Latest Odisha News

ବିଜେପିର ହିନ୍ଦୁତ୍ୱକୁ ଛତିଶଗଡରେ କଂଗ୍ରେସ କରିଛି ହାଇଜାକ!

ଭୁବନେଶ୍ୱର: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରମୁଖ ଦଳଗୁଡିକ ଜୋରଦାର ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡ଼ରେ ପ୍ରଚାର କରିଥିବା ବେଳେ ବିଜେପିର ଅନ୍ୟ ହେଭିୱେଟ ମାନେ ମଧ୍ୟ ପ୍ରଚାର କରୁଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହା ପଣ୍ଡରିୟା ବିଧାନସଭା କ୍ଷେତ୍ରରେ ଜୋରଦାର ପ୍ରଚାର କରିଛନ୍ତି। ସେପଟେ କଂଗ୍ରେସର ରାହୁଲ, ପ୍ରିୟଙ୍କାଙ୍କ ସମେତ ଅନ୍ୟ ନେତା ବି ପ୍ରଚାରକୁ ଜୋରଦାର କରୁଛନ୍ତି। ଦୁର୍ନୀତି, ଭ୍ରଷ୍ଟାଚାର ଓ ଅନ୍ୟ ପ୍ରମୁଖ ପ୍ରସଙ୍ଗ ଗୁଡିକ ମୂଳ ମୁଦ୍ଦା ସାଜିଛି।

ସେପଟେ ହିନ୍ଦୁତ୍ୱ ପ୍ରସଙ୍ଗକୁ ବିଜେପି ବିଭିନ୍ନ ସମୟରେ ମୁଖ୍ୟ ପ୍ରସଙ୍ଗ କରୁଥିବା ଦେଖାଯାଏ। କିନ୍ତୁ ଛତିଶଗଡରେ କଂଗ୍ରେସ ଏ ସବୁ ହିନ୍ଦୁତ୍ୱ ଦିଗକୁ ବେଶ ସତର୍କତାର ସହ ପରିଚାଳନା କରିଥିବା ଆଲୋଚନା ହେଉଛି।

ହିନ୍ଦୀ ବେଲ୍ଟ ଗୁଡିକରେ ଗାଇ ଓ ରାମଙ୍କ ପ୍ରସଙ୍ଗକୁ ନେଇ ରାଜନୀତି ହେବା ଦେଖାଯାଏ। କିନ୍ତୁ ଛତିଶଗଡ଼ରେ ଏହା ଦେଖାଯାଉ ନାହିଁ। ଗାଇ ଓ ରାମ ନିର୍ବାଚନରେ ଏକ ପ୍ରସଙ୍ଗ ଅଛି କିନ୍ତୁ ଏହା କଂଗ୍ରେସ ପକ୍ଷରେ ରହିଥିବା ଦେଖାଯାଉଛି।

କଂଗ୍ରେସର ବିଭିନ୍ନ ସଭାରେ ଗାଇ, ଗୋମୂତ୍ର, ଗାଇ ଗୋବରର କଥା ଶୁଣିବାକୁ ମିଳୁଛି। ଭଗବାନ ରାମଙ୍କ କଥା ବି ଶୁଣିବାକୁ ମିଳୁଛି। ମା କୌଶଲ୍ୟାଙ୍କ କଥା ବି ଉଠୁଛି। ଏପରିକି ଏହାକୁ ଛତିଶଗଡ଼ରେ ବଘେଲ ସରକାର ଆରମ୍ଭରୁ ହିଁ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ କରିଛନ୍ତି।

ଛତିଶଗଡ ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବା ବେଳେ ବଘେଲ ସରକାର ଗାଇ ପ୍ରସଙ୍ଗକୁ କୃଷି ସହ ଯୋଡି ଚାଷୀଙ୍କୁ ଲାଭ ଦେବା ସହ ଧାର୍ମିକ ଦୃଷ୍ଟିରୁ ମଧ୍ୟ ଏକ ବାତାବରଣ ପ୍ରସ୍ତୁତ କରିବାରେ ସମର୍ଥ ହୋଇଛନ୍ତି। ଏପରିକି ଗାଇ ଓ ରାମଙ୍କ ପ୍ରସଙ୍ଗ କଂଗ୍ରେସ ପାଇଁ ରାଜନୈତିକ ପ୍ରସଙ୍ଗ ନୁହେଁ ବୋଲି ଦେଖାଇବାରେ ଦଳ ସଫଳ ହୋଇଛି।

