Latest Odisha News

BREAKING NEWS

ରଙ୍ଗ ଦେଖାଇଲା ବହୁରୂପୀ ପଶ୍ଚିମବଙ୍ଗ, ପୁଣିଥରେ ଉଦୟପୁରରେ ବେଆଇନ ପାଚେରୀ ନିର୍ମାଣ ଅପଚେଷ୍ଟା

ବାଲେଶ୍ୱର: ପୁଣିଥରେ ଓଡିଶା ସୀମାରେ ପଶ୍ଚିମବଙ୍ଗର ଦାଦାଗିରି । ଓଡିଶା ଉଦୟପୁର ସୀମାରେ ସ୍ଥାନୀୟ ପ୍ରଶାସନ ଜାରି କରିଥିବା ୧୪୪ ଧାରାକୁ ଉଲ୍ଲଂଘନ କରି ପଶ୍ଚିମବଙ୍ଗ ପାଚେରୀ ନିର୍ମାଣ କରିବାକୁ ପୁଣି ଥରେ ଉଦ୍ୟମ କରିଥିଲା । ହେଲେ ସ୍ଥାନୀୟ ଲୋକ ଓ ପ୍ରଶାସନର ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗର ଯୋଜନା ଫେଲ୍ ମାରିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଉଦୟପୁର ସୀମାରେ ବେଆଇନ ଭାବେ ପାଚେରୀ ନିର୍ମାଣ କରିବାକୁ ଚେଷ୍ଟା କରିଥିଲା ପଶ୍ଚିମବଙ୍ଗ ଜଳସଂପଦ ବିଭାଗ । ହେଲେ ସ୍ଥାନୀୟ ବାସିନ୍ଦା, ତାଳସାରି ମେରାଇନ୍ ପୋଲିସ ଓ ଭୋଗରାଇ ଅତିରିକ୍ତ ତହସିଲଦାର ପହଂଚି ପାଚେରୀ ନିର୍ମାଣ କାମକୁ ବନ୍ଦ କରିଥିଲେ । ପୂର୍ବରୁ ଗତ ୭ ତାରିଖରେ ଓଡିଶା ସୀମାରେ ପ୍ରାୟ ୫୦ ଫୁଟ୍ ଧସେଇ ପଶି ପଶ୍ଚିମବଙ୍ଗ ପ୍ରଶାସନ ପାଚେରୀ ନିର୍ମାଣ କରିଥିଲା । ତେବେ ପଡୋଶୀ ରାଜ୍ୟର ଏଭଳି ରାତିଅଧିଆ ବେଆଇନ ନିର୍ମାଣକୁ ସେହି ସମୟରେ ସ୍ଥାନୀୟ ଲୋକେ ଓ ପ୍ରଶାସନ ବିରୋଧ କରିଥିଲେ ।

ଏପରିକି ଗତ ୧୪ ତାରିଖରେ ବାଲେଶ୍ୱର ପ୍ରଶାସନ ଉକ୍ତ ଅଂଚଳରେ ନାଲି ପତାକା ପୋତିବା ସହ ୧୪୪ ଧାରା ଜାରି କରି କୌଣସି ପ୍ରକାର ନିର୍ମାଣ କାମ ହୋଇପାରିବ ନାହିଁ ବୋଲି ମାଇକ୍ ଯୋଗେ ପ୍ରଚାର କରିଥିଲେ । ସମସ୍ତ ପଦକ୍ଷେପର ପରେ ମଧ୍ୟ ଆଜି ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ପ୍ରଶାସନ ଓଡିଶା ସୀମାରେ ପାଚେରୀ ନିର୍ମାଣ କରିବା ଲାଗି ପୁଣି ଥରେ ଅପଚେଷ୍ଟା କରିଥିଲା ।

ଓଡିଶା ସୀମାରେ ବେଆଇନ ପାଚେରୀ ନିର୍ମାଣ ଓ ସ୍ଥାନୀୟ ଲୋକ ତଥା ପ୍ରଶାସନକୁ ଧମକଚମକ ଦେବା ପଶ୍ଚିମବଙ୍ଗ ପ୍ରଶାସନର ନିତିଦିନିଆ ଘଟଣା ପାଲଟିଛି । ଓଡିଶା ସୀମାକୁ ନେଇ ଏଭଳି ଏକ ଗମ୍ଭୀର ସ୍ଥିତିରେ ଓଡିଶା ସରକାରଙ୍କ ନୀରବତାକୁ ନେଇ ସାଧାରଣ ଲୋକଙ୍କ ସମେତ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଆଗାମୀ ଦିନରେ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ନହେଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.