Latest Odisha News

BREAKING NEWS

ବାହୁଡୁଛନ୍ତି ଆଜି ମହାବାହୁ: ପହଣ୍ଡି କରି ରଥାରୂଢ ହେଲେ ତିନି ଠାକୁର, ଗଜପତି କଲେ ଛେରାପହଁରା

ପୁରୀ: ଆଜି ହେଉଛି ଆଷାଢ ଶୁକ୍ଳ ଦଶମୀ ତିଥି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କ ସହ ମାଉସୀ ଘରେ ପିଠା ମିଠା ଖାଇ ମଉଜ ମଜଲିସ କରି ଘର ବାହୁଡୁଛନ୍ତି ମହାପ୍ରଭୁ । ଶରଧାବାଲିରେ ଲକ୍ଷାଧିକ ଶ୍ରଦ୍ଧାଳୁ୍ଙ୍କ ଭିଡ଼ । ମହାପ୍ରଭୁଙ୍କ ମାନବୀୟ ଲୀଳା ସ୍ୱଚକ୍ଷୁରେ ଦର୍ଶନ କରୁଛନ୍ତି ଭକ୍ତ ସମୁଦ୍ର । ଟାହିଆ ହଲାଇ ହଲି ହଲି ମହାପ୍ରଭୁ ରଥରେ ବିଜେ କଲେ । ଗୁଣ୍ଡିଚା ରହଣୀର ରାସଲୀଳାକୁ ସ୍ମରଣ କରି କେତେବେଳେ ଧିରେ ପହଣ୍ଡି କରୁଛନ୍ତି ତ ବେଳେ ବେଳେ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଆକଟ କଥା ମନେପକାଇ ଦ୍ରୁତ ବେଗରେ ପହଣ୍ଡି କରୁଛନ୍ତି ନଟନାଗର ଗୋପୀବଲ୍ଲଭ ଶ୍ରୀଜଗନ୍ନାଥ ମହାପ୍ରଭୁ ।

ଆଜି ନୀତି ନିର୍ଘଣ୍ଟ ଅନୁଯାୟୀ ବେଶ୍ ଯଥା ସମୟରେ ଚତୁର୍ଦ୍ଧା ମୂରତିଙ୍କର ନୀତିକାନ୍ତି ପୂଜା ଅର୍ଚ୍ଚନା ସମାପ୍ତ ହୋଇଛି । ବଡ଼ି ସକାଳୁ ଦ୍ୱାରପାଳ ପୂଜା ପରେ ଗୋପାଳ ବଲ୍ଲଭ, ସକାଳ ଧୂପ, ସେନାପଟା ନୀତି ସରିବା ପରେ ଯଥାସମୟରେ ମଙ୍ଗଳଆଳତୀ ଅନୁଷ୍ଠିତ ହେଲା ।

ଆଜି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଛେରାପହଁରା କାର୍ଯ୍ୟ ସମ୍ପନ୍ନ ହୋଇଛି । ମହାପ୍ରଭୁ ଯେମିତି ଅଥୟ ହୋଇଗଲେଣି ଶ୍ରୀଲକ୍ଷ୍ମୀ ସାଆନ୍ତାଣୀଙ୍କ ଘର ଶ୍ରୀମନ୍ଦିରକୁ ଯିବାକୁ ।

ଗଜପତି ମହାରାଜା ଦେବୀ ସୁଭଦ୍ରା ଓ ବଳଭଦ୍ରଙ୍କ ରଥରେ ଛେରା ପହଁରା ସମାପ୍ତ କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କାର୍ଯ୍ୟ ସମାପ୍ତ କରିଥିଲେ ।

ରାଜଗୁରୁଙ୍କ ଦ୍ୱାରା ଅଭିମନ୍ତ୍ରିତ ହୋଇଥିବା ପବିତ୍ର କର୍ପୁର ଚନ୍ଦନ ମିଶ୍ରିତ ଜଳକୁ ସମସ୍ତ ରଥରେ ସିଞ୍ଚନ କରିଥିଲେ ପୁରୀ ଗଜପତି ମହାରାଜା । ଛେରାପହଁରା କାର୍ଯ୍ୟ ୨:୩୦ ମିନିଟରେ ହୋଇଥିଲେ ମଧ୍ୟ ଅନେକ ସମୟ ପୂର୍ବରୁ ସମାପ୍ତ ହୋଇଛି ।

ଏହାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଯିବ । ତିନିରଥ ଶରଧାବାଲିରୁ ବଡ଼ଦାଣ୍ଡ ସିଂହଦ୍ୱାର ସମ୍ମୁଖକୁ ଯିବ । ସେଠାରେ ରଥାରୂଢ ହୋଇ ଶ୍ରୀଜଗନ୍ନାଥ ବିଶ୍ରାମ ନେବେ । ତାପରେ ଆସନ୍ତା କାଲି ଏକାଦଶୀ ଦିବସରେ ରଥଉପରେ ଦର୍ଶନାର୍ଥୀମାନେ ସୁନାବେଶ ଦର୍ଶନ କରିବେ ।

Leave A Reply

Your email address will not be published.