ନୂଆଦିଲ୍ଲୀ: ନେପାଳରେ ଜେନଜି ସରକାର। ପ୍ରଚଣ୍ଡ ବହୁମତ ସହ ସରକାର ଗଢିବାକୁ ଯାଉଛି ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (RSP)। ରାପର୍ରୁ ରାଜନେତା ପାଲଟିଥିବା ୩୫ ବର୍ଷିୟ ବାଲେନ୍ ଶାହ ପରବର୍ତ୍ତୀ ପିଏମ ହେବା ନିଶ୍ଚିତ। ମାର୍ଚ୍ଚ ୫ ତାରିଖରେ ହୋଇଥିଲା ସଂସଦୀୟ ନିର୍ବାଚନ। ବାଲେନ ଶାହ ଆମେରିକାର ଜଣେ ପ୍ରବଳ ସମର୍ଥକ ଓ ଭାରତ ଏବଂ ଚୀନର ପ୍ରଖର ବିରୋଧୀ ରୂପେ ପରିଚିତ । ଯିଦ ବାଲେନ ଶାହ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ଭାରତ ସହ କିପରି ରହିବ ତାଙ୍କର କୂଟନୈତିକ ସମ୍ପର୍କ ତାହା ଉପରେ ସଭିଙ୍କ ନଜର ।
ନିର୍ବାଚନ କମିଶନଙ୍କ ଅନୁଯାୟୀ, ଦଳ ଏପର୍ଯ୍ୟନ୍ତ ଘୋଷିତ ୬୨ଟି ଆସନ ମଧ୍ୟରୁ ୪୯ଟିରେ ବିଜୟୀ ହୋଇଛି ଏବଂ ପ୍ରାୟ ୭୧ଟିରେ ଆଗୁଆ ଅଛି। ଦଳ କାଠମାଣ୍ଡୁ ଜିଲ୍ଲାର ସମସ୍ତ ୧୦ଟି ଆସନ ଜିତିଛି। ଏହି ନିର୍ବାଚନ ଆଞ୍ଚଳିକ ଏବଂ ବିଶ୍ୱ ଶକ୍ତି ସନ୍ତୁଳନର ଏକ ଗୁରୁତ୍ୱପୂର୍ଣ୍ଣ କାହାଣୀ ପାଲଟିଛି।
ଭାରତ-ଆମେରିକା କୂଟନୈତିକ ଏବଂ ରଣନୈତିକ ସକ୍ରିୟତା ଚୀନ୍ର ରାଜନୈତିକ ଲବିକୁ ଦୁର୍ବଳ କରିବାରେ ଭୂମିକା ଗ୍ରହଣ କରିଥିଲା। ଗତ ଦଶନ୍ଧି ମଧ୍ୟରେ ନେପାଳରେ ଚୀନ୍ର ପ୍ରଭାବ ଯଥେଷ୍ଟ ବୃଦ୍ଧି ପାଇଥିଲା। BRI ପ୍ରକଳ୍ପ ଅଧୀନରେ ନିବେଶ ବୃଦ୍ଧି ପାଇଥିଲା। ବାମପନ୍ଥୀ ଦଳଗୁଡ଼ିକ ସହିତ ଚୀନ୍ର ରାଜନୈତିକ ସମ୍ପର୍କ ମଧ୍ୟ ମଜବୁତ ହୋଇଥିଲା।
ଏହି ନିର୍ବାଚନରେ, ନେପାଳୀ କଂଗ୍ରେସ ଏବଂ କିଛି ନୂତନ ରାଜନୈତିକ ଦଳ ଏକ ସନ୍ତୁଳିତ ବୈଦେଶିକ ନୀତି ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମର୍ଥନ କରିଥିଲେ। ଏଗୁଡ଼ିକ ପରୋକ୍ଷ ଭାବରେ ଭାରତ ଏବଂ ଆମେରିକାରୁ କୂଟନୈତିକ ସମର୍ଥନ ହାସଲ କରୁଥିବା ପରି ମନେ ହେଉଥିଲା। ଅନେକ ଦଳ ନେପାଳର ମାନଚିତ୍ରରେ ଭାରତର କିଛି ଅଂଶ ଅନ୍ତର୍ଭୁକ୍ତ କରିବା ଜାତୀୟତାବାଦ ସହିତ ଯୋଡ଼ିଥିଲେ। କିଛି ଯୁକ୍ତି ଦେଇଥିଲେ ଯେ ସୀମା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ ହେବା ଉଚିତ। ଚୀନ୍ ଉପରେ ଅତ୍ୟଧିକ ନିର୍ଭରଶୀଳତା ବିଷୟରେ ମଧ୍ୟ ଚିନ୍ତା ପ୍ରକାଶ କରାଯାଇଥିଲା।
