Latest Odisha News

BREAKING NEWS

ଧର୍ମ ମାସ କାର୍ତ୍ତକରେ ପାଳନ ହୁଏ ନିଆରା ଉତ୍ସବ ‘ବାଳଭୋଗ ଅର୍ପଣ ଉତ୍ସବ’

ବରଗଡ: ବର୍ଷ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ | ଏହି ମହା କାର୍ତ୍ତିକ ମାସରେ କରାଯାଉଥିବା ପୂଣ୍ୟ କାର୍ଯ୍ୟର ଅନେକ ମହତ୍ୱ ରହିଥାଏ | ତେବେ ଅଧିକାଂଶ ଲୋକେ ମାସ ସାରା ବୁଡ ପକାଇ ପୂଣ୍ୟ ଅର୍ଜନ କରିଥାନ୍ତି |ଯେଉଁ ମାନେ ମାସ ସାରା ବୁଡ ପକାଇନଥାନ୍ତି ସେମାନେ  କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନରେ ପଞ୍ଚକ ବୁଡ ପକାଇଲେ ବିଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି | କିନ୍ତୁ ବରଗଡ ସହର ନିକଟସ୍ଥ ରୁହୁଣିଆ ଗ୍ରାମରେ ନିଆରା ଭାବରେ ପାଳନ କରାଯାଏ ଏହି କାର୍ତ୍ତିକ ବ୍ରତ । ଦୀର୍ଘ ୫୦ ବର୍ଷରୁ ଅଧିକ ହେବ ରୁହୁଣିଆ  ଗ୍ରାମବାସୀ କାର୍ତ୍ତିକ ମାସର ପ୍ରତିଦିନ ଭୋରରୁ ଭଜନ କୀର୍ତ୍ତନ କରି ସାରା ଗ୍ରାମ ପରିକ୍ରମା କରିଥାନ୍ତି ଏବଂ  କାର୍ତ୍ତିକ ମାସ ଚତୁର୍ଦ୍ଦଶୀ ତିଥିରେ “ବାଳଭୋଗ ଅର୍ପଣ ଉତ୍ସବ” ପାଳନ  କରିଥାନ୍ତି | ଆଜି ରୁହିଣିଆ ଗ୍ରାମରେ ଆଖପାଖ ଅଞ୍ଚଳର ପ୍ରାୟ ହଜାର ହଜାର ଶିଶୁ ଓ ବାଳକ ବାଳିକାଙ୍କୁ ବାଳଭୋଗ ଅର୍ପଣ କରାଯାଇଥିଲା |

ବରଗଡ ବ୍ଲକ ଅନ୍ତର୍ଗତ ରୁହୁଣିଆ ଗ୍ରାମରେ ପ୍ରଥମେ ୧୯୭୧ ମସିହାରେ ଆଜିର ଏହି କାର୍ତ୍ତିକ ମାସ ଚତୁର୍ଦଶୀ ଦିନରେ “ବାଳଭୋଗ ଅର୍ପଣ ଉତ୍ସବ” ପାଳନ କରଯାଇଥିଲା । ସେହି ଦିନଠାରୁ ଆଜିପର୍ଯ୍ୟନ୍ତ ଅନବରତ ଭାବେ ଏହି “ବାଳଭୋଗ ଅର୍ପଣ ଉତ୍ସବ” ପାଳନ ହୋଇଆସୁଛି | ୧୯୭୧ ମସିହାରେ ପ୍ରଥମେ ଗ୍ରାମର ଛୋଟ ଛୋଟ ଶିଶୁ ଓ  କିଛି ବାଳକ ବାଳିକାଙ୍କୁ ଭୋଜନ ପ୍ରଦାନ କରି ଏହି “ବାଳଭୋଗ ଅର୍ପଣ ଉତ୍ସବ”  ପାଳନ କରାଯାଇଥିଲା । ମାତ୍ର ଆଜି ଏହି ଉତ୍ସବରେ ଆଖପାଖ ପଞ୍ଚାଯତ ତଥା ଗ୍ରାମ ମାନଙ୍କର ହଜାର ହଜାର ଛୋଟ ଛୋଟ ଶିଶୁ, ବାଳକ ବାଳିକା ସାମିଲ ହୋଇ ବିରାଟ ଆକାରରେ ଏହି ଉତ୍ସବକୁ ପାଳନ କରାଯାଉଛି । କାର୍ତ୍ତିକ ମାସରେ ସମସ୍ତେ ଭଗବାନଙ୍କୁ ଆରାଧନା କରିଥାନ୍ତି କିନ୍ତୁ ଛୋଟ ଛୋଟ ଶିଶୁ ମାନଙ୍କୁ ଈଶ୍ବରଙ୍କ ଅବତାର ବୋଲି ମନେକରଯାଇଥାଏ |