କିନ୍ତୁ ସେପଟେ ବର୍ତ୍ତମାନ ନିର୍ବାଚନ ସଭାରେ ବିଜେପି କିନ୍ତୁ ଏସବୁ ପ୍ରସଙ୍ଗ ଉଠାଇବା ଦେଖାଯାଉନାହିଁ। ଯେଉଁ ସମୟରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପାଇଁ ସାରା ଦେଶରେ ମାହୋଲ ତିଆରି ହେଉଛି ବିଜେପି କିନ୍ତୁ ଛତିଶଗଡ ନିର୍ବାଚନରେ ଏହାକୁ ପ୍ରସଙ୍ଗ କରୁ ନାହିଁ।

ଗତ ପାଞ୍ଚ ବର୍ଷ ମଧ୍ୟରେ କଂଗ୍ରେସ ସରକାର ଛତିଶଗଡ଼ରେ ଗାଇ ଓ ରାମଙ୍କ ମାଧ୍ୟମରେ ସଫ୍ଟ ହିନ୍ଦୁତ୍ୱର ରାଜନୀତି କରିଥିବା କୁହାଯାଉଛି। ଯେଉଁଥିରେ ବଘେଲ ସରକାର ଛତିଶଗଡ ସଂସ୍କୃତି ଓ ଅସ୍ମିତାକୁ ଯୋଡିବାକୁ ଚେଷ୍ଟା କରିଛନ୍ତି।

ତେଣୁ ଛତିଶଗଡରେ କଂଗ୍ରେସ ଏକ ଭିନ୍ନ ରାଜନୀତିର ଉଦାହରଣ ସୃଷ୍ଟି କରିଛି ଯାହାକି ବିଜେପିକୁ ଅପ୍ରସ୍ତୁତ କରୁଛି ବୋଲି ଆଲୋଚନା ହେଉଛି। ଏପରିକି ହିନ୍ଦୁ ଦେବାଦେବୀ ଓ ସଂସ୍କୃତି ସମ୍ବନ୍ଧୀୟ କାର୍ଯ୍ୟକ୍ରମ ମଧ୍ୟ ବଘେଲ ସରକାର ଲଗାତର କରୁଥିବା ଦେଖାଯାଏ।

ତେଣୁ ବିଜେପି ପାଇଁ ଛତିଶଗଡ଼ରେ ରାମଙ୍କ ପ୍ରସଙ୍ଗ ଏକ ପ୍ରସଙ୍ଗ ହୋଇପାରିନି। ବଘେଲ ସରକାର ରାଜ୍ୟରେ ରାମ ବନପଥ ଗମନ ଦ୍ୱାରା ରାମଙ୍କ ପ୍ରସଙ୍ଗ ସହ ଏହାକୁ ଯୋଡିବାକୁ ସମର୍ଥ ହୋଇଛନ୍ତି। ଏଥିସହିତ ରାୟପୁରରେ ୨୦ କିଲୋମିଟର ଅଞ୍ଚଳରେ ମାତା କୌଶଲ୍ୟାଙ୍କ ଜନ୍ମସ୍ଥାନର ବିକାଶ କରିଛନ୍ତି।

ବଘେଲ ଅତ୍ୟନ୍ତ ସତର୍କତାର ସହ ବହୁ ଯୋଜନା ମଧ୍ୟ କରିଛନ୍ତି। ଗୋଧନ ନ୍ୟାୟ ଯୋଜନାରେ ବହୁ ପଦକ୍ଷେପ ନିଆଯାଇଛି। ଗାଇ ପାଳକଙ୍କୁ ବହୁ ଆର୍ଥିକ ସହାୟତାଠୁ ଆରମ୍ଭ କରି ଗୋବର କିଣିବା, ଗୋମୂତ୍ର କିଣିବା ଭଳି ବହୁ ପଦକ୍ଷେପ ନେଇ ବଘେଲ ସରକାର ରାଜ୍ୟରେ ଭିନ୍ନ ଏକ ପରିବେଶ ସୃଷ୍ଟି କରିଛନ୍ତି।

ସେହିପରି ଛତିଶଗଡକୁ ରାମଙ୍କ ମାମୁଁ ଘର କୁହାଯାଉଥିବାରୁ ରାମ ବନପଥ ଗମନ ପାଇଁ ବହୁ ଅର୍ଥ ଖର୍ଚ୍ଚ କରାଯାଇଛି। ତେଣୁ ନିର୍ବାଚନ ବେଳେ ରାମଙ୍କୁ ନେଇ ବିଜେପି ପକ୍ଷରୁ ବିଶେଷ ପ୍ରଚାର ଦେଖାଯାଉନାହିଁ ବରଂ କଂଗ୍ରେସ ପ୍ରଚାରରେ ଏହି ପ୍ରସଙ୍ଗକୁ ବେଶ ଚାଲାଖିରେ ଉପସ୍ଥାପିତ କରୁଛି। ଯାହାକୁ ନେଇ ଛତିଶଗଡ଼ରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

Comments are closed.