Latest Odisha News

BREAKING NEWS

ବାଲିଅନ୍ତା ସୋମ୍ୟ ହତ୍ୟାକାଣ୍ଡ: ଗିରଫଦାରୀ ଭୟରେ ଅଭିଯୁକ୍ତ ଫେରାର, ରାତି ଅଧିଆ ରେଡ୍‌ କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବାଲିଅନ୍ତାର ବହୁଚର୍ଚ୍ଚିତ ସୋମ୍ୟ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ଆକ୍ସନ୍ ମୋଡ୍‌କୁ ଆସିଛି। ଘଟଣାରେ ଜଡିତ ସନ୍ଦେହଭାଜନ ଓ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ରାତି ଅଧିଆ ଚଢାଉ ଜାରି ରହିଛି। କିନ୍ତୁ ତଦନ୍ତ ଜୋରଦାର ହେବା ସହିତ ଅଭିଯୁକ୍ତମାନଙ୍କ ମଧ୍ୟରେ ଆତଙ୍କ ବଢିଛି। ଘରେ ତାଲା। ମୋବାଇଲ୍ ସ୍ୱିଚ୍‌ ଅଫ୍। ଗାଁରେ ନାହାନ୍ତି ଅନେକ ଚିହ୍ନଟ ଲୋକ। ଏମିତି ସ୍ଥିତି ଏବେ କ୍ରାଇମବ୍ରାଞ୍ଚ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚ ଟିମ୍ ଘଟଣାରେ ସମ୍ପୃକ୍ତ ଥିବା ଅନେକ ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଛି। ଏହା ପରେ ଗିରଫଦାରୀ ପାଇଁ ବିଭିନ୍ନ ସ୍ଥାନରେ ରେଡ୍ ହେଉଛି। ବାଲିଅନ୍ତା ସହ ଆଖପାଖ ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଟିମ୍ ଘନଘନ ଚଢାଉ କରୁଛି। ଅଭିଯୁକ୍ତମାନଙ୍କ ଘର, ସମ୍ପର୍କୀୟଙ୍କ ଘର ଓ ସମ୍ଭାବ୍ୟ ଲୁଚିବା ସ୍ଥାନକୁ ଟାର୍ଗେଟ କରାଯାଉଛି।

ତେବେ ଚଢାଉ ପୂର୍ବରୁ ଅନେକ ଅଭିଯୁକ୍ତ ଫେରାର ହୋଇଯାଇଥିବା କୁହାଯାଉଛି। କିଛି ଜଣ ନିଜ ସମ୍ପର୍କୀୟଙ୍କ ଘରେ ଲୁଚିଥିବା ସନ୍ଦେହ କରୁଛି ତଦନ୍ତକାରୀ ଟିମ୍। ଆଉ କିଛି ଜଣ ରାଜ୍ୟ ବାହାରକୁ ପଳାଇଥିବା ଆଶଙ୍କା ମଧ୍ୟ କରାଯାଉଛି। ସେଥିପାଇଁ କ୍ରାଇମବ୍ରାଞ୍ଚ ଏବେ ସେମାନଙ୍କ ମୋବାଇଲ୍ ଲୋକେସନ୍, କଲ୍ ଡିଟେଲ୍ସ ଓ ସମ୍ପର୍କୀୟ ନେଟୱର୍କ ଉପରେ ନଜର ରଖିଛି।

ଅନ୍ୟପଟେ, ଗିରଫଦାରୀ ଆଶଙ୍କାରେ କିଛି ଲୋକ ଆଗୁଆ ଜାମିନ୍ ପାଇଁ ଆଇନଗତ ପ୍ରୟାସ ଆରମ୍ଭ କରିଥିବା ସୂଚନା ମିଳୁଛି। କିନ୍ତୁ କ୍ରାଇମବ୍ରାଞ୍ଚ ଏହି ମାମଲାକୁ ହାଲୁକାରେ ନେଉନାହିଁ। ଘଟଣା ପଛରେ କିଏ କିଏ ଥିଲେ, କାହାର କଣ ଭୂମିକା ଥିଲା, ଏବଂ ହତ୍ୟାକାଣ୍ଡର ଯୋଜନା କେମିତି ହେଲା ସବୁ ଦିଗକୁ ନେଇ ଖୋଳତାଡ଼ ଚାଲିଛି।

କ୍ରାଇମବ୍ରାଞ୍ଚ ଡିଜିଙ୍କ କଡ଼ା ଚେତାବନୀ ମଧ୍ୟ ଏହି ମାମଲାର ଗୁରୁତ୍ୱକୁ ବଢାଇଛି। ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି, କାହାକୁ ଛଡ଼ାଯିବ ନାହିଁ। ଯେଉଁମାନେ ଘଟଣାରେ ସମ୍ପୃକ୍ତ, ସେମାନଙ୍କୁ ନିଶ୍ଚିତ ଭାବେ ଗିରଫ କରାଯିବ। ତେଣୁ ଏବେ ଅଭିଯୁକ୍ତମାନଙ୍କ ପାଇଁ ଲୁଚିବାର ରାସ୍ତା କମିବାରେ ଲାଗିଛି।

ସୋମ୍ୟ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚାପା ଉତ୍ତେଜନା ରହିଛି। ପରିବାର ନ୍ୟାୟ ଆଶାରେ ଅପେକ୍ଷା କରୁଥିବା ବେଳେ, ଲୋକଙ୍କ ମଧ୍ୟରେ ମଧ୍ୟ ପ୍ରଶ୍ନ; ଏହି ହତ୍ୟାକାଣ୍ଡର ସତ୍ୟ କେବେ ସାମ୍ନାକୁ ଆସିବ? କିଏ ମୁଖ୍ୟ ଷଡ଼ଯନ୍ତ୍ରକାରୀ? ଏବଂ କାହିଁକି ସୋମ୍ୟଙ୍କୁ ଟାର୍ଗେଟ କରାଗଲା?

Leave A Reply

Your email address will not be published.