ତେଣୁ  ନିଷ୍ପାପ , ନିଷ୍କପଟ , ନିଷ୍କଳଙ୍କ କୁନି କୁନି ଶିଶୁ ମାନଙ୍କୁ ବାଳଭୋଗ ଅର୍ପଣ କରି ପ୍ରକୃତ ଭଗବାନଙ୍କୁ ପ୍ରସାଦ ଅର୍ପଣ କରିଥାନ୍ତି ରୁହୁଣିଆ ଗ୍ରାମବାସୀ | ବିଶ୍ବାସ ରହିଛି ଯେ  ଶିଶୁ ମାନଙ୍କୁ ଶ୍ରଦ୍ଧାର ସହିତ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଭୋଗ ଅର୍ପଣ କରାଗଲେ ତାହା ଇଶ୍ଵର ପାଇଥାନ୍ତି ଓ କଲ୍ୟାଣ ହୋଇଥାଏ | ତେଣୁ ଏହି ବିଶ୍ବାସରେ ରୁହୁଣିଆ ଗ୍ରାମର ପୂର୍ବପୁରୁଷ ମାନେ ସାମୁହିକ କଲ୍ୟାଣ ନିମନ୍ତେ କାର୍ତ୍ତିକ ମାସର ଚତୁର୍ଦ୍ଦଶୀ ତିଥିରେ ଗ୍ରାମବାସି ଏକତ୍ରିତ ହୋଇ ସାମୁହିକ କଲ୍ୟାଣ ନିମନ୍ତେ ତଥା ପୂଣ୍ୟ ଅର୍ଜନ ନିମନ୍ତେ ଛୋଟ ଛୋଟ ଶିଶୁ ଓ ବାଳକ ବାଳିକା ମାନଙ୍କୁ  ବାଳଭୋଗ ଅର୍ପଣ ଉତ୍ସବ ଆରମ୍ଭ କରିଥିଲେ | ଗ୍ରାମର ପ୍ରତ୍ୟେକ ପରିବାର ଏହି ଉତ୍ସବରେ ସାମିଲ ହୋଇଥାନ୍ତି ଏବଂ କିଛି ନା କିଛି ସହଯୋଗ କରି ପୂଣ୍ୟ ଅର୍ଜନ କରିଥାନ୍ତି | ଆଜି ପରି ବ୍ୟସ୍ତ ବହୁଲତା ଜୀବନରେ ରୁହୁଣିଆ ଗ୍ରାମବାସୀଙ୍କ ଏହି ଉତ୍ସବ ପାଳନ ସମସ୍ତଙ୍କୁ ଏକତ୍ରିତ କରିପାରିଛି କେବଳ ଯେ ତାହାନୁହେ, ହିନ୍ଦୁ ସନାତନ ଧର୍ମରେ ବର୍ଣ୍ଣିତ ସଂସ୍କୃତି ଓ ପରମ୍ପରାକୁ ଆଜିର ଯୁବପିଢିଙ୍କ ମାନସ ପଟ୍ଟରେ ଜାଗୃତ କରି ରଖିପାରିଛି |

Leave A Reply

Your email address will not be published.