Latest Odisha News

ଆଇଆଇଟି ଇନ୍ଦୋରରେ ସ୍ୱର୍ଣ୍ଣ ପଦକ ହାସଲ କଲେ ବଲାଙ୍ଗୀରର ଆରତୀ ସାମଲ

ଟିଟିଲାଗଡ଼: ବହୁ ବାଧାବିଘ୍ନ ସତ୍ତ୍ୱେ ଲକ୍ଷ୍ୟ ପଥରୁ ଓହରିଯାଇନାହାନ୍ତି । ନିଜ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ବଳରେ ଆଜି ସଫଳତା ହାସଲ କରିପାରିଛନ୍ତି । ବଲାଙ୍ଗୀର ଟିଟିଲାଗଡ଼ ଉପଖଣ୍ଡ ଡ଼ୁମେରମୁଣ୍ଡା ଗାଁର ଆରତୀ ସାମଲ । ଆଭ୍ୟନ୍ତରୀଣ ଅଞ୍ଚଳରୁ ଯାଇ ଆଇଆଇଟି ଇନ୍ଦୋରରେ ହାସଲ କଲେ ସ୍ୱର୍ଣ୍ଣ ପଦକ । କେମିଷ୍ଟ୍ରି ବିଭାଗର ସ୍ନାତକୋତ୍ତରରେ ପାଇଲେ ସ୍ୱର୍ଣ୍ଣ । ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଆରତୀ ନିଜର ସଫଳତା ପାଇଁ ପରିବାର ତଥା ସମ୍ପର୍କୀୟ ଭାଇକୁ ଶ୍ରେୟ ଦେଇଛନ୍ତି ।

ବଲାଙ୍ଗୀର ଜିଲ୍ଲାର ବିଘ୍ନରାଜ ସାମଲଙ୍କ ଝିଅ ହେଉଛନ୍ତି ଆରତୀ ସାମଲ । ବିଘ୍ନରାଜ ୧୯୮୫ ମସିହାରେ ସିଆରପିଏଫ ଯବାନଭାବେ ଚାକିରି ଜୀବନ ଆରମ୍ଭ କରି ୨୦୦୬ରେ ଅବସର ନେଇଥିଲେ । ଚାକିରି ସମୟରେ ବଦଳି ବାରମ୍ବାର ହେଉଥିଲେ ସୁଦ୍ଧା ଝିଅର ପାଠପଢ଼ାରେ କୌଣସି ବ୍ୟତିକ୍ରମ ଦେଖାଦେଇନଥିଲା । ଟିଟିଲାଗଡ଼ ବଡ଼ମାଳ ଗୋଳାବାରୁଦ କାରଖାନାରେ ଆରତୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପରେ ଆର୍ଥିକ ସ୍ଥିତି ଭଲ ନଥିଲେ ମଧ୍ୟ ବିଜେବି କଲେଜରେ ପାଠ ପଢ଼ି ପ୍ରଥମ ସ୍ଥାନ ହାସଲ କଲେ । କିନ୍ତୁ ଏତିକିରେ ସେ ଅଟକି ନଥିଲେ । ଆଗକୁ ପଢ଼ିବା ପାଇଁ ଇଚ୍ଛା ରଖିଥିଲେ ।

ପରିବାର ଲୋକଙ୍କ ବାରଣ ସତ୍ତ୍ୱେ ଆରତୀ ଆଇଆଇଟିରେ ପ୍ରବେଶ କରିବାର ଯୋଗ୍ୟତା ହାସଲ କରିଥିଲେ । ଏବେ ଆଇଆଇଟି ଇନ୍ଦୋରରେ କେମିଷ୍ଟ୍ରି ବିଭାଗରେ ଅଧ୍ୟୟନ କରୁଥିବାବେଳେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ଖବର ଶୁଣିବା ମାତ୍ରେ ସବୁ ସ୍ଥାନରୁ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଗକୁ ଆରତୀ ଜଣେ ବୈଜ୍ଞାନିକ ହୋଇ ଦେଶ ପାଇଁ କିଛି କରିବାକୁ ଆଶା ରଖିଛନ୍ତି ।

Comments are closed.