Latest Odisha News

BREAKING NEWS

ଏବେ କ’ଣ କରୁଛନ୍ତି ଦେଶର ପ୍ରଥମ ରାପ୍‌ର ବାବା ସେହଗଲ୍‌ ?

ନୂଆଦିଲ୍ଲୀ: ବିଗତ ଏକ ଦଶନ୍ଧି ମଧ୍ୟରେ ବଲିଉଡ ଚଳଚ୍ଚିତ୍ର ଜଗତରେ ଅନେକ ରାପ୍‌ ଗୀତର ଚାହିଦା ଅଧିକ ଦେଖିବାକୁ ମିଳିଛି। ଏଇ ଯେମିତି ବଲଉଡ୍‌ ଅଭିନେତା ରଣବୀର ସିଂଙ୍କ ଅଭିନୀତ ଚଳଚ୍ଚିତ୍ର ଗୁଲି ବଏ ରିଲିଜ୍ ହେବା ପରଠାରୁ ରାପର୍ ଏବଂ ରାପ୍ ଗୀତର ଲୋକପ୍ରିୟତା ବଢିବାରେ ଲାଗିଛି। ତେବେ ସମ୍ପ୍ରତି ହିନ୍ଦୀରେ ପ୍ରଥମ ରାପ୍ ଗୀତ ଗାଇଥିବା ଗାୟକ ଏବେ କେଉଁଠି ଆପଣ ଜାଣନ୍ତି କି?।  ଗାୟକଙ୍କ ନାମ ବାବା ସେହଗାଲ। ଆଜି ତାଙ୍କର ୫୫ ତମ ଜନ୍ମଦିନ।

୯୦ ଦଶକରେ ଯେତେବେଳେ ଉଦିତ ନାରାୟଣ, କୁମାର ସାନୁ, ଲତା ମଙ୍ଗେଶକର ଏବଂ ଅଲକା ୟାଗନିକଙ୍କ ପରି ଉତ୍କୃଷ୍ଟ ଗାୟକଙ୍କ ଯୁଗ ଥିଲା ସେତେବେଳେ ବାବା ସେହଗଲ ରାପ୍‌ ଗୀତ ତିଆରି କରି ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ବିପ୍ଳବ ଆଣିଥିଲେ। ସେ ରାପର ଏକ ଭିନ୍ନ ଧାରା ସୃଷ୍ଟି କରିଥିଲେ।  କିନ୍ତୁ ବଢୁଥିବା ଏହି ଧାରା ଧୀରେ ଧୀରେ ସମୟ ସହିତ ଅଟକି ଯାଇଥିଲା। କିନ୍ତୁ ବାବା ସେହଗଲ ରାପ୍‌ ଗାଇବା ଛାଡି ନଥିଲେ ଏବଂ ଏବେ ବି ସେ ରାପ୍‌ ଗୀତ ଗାଉଛନ୍ତି। ସେ କରୋନା ଉପରେ ଏକ ରାପ୍‌ ମଧ୍ୟ କରିଥିଲେ ଯାହା ବେଶ୍‌ ଚର୍ଚ୍ଚା ସାଉଁଟିଥିଲା। ସେ ଟ୍ରେଣ୍ଡିଂ ପ୍ରସଙ୍ଗକୁ ନେଇ ରାପ୍ କରିବାକୁ ଅଧିକ ପସନ୍ଦ କରନ୍ତି। ଉଲ୍ଲେଖଥାଉ କି, ସେ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ଏବଂ ଅନେକ ବିଜ୍ଞାପନର ଅଂଶ ମଧ୍ୟ ରହିଛନ୍ତି।

ବାବା ସେହଗଲ ୧୯୯୦ ମସିହାରେ ‘ଦିଲରୁବା’ ନାମକ ଏକ ଆଲବମ ବାହାର କରିଥିଲେ। ଏହା ତାଙ୍କର ପ୍ରଥମ ଆଲବମ୍ ଥିଲା। ଏହା ପରେ ତାଙ୍କ ଆଲବମ୍ ଅଲିବାବା ରିଲିଜ୍‌ ହୋଇଥିଲା। ୧୯୯୨ରେ ଆସିଥିବା ଏକ ଆଲବମ୍ ‘ଥଣ୍ଡା ଥଣ୍ଡା ପାନି’ରୁ ସେ ଅଧିକ ଲୋକପ୍ରିୟ ହୋଇଥିଲେ। ଏହାପରେ ବାବାଙ୍କ ଲୋକପ୍ରିୟତା ବଢିବାକୁ ଲାଗିଲା। ବାବା ବଲିଉଡ ସମେତ ଅନେକ ଭାଷାରେ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ମିସ୍ ୪୨୦, ‘ମାଏ୍‌ ଫ୍ରେଣ୍ଡ୍‌ ଗଣେଶା ୩’ ଏବଂ ହେଲିକୋପ୍ଟର ଇଲା ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ବିଗ୍ ବସ୍ ର ପ୍ରଥମ ସିଜିନର ପ୍ରତିଯୋଗୀ ଭାବରେ ମଧ୍ୟ ଜଣାଶୁଣା। ବାବା ଆଜି ଲୋକପ୍ରିୟ ୟୁଟ୍ୟୁବର୍ ମଧ୍ୟରୁ ଅନ୍ୟତମ।

Leave A Reply

Your email address will not be published.