ନେପାଳରେ ଜେନ୍-ଜେଡ୍ ଆନ୍ଦୋଳନ ସମୟରେ ହୋଇଥିବା ମୃତ୍ୟୁ ଏବଂ କ୍ଷୟକ୍ଷତିର ତଦନ୍ତ ପାଇଁ ଗଠିତ କାର୍କି କମିଶନ ରବିବାର ସରକାରଙ୍କୁ ଏହାର ରିପୋର୍ଟ ଦାଖଲ କରିବେ ବୋଲି ଆଶା କରାଯାଉଛି। କମିଶନ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କଠାରୁ ସମୟ ମାଗିଛନ୍ତି। ସୂତ୍ର ଅନୁଯାୟୀ, ରିପୋର୍ଟଟି ନିର୍ବାଚନ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ରାଜନୈତିକ ସମ୍ବେଦନଶୀଳତା ଏବଂ ସୁରକ୍ଷା ଚିନ୍ତା ଯୋଗୁଁ ସରକାର ନିର୍ବାଚନ ପରିବେଶକୁ ବାଧା ଦେବାରୁ ରକ୍ଷା କରିବା ପାଇଁ ଏହାର ସାର୍ବଜନୀନ ପ୍ରକାଶନକୁ ବାଧା ଦେଇଥିଲେ।
ପ୍ରୋ-ଆମେରିକୀୟ ନେପାଳୀ ରାଜନେତା ବାଲେନ। ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ସେ କୁଖ୍ୟାତ। ଅନେକ ପ୍ରସଙ୍ଗରେ ସେ ଖୋଲାଖୋଲି ଭାରତ ବିରୋଧୀ ବୟାନ ଦେଇଛନ୍ତି। ଆଙ୍ଗଲୋ-ନେପାଳ ଯୁଦ୍ଧ ପରେ ୧୮୦୬ର ସୁଗୌଲି ଚୁକ୍ତର ସେ ଘୋର ବିରୋଧୀ । ସେ ସେହି ନେପାଳୀଙ୍କ ଚିନ୍ତାଧାରାକୁ ସମର୍ଥନ କରନ୍ତି, ଯେଉଁମାନେ ଭାବନ୍ତି ଏହି ଚୁକ୍ତି ତାଙ୍କ ଦେଶର ସୀମାକୁ ସୀମିତ କରୁଛି। ବାଲେନ୍ ଅନେକ ଥର ଭାରତ ବିରୋଧୀ ମନୋଭାବ ଦେଖାଇଛନ୍ତି। କିନ୍ତୁ ନୂଆ ସରକାର ଭାରତ ସହ ସୁସମ୍ପର୍କ ରଖିବ କହିଛନ୍ତି ବୋଲି ନେପାଳ ବାସିନ୍ଦା। ବାଲେନ ଶାହ ତାଙ୍କ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତ ଏବଂ ଚୀନ୍ ଉଭୟ ସହିତ ତ୍ରିପାକ୍ଷିକ ଆର୍ଥିକ ସହଭାଗୀତା ରଖିବେ । ନେପାଳକୁ ଏକ “ବଫର ରାଜ୍ୟ”ରୁ ଏକ “ଜୀବନ୍ତ ସେତୁ”ରେ ପରିଣତ କରିବେ ।