Latest Odisha News

ଆଖି ବୁଜିଲେ ସ୍ୱାମୀର ଏସିଡ ମାଡ଼ର ଶିକାର ହୋଇଥିବା ବାଲେଶ୍ୱରର ବନିତା

ବାଲେଶ୍ୱର:  ୬ ଦିନ ହେବ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଜଣେ ମହିଳା । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଭୀମପୁରା ଗାଁର ଚନ୍ଦନ ରଣାଙ୍କ ଦ୍ୱିତୀୟ ପତ୍ନୀ ବନିତା ରଣା। ଗତ ଫେବ୍ରୁଆରି ୨୦ ତାରିଖରେ ତାଙ୍କ ସ୍ୱାମୀ ଏସିଡ୍ ଫିଙ୍ଗିଦେବା ପରେ ସେ ଗୁରୁତର ହୋଇପଡିଥିଲେ।

ମିଳିଥିବା ସୂଚନା ଅନୁୟାୟୀ, ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳର ଚନ୍ଦନ ଓ ବନିତା ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିଛି ଦିନ ପରେ ବନିତା ଜାଣିବାକୁ ପାଇଥିଲେ ଯେ ଚନ୍ଦନ ପୂର୍ବରୁ ବିବାହ କରିସାରିଛନ୍ତି ଏବଂ ତାଙ୍କର ପ୍ରଥମ ପତ୍ନୀଙ୍କର ଦୁଇଟି ସନ୍ତାନ ଅଛି। ତା’ପରେ ସେ ବାପ ଘରକୁ ଫେରିଆସିଥିଲେ। ଘଟଣା ଦିନ ବନିତା ଭୀମପୁରା ଗାଁରେ ଥିବା ତାଙ୍କ ବଡ଼ ଭଉଣୀଙ୍କ ଘରକୁ ଯାଇଥିଲେ। ହଠାତ୍ ଚନ୍ଦନ ସେଠାରେ ପହଞ୍ଚି ବନିତାଙ୍କ ସହ ଝଗଡ଼ା କରିଥିଲେ। ଏହାପରେ ଚନ୍ଦନ ହଠାତ୍ ବନିତାଙ୍କ ଉପରକୁ ଏସିଡ୍ ଫିଙ୍ଗି ଦେବାରୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା। ଏପରିକି ବନିତାଙ୍କ ବଡ଼ ଭଉଣୀ ଓ ତାଙ୍କ ଦୁଇ ପିଲା (ନାବାଳକ) ମଧ୍ୟ ଏହି ନୃଶଂସ ଏସିଡ୍ ଆକ୍ରମଣରେ ଆହତ ହୋଇଛନ୍ତି।

ପରେ କଟକ ଏସସିବି ମେଡିକାଲରେ ୬ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅପରପକ୍ଷରେ ଏହି ଘଟଣା ପରଠାରୁ ଚନ୍ଦନ ଫେରାର ଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ପୁଲିସ ସନ୍ଦେହରେ ଗିରଫ କରିଛି। ଫେରାର ଅଭିଯୁକ୍ତ ସ୍ୱାମୀକୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି।

Leave A Reply

Your email address will not be published.