Latest Odisha News

BREAKING NEWS

‘୧୦୦ କ୍ୟୁବ୍ ଷ୍ଟାର୍ଟଅପ’ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଇଆଇଟି ଭୁବନେଶ୍ୱର ଗବେଷଣା ଓ ଉଦ୍ୟମିତା ପାର୍କରେ ‘୧୦୦ କ୍ୟୁବ୍ ଷ୍ଟାର୍ଟଅପ’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ଯୁବପିଢିଙ୍କ ମାଧ୍ୟମରେ ନବସୃଜନରୁ ନିବଉଦ୍ୟୋଗ ପ୍ରତିଷ୍ଠା କରିବା ଏହାର ଉଦ୍ଦେଶ୍ୟ। ଏହି ମହତ୍ୱକାଂକ୍ଷୀ ଷ୍ଟାର୍ଟଅପ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ସେ କହିଛନ୍ତି ଯେ ଆଜି ଏକ ଐତିହାସିକ ଦିନ । ଆମେ ନୂଆ କୋଣାର୍କ ମନ୍ଦିର ଭଳି ଆଇଆଇଟି ଭୁବନେଶ୍ବରର ଗବେଷଣା ଏବଂ ଉଦ୍ୟମିତା ପାର୍କର ଶୁଭାରମ୍ଭ କରିଛନ୍ତି ।

୨୦୩୬ ସୁଦ୍ଧା ଓଡ଼ିଶା ଭାଷା ଭିଭିରେ ସ୍ବତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ । ଏହି ସମୟ ସୁଦ୍ଧା ଏହି ପାର୍କରେ ହାରାହାରି ୧୦୦ କୋଟି ଟଙ୍କା ଲେଖାଁଏ ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଣାଳୟ ୧୩୦ କୋଟି ଟଙ୍କା ସହାୟତାରେ ଉକ୍ତ ପାର୍କକୁ ଆସନ୍ତା ୨ ବର୍ଷ ମଧ୍ୟରେ ୨୦ହଜାର ବର୍ଗଫୁଟରୁ ୮୦ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ । ଇନୋଭେସନ ଓଡ଼ିଆ ପିଲାଙ୍କ ଡିଏନଏରେ ଅଛି ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭାରତ, ଶ୍ରେଷ୍ଠ ଭାରତର କଳ୍ପନା କରିଛନ୍ତି । ଆଜି ଷ୍ଟାର୍ଟଅପ୍ ସଂଖ୍ୟା ଦେଶରେ ୧ ଲକ୍ଷ ୨୦ ହଜାରରେ ପହଞ୍ଚିଛି । ଦେଶରେ ମହିଳା ନେତୃତ୍ବ ବିକାଶ ହେଉଛି । ଓଡ଼ିଆ ପିଲାଙ୍କ ନବସୃଜନକୁ ଦେଖ‌ିଲେ ମୋର ଉତ୍ସାହ ଶହେ ଗୁଣା ବୃଦ୍ଧି ପାଇଛି । ପୁରୀ ଅଞ୍ଚଳର ପିଲାମାନେ ନଡିଆ ଖୋଳପାରୁ ପେଟ୍ରୋକେମିକାଲ ବିକଳ୍ପ ଉତ୍ପାଦ ବାହାର କରୁଛନ୍ତି, ଏହା ହିଁ ବଡ ପ୍ରେରଣା ।

ଯେତେବେଳେ ଓଡ଼ିଶା ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ କରିବ, ୧୦୦ ଜଣ ଉଦ୍ୟମୀ ବାହାରିବେ । ଓଡ଼ିଶାର ଭୂମିରୁ ଆଇଡିଆକୁ ବିକଶିତ କରି ଷ୍ଟାର୍ଟଅପ ପରିସଂସ୍ଥାନକୁ ମଜଭୂତ କରିବାକୁ ହେବ । ଓଡ଼ିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗୀ ହେବା ପାଇଁ ବଡ ଭାଇର ଦାୟିତ୍ଵ ନିର୍ବାହ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ଉଦ୍ୟୋଗୀ ସମାଜକୁ ଆହ୍ଵାନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆନୁଷ୍ଠାନିକ ଭାବରେ ଆଇଆଇଟି ଭୁବନେଶ୍ବରର ୧୫୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ୪୫୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ସ୍ଥାପନ କରିଛନ୍ତି ।୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ ପଦକ୍ଷେପ ଓଡ଼ିଶାକୁ ଶିଳ୍ପର ପେଣ୍ଠସ୍ଥଳୀ ଭାବରେ ପ୍ରତିଷ୍ଠା କରିବ । ଦେଶରେ ଷ୍ଟାର୍ଟ-ଅପ୍ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଦିଗରେ ଆଇଆଇଟି ଭୁବନେଶ୍ବରର ଯାତ୍ରାରେ ଏହା ଏକ ମହତ୍ଵପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ଏହି ଉଦଘାଟନୀ ଉତ୍ସବରେ ଆଇଆଇଟିର ଗବେଷଣା ପାର୍କର ଅଧ୍ୟାପକ ମୁଖ୍ୟ, ଶିଳ୍ପପତି ଓ ପୁଞ୍ଜିପତିଙ୍କ ଦ୍ବାରା ଅଧ୍ୟାପକ ଓ ଷ୍ଟାର୍ଟଅପ୍ ମାନଙ୍କ ମଧ୍ୟରେ ଏକ ବୈଷୟିକ କର୍ମଶାଳା ଅନୁଷ୍ଠିତ ହେଇଥିଲା । ୧୦୦ଟି କ୍ୟୁବ୍ ଷ୍ଟାର୍ଟଅପ୍ ଲକ୍ଷ୍ୟ ହାସଲ କରିବା ଲକ୍ଷ୍ୟରେ ପ୍ରାୟ ୨୦ଟି ଶିଳ୍ପସଂସ୍ଥା, ୩୦ଟି ଷ୍ଟାର୍ଟଅପ୍ ଏବଂ ୩୦ଟି ପୁଞ୍ଜିନିବେଶକାରୀଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏହି ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମରେ ଦେଶ ବିଦେଶର ଷ୍ଟାର୍ଟଅପ୍ ସମୂହର ବ୍ୟକ୍ତିବିଶେଷ, ୟୁଏସଏ, ୟୁକେ, ୟୁଏଇ, ଅଷ୍ଟ୍ରେଲିଆ, ଫିନଲ୍ୟାଣ୍ଡ, କେନିଆ, ଓମାନ ସମେତ ବିଭିନ୍ନ ଦେଶର ପ୍ରତିନିଧି , ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି, ଆଇଆଇଟି ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଆଇଆଇଟି ଭୁବନେଶ୍ବର ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା ।

Leave A Reply

Your email address will not be published.