Latest Odisha News

BREAKING NEWS

ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଶୁଭାରମ୍ଭ

ଭୁବନେଶ୍ବର: ଆଜି ଠାରୁ ଓଡ଼ିଶାରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ଶ୍ରୀ ନଡ୍ଡା ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ ଲୋକାର୍ପଣ କରିଛନ୍ତି । ରାଜ୍ୟରେ ୧.୦୩ କୋଟିରୁ ଊର୍ଦ୍ଧ୍ବ ପରିବାରର ୩.୪୬ କୋଟି ଲୋକଙ୍କ ପାଇଁ ଏହି ଯୋଜନା ସମର୍ପିତ । ଆୟୁଷ୍ମାନ ଭାରତରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ଦେଶର ୨୯୦୦୦ ହସ୍ପିଟାଲରେ ରୋଗୀ ଚିକିତ୍ସା ସୁବିଧା ପାଇବେ ।

ସୂଚନାଯୋଗ୍ୟ, ଜାନୁଆରୀ ୧୩ରେ ଦିଲ୍ଲୀରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସି ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଥିଲା । ଏହି ଯୋଜନାରେ ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ମହିଳାଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ବ୍ୟବସ୍ଥା ରହିଛି । ଏଥିରେ ରାଜ୍ୟର ଏକ କୋଟିରୁ ଅଧିକ ପରିବାରର ୩ କୋଟି ୫୦ ଲକ୍ଷ ଲୋକ ଉପକୃତ ହେବେ । ଦେଶର ୨୯ ହଜାରରୁ ଅଧିକ ସରକାରୀ ଓ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ ।

Comments are closed.