର୍ବୋଚ୍ଚ ସ୍କୋର । ହ୍ୟାରୀ ଡିକ୍ସନ ୪୨, ହ୍ୟୁଜ ୱେବେଗେନ ୪୮, ହରଜାସ ସିଂ ୫୫ ରନ କରିଥିବା ବେଳେ ଓଲିଭର ପିକ ୪୬ ରନ କରି ନଟଆଉଟ ରହିଥିଲେ । ଭାରତ ପକ୍ଷରୁ ରାଜ ଲିମ୍ବାନୀ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନମନ ତିୱାରୀ ୨ଟି ଏବଂ ସୌମ୍ୟ ପାଣ୍ଡେ ଓ ମୁଶୀର ଖାଁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Leave A Reply

Your email address will not be published.