Latest Odisha News

ଉତ୍ସବ ମୁଖର ଅଯୋଧ୍ୟା ନଗର; ଆଜି ଶ୍ରୀରାମ ମନ୍ଦିର ଭୂମିପୂଜନ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଆଜି ହେବ ଭୂମି ପୂଜନ । ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୧୭୫ ଜଣ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବ ମୁଖର ହୋଇ ଉଠିଛି ଅଯୋଧ୍ୟା ।

ଆଜି ସକାଳ ୮ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ଅତିଥିମାନେ ୧୦ଟା ୩୦ ସୁଦ୍ଧା ନିଜ ଆସନ ଗ୍ରହଣ କରିବେ ।  ଦିନ ୨ଟାରେ କାର୍ଯ୍ୟକ୍ରମ ଶେଷ ହେବ । ଭୂମି ପୂଜନ ପାଇଁ ଶୁଭ ମୁହୂର୍ତ୍ତ ରହିଛି ଦିନ ୧୨ଟା ୧୫ ।

ପ୍ରଭୁ ରାମଙ୍କ ଜନ୍ମସ୍ଥାନରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ କରାଯିବ । ଯେଉଁଥିପାଇଁ ଦେଶର ଭିନ୍ନଭିନ୍ନ ସ୍ଥାନରୁ ପବିତ୍ର ନଦୀ ଜଳ ଓ ତୀର୍ଥ ସ୍ଥାନରୁ ମାଟି ସଂଗ୍ରହ ମଧ୍ୟ କରାଯାଇଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଚାରିଆଡ ସୁନ୍ଦର ଆଲୋକମାଳାରେ ସଜ୍ଜା ଯାଇଛି । ଏ ଭିତରେ କୋଭିଡ ନିୟମର କିପରି ପାଳନ କରାଯିବ ସେ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି ।

ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଅଯୋଧ୍ୟା ନଗରୀ । ଚାରିଆଡେ ନାକାବନ୍ଦୀ । ସୁରକ୍ଷା କଡ଼ାକଡ଼ି । ବ୍ଲକିଂ ଓ ଚେକିଂ ଜୋରଦାର କରାଯାଇଛି।

ମନ୍ଦିର ନିର୍ମାଣ ସ୍ଥଳରେ ପଇଁତରା ମାରୁଛନ୍ତି ଏନଏସଜି କମାଣ୍ଡୋ । ପାଖାପାଖି ୪୦୦୦ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ୭୫ ଚେକ୍ ପୋଷ୍ଟ କରାଯାଇଛି । ସୋମବାର ରାତିରୁ ସିଲ୍ ହୋଇଛି ଅଯୋଧ୍ୟା ଜିଲ୍ଲା ସୀମା ।

ଅଯୋଧ୍ୟା ଜମି ବିବାଦ ମାମଲାର ମୁଖ୍ୟ ଆବେଦନକାରୀ ଇକବଲ ଅନସାରୀ ଓ ମହମ୍ମଦ ୟୁନୁସଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତେବେ ରାମ ମନ୍ଦିର ଆନ୍ଦୋଳନର ମୁଖ୍ୟ ପୁରୋଧା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେବେ ।

Leave A Reply

Your email address will not be published.