ଧର୍ମଶାଳା: ବାବୁଙ୍କ ହୋଲି ପାର୍ଟି । ତା’ ପୁଣି ସରକାରୀ ପଇସାରେ । ଯାହାର ବିଲ୍ ଦେଖିଲେ ଆପଣ ବି ହେବେ ତାଜୁବ । ହିମାଚଳ ପ୍ରଦେଶର ମୁଖ୍ୟ ସଚିବ ପ୍ରବୋଧ ସାକ୍ସେନାଙ୍କ ଦ୍ୱାରା ଆୟୋଜିତ ଏକ ହୋଲି ଉତ୍ସବ ଏବେ ରାଜ୍ୟରେ ବିବାଦର କେନ୍ଦ୍ରବିନ୍ଦୁ ହୋଇଛି। ଶିମଲାର ହିମାଚଳ ଟୁରିଜମ ପରିଚାଳିତ ହୋଟେଲ ହଲିଡେ ହୋମ୍ରେ ଆୟୋଜିତ ଏହି ପାର୍ଟିର ମୋଟ ବିଲ୍ ୧.୨୨ ଲକ୍ଷ ଟଙ୍କା ହୋଇଛି । ଏହାକୁ ସରକାରୀ ତହବିଲରୁ ପରିଶୋଧ କରିବାକୁ କୁହାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି।
ମାର୍ଚ୍ଚ ୩୧ରେ ଅବସର ନେବାର ଥିବା ମୁଖ୍ୟ ସଚିବ ପ୍ରବୋଧ ସାକ୍ସେନାଙ୍କୁ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ଛଅ ମାସର ଅତିରିକ୍ତ କାର୍ଯ୍ୟକାଳ ପ୍ରଦାନ କରାଯାଇଛି। ମାର୍ଚ୍ଚ ୧୪ରେ ହୋଲି ଅବସରରେ ଆୟୋଜିତ ଏହି ପାର୍ଟିରେ ପ୍ରାୟ ୭୫ ଜଣ ଅତିଥି, ଯେଉଁମାନେ ଆଇଏଏସ୍ ଅଧିକାରୀ, ସେମାନଙ୍କ ପତ୍ନୀ ଓ ପିଲାମାନେ ସାମିଲ ହୋଇଥିଲେ। ଅତିଥିଙ୍କ ପାଇଁ ଜଣ ପିଛା ପ୍ରତି ପ୍ଲେଟର ମୂଲ୍ୟ ୧ ହଜାର ଟଙ୍କା ହିସାବରେ ମୋଟ ୭୫ ହଜାର ଟଙ୍କା ହୋଇଥିଲା। ଏହା ସହିତ ୨୨ ଜଣ ଡ୍ରାଇଭରଙ୍କ ପାଇଁ ଜଣ ପିଛା ୫୮୫ ଟଙ୍କା ହିସାବରେ ୧୨ ହଜାର ୮୭୦ ଟଙ୍କା ଏବଂ ଟ୍ୟାକ୍ସି ଭଡ଼ା ବାବଦକୁ ୧୧ ହଜାର ୮୦୦ ଟଙ୍କା ଯୋଡ଼ାଯାଇ ମୋଟ ବିଲ୍ ୧ ଲକ୍ଷ ୨୨ ହଜାର ୨୦ ଟଙ୍କାରେ ପହଞ୍ଚିଛି।
ହୋଟେଲ ପରିଚାଳନା ଏହି ବିଲ୍କୁ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟକୁ ପଠାଇଥିଲା, ଯାହାକୁ ପରେ ହିମାଚଳ ପ୍ରଦେଶ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (ଜିଏଡି)କୁ ପଠାଯାଇଥିବା ଅଭିଯୋଗ ହୋଇଛି। ଏହି ବିଲ୍ର ଏକ ନକଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାଧାରଣ ଜନତା, ପୂର୍ବତନ ଅଧିକାରୀ ଏବଂ ବିରୋଧୀ ଦଳ ବିଜେପି ଏହାର ତୀବ୍ର ସମାଲୋଚନା କରିଛନ୍ତି। ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟ ଆର୍ଥିକ ସଙ୍କଟରେ ଥିବାବେଳେ କଂଗ୍ରେସ ସରକାର ଏପରି ଅପବ୍ୟୟକୁ ପ୍ରଶ୍ରୟ ଦେଉଛନ୍ତି।
ଏହି ଘଟଣା ସମ୍ପର୍କରେ ମୁଖ୍ୟ ସଚିବ ସାକ୍ସେନା କିମ୍ବା ହିମାଚଳ ସରକାର ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇନାହାନ୍ତି। ରାଜ୍ୟର ଋଣ ଭାର ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବା ଏବଂ ପେନ୍ସନ୍ ବନ୍ଦ ହୋଇଥିବା ସମୟରେ ଏହି ଘଟଣା ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
Comments are closed.