Latest Odisha News

BREAKING NEWS

ଅଭିଜିତ ମିତ୍ରଙ୍କ ଜାମିନ ଆବେଦନ ଖାରଜ, ଏବେ ନିମାପଡ଼ା ସବ-ଜେଲରେ

ନିମାପଡ଼ା: ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ର ଏବେ ନିମାପଡ଼ା ସବ-ଜେଲରେ । ପୁରୀ ଜିଲ୍ଲା କୋଣାର୍କର ପ୍ରଥମ ଶ୍ରେଣୀ ଜୁଡ଼ିସିଆଲ ମାଜିଷ୍ଟ୍ରେଟ (ଜେଏମଏଫସି) ଗୁରୁବାର ଦିନ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେବା ପରେ ତାଙ୍କୁ ଏବେ ନିମାପଡ଼ା ସବ-ଜେଲକୁ ପଠାଇଦିଆଯାଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ସମ୍ପର୍କରେ ପୂର୍ବରୁ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୁକ୍ତ ଅଭିଜିତ ଭୁବନେଶ୍ୱରର ଝାରପଡ଼ା ଜେଲରେ ରହିଥିଲେ । ତେବେ ଗତକାଲି ରାତିରେ କୋଣାର୍କ ପୋଲିସ ଏସଡ଼ିଜିଏମ କୋର୍ଟରୁ ୪ ଦିନିଆ ରିମାଣ୍ଡରେ ତାଙ୍କୁ ଆଣିଥିଲେ । ଗତକାଲି ସନ୍ଧ୍ୟାରେ କଡ୍ଡା ସୁରକ୍ଷା ମଧ୍ୟରେ କୋଣାର୍କ ପୋଲିସ ଝାରପଡ଼ା ଜେଲରୁ ଆଣିଥିବାର ସୂଚନା ମିଳିଛି ।

ଗୁରୁବାର ରାତି ୧୨ଟା ୨୦ରେ ଜେଏମଏଫସି ଶୁଣାଣି କରି ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଅଭିଯୁକ୍ତ ଅଭିଜିତ ଆୟାର ମିତ୍ର ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ନିମାପଡ଼ା ସବ-ଜେଲରେ ରହିବେ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ।

କୋଣାର୍କ ପୋଲିସ ତଦନ୍ତରେ ଅଧିକ ପଚରାଉଚରା ଲାଗି ଅଭିଜିତଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଜେଏମଏଫସିଙ୍କୁ ଅନୁରୋଧ କରିଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ ସରକାରୀ ଓକିଲ ସୋମନାଥ ନିଶଙ୍କ କହିଛନ୍ତି, ଅଭିଜିତଙ୍କ ବିରୋଧରେ କୋଣାର୍କ ପୋଲିସ ପକ୍ଷରୁ ଦାୟର ହୋଇଥିବା ଭାରତୀୟ ପିଙ୍ଗଳ କୋର୍ଡ଼ର ଧାରା ୨୯୫ଏ, ୨୯୮, ତଥା ଧାରା ୩୪ ଏବଂ ଧାରା ଅନୁଯାୟୀ ଅଭିଜିତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।

କୋଣାର୍କ ଜେଏମଏଫସି କୋର୍ଟରେ ଅଭିଜିତଙ୍କ ଓକିଲ ନିଖିଲ ମେହେର ତାଙ୍କ ମହକିଲଙ୍କୁ ଜାମିନ ଦେବାକୁ ଯୁକ୍ତି ବାଢିଥିଲେ । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଆଇନଜୀବୀ ସୋମନାଥ ନିଶଙ୍କ ଜାମିନ ଆବେଦନକୁ ଦୃଢ ବିରୋଧ କରିବା ସହିତ ଅଭିଜିତ କୋଣାର୍କ ମନ୍ଦିର ପ୍ରତି ଯେଉଁଭଳି ଅଶାଳୀନ ମନ୍ତବ୍ୟ ରଖିଥିଲେ ତାହା ଓଡ଼ିଶାବାସୀଙ୍କ ଭାବାବେଗ ପ୍ରତି ଗଭୀର ଆଘାତ ଦେଇଥିବା ଦର୍ଶାଇଥିଲେ । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ଅଭିଜିତଙ୍କୁ କୋଣାର୍କ ଥାନା ପୋଲିସ ଅଧିକ ପଚରାଉଚରା ଲାଗି ତାଙ୍କୁ ରିମାଣ୍ଡରେ ଆଣିଛି ।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଏହିଯେ, କୋଣାର୍କ ସମ୍ପର୍କରେ ଟ୍ୱିଣ୍ଟ୍ କରି ଅଭିଜିତ ଆୟାର ମିତ୍ର କିଛି ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ କୋଣାର୍କ ଥାନାରେ କୋଣାର୍କ ଅଞ୍ଚଳର ବିମ୍ବାଧର ଗୌର ନାମକ ଜଣେ ବ୍ୟକ୍ତି ଲିଖିତ ଅଭିଯୋଗ କରିଥିଲେ ।

ଏପଟେ କିନ୍ତୁ ଅଭିଜିତଙ୍କ ଓକିଲ ନିଖିଲ ମେହେରା କହିଛନ୍ତି, “ସହିଦନଗର ଥାନାରେ ଅଭିଜିତଙ୍କ ନାମରେ ଦାଏର ହୋଇଥିବା ମାମଲାରେ ଜାମିନ ଆବେଦନ ହାଇକୋର୍ଟରେ ଆମେ ଅପିଲ୍ କରିଥାଆନ୍ତୁ । ଏବେ କିନ୍ତୁ ହାଇକୋର୍ଟରେ ଆଇନଜୀବୀମାନଙ୍କ ଆନ୍ଦୋଳନ ଯୋଗୁଁ ଏହା ସମ୍ଭବ ନୁହେଁ” ।
ମଙ୍ଗଳବାର ରାତିରେ ଅଭିଯୁକ୍ତ ଅଭିଜିତ ଆୟାର ମିତ୍ରଙ୍କୁ ଏସଡ଼ିଜିଏମ କୋର୍ଟରେ ହାଜର କରାଯାଇଥିଲା । ତାଙ୍କର ଜାମିନ ଆବେଦନକୁ ଅଦାଲତ ଖାରଜ କରିଦେବା ଫଳରେ ତାଙ୍କୁ ୧୪ ଦିନ ଲାଗି ବିଚାରାଧିନ ହାଜତରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପଚରାଉଚରା ଲାଗି କୋଣାର୍କ ପୋଲିସ ଅଭିଜିତଙ୍କୁ ୪ ଦିନର ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ପ୍ରଦାନ କରିଥିଲେ ।

Leave A Reply

Your email address will not be published.