Latest Odisha News

BREAKING NEWS

ସରିଲା ଜନ୍ମବେଦୀ ଲୀଳାଖେଳା, ବଡ଼ଦେଉଳକୁ ବାହୁଡ଼ିବେ ମହାପ୍ରଭୁ

ପୁରୀ: ସରିଲା ଜନ୍ମବେଦୀ ଲୀଳାଖେଳା । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ସରୁଛି ଶ୍ରୀଜିଉଙ୍କର ନବ ଦିନାତ୍ମକ ଯାତ୍ରା । ଆଜି ବାହୁଡ଼ା ଯାତ୍ରାରେ ବଡ଼ ଦେଉଳକୁ ବାହୁଡ଼ିବେ ବଡ଼ ଠାକୁର । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥ ଚଢ଼ି ନୀଳକନ୍ଦର ଫେରିବେ ନୀଳମଣି । ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ସରିଛି ।

ଶରଧାବାଲିରେ ମହାପ୍ରଭୁଙ୍କ ଅପେକ୍ଷାରେ ଅଛନ୍ତି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ । କଡ଼ା କଟକଣା ଭିତରେ ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ବାହୁଡ଼ା ଯାତ୍ରା । ଗୁଣ୍ଡିଚା ମନ୍ଦିରରେ ବର୍ତ୍ତମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଭିନ୍ନ ନୀତିକାନ୍ତି ଚାଲିଛି ।

ଆଉ କିଛି ସମୟ ପରେ (ସକାଳ ୮ଟାରୁ) ଆରମ୍ଭ ହେବ ମହାପ୍ରଭୁଙ୍କୁ ବାହୁଡ଼ା ପହଣ୍ଡି । ୧୦ଟା ଭିତରେ ଶ୍ରୀଜିଉମାନେ ରଥାରୁଢ଼ ହେବେ । ଏହାପରେ ରଥ ଉପରେ କିଛି ରୀତିନୀତି ପରେ ଛେରା ପହଁରା କରାଯିବ । ଚାରମାଳ ଫିଟା ଓ ଘୋଡ଼ା ଲାଗିବା ପରେ ମଧ୍ୟାହ୍ଣ ୧୨ଟାରେ ରଥ ଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।

ଶ୍ରୀମନ୍ଦିର ଫେରିବା ବେଳେ ବାଟରେ ମାଉସୀ ମାଆ ମନ୍ଦିରରେ ମହାପ୍ରଭୁ ପୋଡ଼ ପିଠା ଖାଇବା ପରମ୍ପରା ରହିଛି । ଆଜି ବାହୁଡା ଯାତ୍ରା ଥିବା ବେଳେ ଆସନ୍ତାକାଲି ସୁନାବେଶ । ମହଣ ମହଣ ରତ୍ନ ଖଚିତ ଅଳଙ୍କାରରେ ଝଟକିବେ ତିନି ଠାକୁର । ତିନି ତାରିଖରେ ଅଧରପଣା ଓ ୪ ତାରିଖରେ ନିଳାଦ୍ରୀ ବିଜେ ରହିଛି ।

Leave A Reply

Your email address will not be published.