Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଦଶହରା ଓ ଆୟୁଧ ପୂଜା ନୀତି ପାଳିତ

ଭୁବନେଶ୍ୱର: ଆଶ୍ୱିନ ଶୁକ୍ଳ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୋଇଛି। ସୋମବାର ସକାଳ ୭.୩୫ରେ ଅବକାଶ ବଢିବା ପରେ ସକାଳ ୭.୫୦ରେ ସର୍ବାଙ୍ଗ ଚନ୍ଦନ ଲାଗି ଏବଂ ନୂଆଲୁଗା ଲାଗି ହୋଇଥିଲା।

ଏହା ଛଡ଼ା ୩୨ ମୂର୍ତି ତଡାଉ ଦ୍ୱାରା ଶ୍ରୀଜୀଉ ମାନଙ୍କର ରାଜବେଶ (ସୁନାବେଶ) ସକାଳ ୯.୨୫ ରେ ହୋଇଥିଲା। ଯେଉଁଥିରେ ୫ ଖଣ୍ଡ ଆଜ୍ଞା ମାଳ ଲାଗି ହୋଇଥିଲା।

ପରବର୍ତ୍ତୀ ସମୟରେ ସକାଳ ୧୦ ଟାରେ ଗୋପାଳବଲ୍ଲଭ, ୧୦.୩୦ ରେ ସକାଳଧୂପ, ଭଣ୍ଡାର ଦୁଆର ଠାରେ ପୂଜାରେ ବସିଥିବା ଆୟୁଧ ମାନଙ୍କୁ ମହାସ୍ନାନ କରାଯାଇଥିଲା।

ଆହୁରି ମଧ୍ୟ ବରୁଣ ପୂଜା ପରେ ୬ ଜଣ ମେକାପ ୩ଟି ରୁପା ଥାଳିରେ ଆୟୁଧ ମାନଙ୍କୁ ନେଇ ଘଣ୍ଟ, ଛତା, କାହାଳୀ ପଟୁଆରରେ ମନ୍ଦିର ମଧ୍ୟରେ ଯାଇ ୩ ବେଢ଼ା ପରିକ୍ରମା କରାଯାଇଥିଲା। ଯାହାପରେ ଭିତର ସିଂହାସନକୁ ଆୟୁଧ ମାନଙ୍କୁ ବିଜେ କରିଥିଲେ । ପାଳିଆ ପୁଷ୍ପାଳକ ଆୟୁଧ ଲାଗି କରିଥିଲେ ।

ପରେ ବଡ ବାଡ଼ରେ ହଳ ମୂଷଳ, ମଝି ବାଡ଼ରେ ତଡଗୀ, ମହାପ୍ରଭୁଙ୍କ ବାଡ଼ରେ ଶଙ୍ଖ, ଚକ୍ର ଲାଗି କରିଥିଲେ। ସେପଟେ ଦକ୍ଷିଣୀ ଘରେ ମଦନମୋହନ, ରାମକୃଷ୍ଣ ବୀର ବେଶ ହୋଇ ସିଂହାସନକୁ ବିଜେ କରିଥିଲେ ।

ସେଠାରେ ମଙ୍ଗଳାର୍ପଣ ୧.୩୦ରେ ବଢିଲା ପରେ ଆଜ୍ଞା ମାଳ ପାଇ ପାଞ୍ଚ ଠାକୁର ପାଲିଙ୍କି, ରଥ ଓ ବିମାନକୁ ୧.୪୦ରେ ବିଜେ କରିଥିଲେ।ପାଲିଙ୍କିରେ ରାମ କୃଷ୍ଣ, ରଥରେ ଦୁର୍ଗା ମାଧବ ଓ ବିମାନରେ ମଦନମୋହନ ବିଜେ ହୋଇ ଘଣ୍ଟ , ଛତା , କାହାଳୀ ବଜନ୍ତୀ ପଟୁଆର ରେ ସିଂହଦ୍ୱାର ଦେଇ ମହାଖଳାକୁ (ଶ୍ରୀଜଗନ୍ନାଥ ବଲ୍ଲବ ମଠ) ୨.୪୫ରେ ବିଜେ କରିଥିଲେ।

ସେଠାରେ ପ୍ରସାଦ ଲାଗି, ଭୋଗ ବନ୍ଦାପନା ପରେ ଅପରାହ୍ନ ୪.୧୫ରେ ବାହୁଡା ବିଜେ ହୋଇ ମାଧବ ସିଂହାସନକୁ , ଦୁର୍ଗା ଭଣ୍ଡାରକୁ, ରାମକୃଷ୍ଣ, ମଦନମୋହନ ଦକ୍ଷିଣ ଘରକୁ ବାହୁଡା ବିଜେ କରିଥିଲେ । ଏହା ପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥିଲା।

 

Leave A Reply

Your email address will not be published.