Latest Odisha News

BREAKING NEWS

ଘରୋଇ ପିଚରେ ଆରସିବିକୁ ୮୧ ରନରେ ହରାଇଲା କେକେଆର

କୋଲକାତା: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ କୋଲକାତା ନାଇଟ୍ ରାଇଡର୍ସଠୁ ଶୋଚନୀୟ ପରାଜୟ ବରଣ କରିଛି। ଶାହାରୁଖ ଖାନଙ୍କ ଦଳ ଘରୋଇ ପିଚ ଇଡେନ ଗାର୍ଡେନରେ ଆରସିବିକୁ ପରାସ୍ତ କରିଛି। ଜିତିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୨୦୫ ରନର ଲକ୍ଷ୍ୟ ଥିଲା, କିନ୍ତୁ ଫାଫ୍ ଡୁପ୍ଲେସିଙ୍କ ନେତୃତ୍ୱାଧୀନ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ୧୭.୪ ଓଭରରେ ମାତ୍ର ୧୨୩ ରନ କରି ଆଲ୍ ଆଉଟ୍ ହୋଇଯାଇଥିଲା। ତେଣୁ କୋଲକାତା ନାଇଟ୍ ରାଇଡର୍ସ ୮୧ ରନରେ ମ୍ୟାଚ୍ ଜିତିଛି। ତେବେ କୋଲକାତା ନାଇଟ୍ ରାଇଡର୍ସର ଚଳିତ ଆଇପିଏଲ ସିଜିନର ଏହା ପ୍ରଥମ ବିଜୟ। ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ସିଜିନରେ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଓପନର୍ ଫାଫ୍ ଡୁପ୍ଲେସି ଏବଂ ବିରାଟ କୋହଲି ୪.୫ ଓଭରରେ ୪୪ ରନ୍ ଯୋଡିଥିଲେ, କିନ୍ତୁ ଉଭୟ ଖେଳାଳି ଆଉଟ ହେବା ମାତ୍ରେ ମ୍ୟାଚର ମୋଡ ବଦଳି ଯାଇଥିଲା। ପରେ ଲଗାତର ଆରସିବି ୱିକେଟ ହରାଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ କ୍ୟାପଟେନ ଫାଫ୍ ଡୁପ୍ଲେସି ସର୍ବାଧିକ ୨୩ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ବିରାଟ କୋହଲି, ଡେଭିଡ ୱିଲି ଏବଂ ମାଇକେଲ ବ୍ରେସୱେଲ ଯଥାକ୍ରମେ ୨୩, ୨୦ ଏବଂ ୧୯ ରନ କରିଥିଲେ। ଅନ୍ୟପକ୍ଷରେ କୋଲକାତା ନାଇଟ୍ ରାଇଡର୍ସର ବୋଲରରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ଯେଉଁଥିରେ ଆରସିବିର ଅନ୍ତିମ ଓ୍ବିକେଟ ମଧ୍ଯ ରହିଛି।

ଏହାପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଫାଫ ଡୁପ୍ଲେସି ଟସ୍ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୨୦୪ ରନ୍ ସଂଗ୍ରହ କରିଥିଲା। ଏହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମ୍ୟାଚ୍ ଜିତିବା ପାଇଁ ୨୦୫ ରନର ଆବଶ୍ୟକ ଥିଲା ​। କୋଲକାତା ନାଇଟ୍ ରାଇଡର୍ସ ପାଇଁ ଶାର୍ଦ୍ଦୁଲ ଠାକୁର ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ମାତ୍ର ୨୯ ବଲରେ ୬୮ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ୯ଟି ଚୌକା ଓ ୩ ଛକା ରହିଥିଲା।

କୋଲକାତା ନାଇଟ୍ ରାଇଡର୍ସ ପାଇଁ ଶାର୍ଦ୍ଦୁଲ ଠାକୁରଙ୍କ ବ୍ୟତୀତ ଓପନର୍ ରହମାନୁଲ୍ଲା ଗୁରୁବାଜ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ରହମାନୁଲ୍ଲା ଗୁରୁବାଜ ୪୪ ଟି ବଲରେ ୫୭ ରନ କରିଥିଲେ। ସେହିପରି ଅନ୍ୟାମାନେ ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଶସ୍ତାରେ ପାଭିଲିଅନକୁ ଫେରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ପେସ ବୋଲର ଡେଭିଡ ୱିଲି ଏବଂ ସ୍ପିନର କର୍ନ ଶର୍ମା ୨-୧ ଲେଖାଏଁ ୱିକେଟ୍ ନେଇଥିଲେ। ମାଇକେଲ ବ୍ରେସୱେଲଙ୍କ ବ୍ୟତୀତ ମହମ୍ମଦ ସିରାଜ ଏବଂ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା।

Leave A Reply

Your email address will not be published.