Latest Odisha News

ଆସ ବୁଲିଯିବା ଓଡିଶା: ନଦୀ ଓ ସମୁଦ୍ରର ମିଳନ ସ୍ଥଳରେ ବିରାଜିଛନ୍ତି ମା’ ବାଲିହରଚଣ୍ଡୀ

ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"

ପୁରୀ: ଆସିଛି ପିକନିକ ଋତୁ । ବିଭିନ୍ନ ପର୍ଯ୍ୟଟନ ସ୍ଥଳିରେ ଜମୁଛି ଲୋକଙ୍କ ଭିଡ଼ । ପ୍ରାକୃତିକ ସୋନ୍ଦର୍ଯ୍ୟର ଭରପୁର ମଜା ନେବା ସହ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ । ଶିତ ବଢୁଥିବା ବେଳେ ପୁରୀ ବ୍ରହ୍ମଗିରିର ବାଲିହରଚଣ୍ଡୀ ପୀଠ ପାଲଟିଛି ପିକନିକ୍ ହବ । ବଣ ଭୋଜି କରିବା ନିମନ୍ତେ ସହରର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକମାନଙ୍କର ଆଗମନ ବୃଦ୍ଧି ପାଉଛି । ମାଆଙ୍କୁ ଦର୍ଶନ ସହ ଲାଗୁଛି ଭୋଜି ଭାତର ଆସର । ସାଙ୍ଗ ଓ ପରିବାର ସହ ନାଚ ଗୀତରେ ଝୁମୁଛନ୍ତି ଲୋକେ ।

ବଣଜଙ୍ଗଲ ଘେରା ବାଲିଚର ପରିବେଶରେ ଦୁଃଖ ହରଣ କରିଥାନ୍ତି ମା’ ବାଲିହରଚଣ୍ଡୀ । ନଦୀ ଓ ସାଗରର ମଳନ ସ୍ଥଳରେ ଥିବା ବାଲି ଟାପୁରେ ବାସ କରୁଥିବାରୁ ମା’ଙ୍କ ନାଁ ହୋଇଛି ବାଲି ହରଚଣ୍ଡୀ । ଭାସ୍କର୍ଯ୍ୟ ଶିଳ୍ପକଳାରେ କଳା ମୁଗୁନିପଥରରେ ନିର୍ମିତ ଦେବୀ ବାଲିହରଚଣ୍ଡୀଙ୍କର ଅଷ୍ଟଭୁଜା ମୂର୍ତ୍ତି । ଗୋଟିଏ ହାତରେ ସେ ପାଦ ଦେଶରେ ଶାୟିତ ମହିଷାସୁରର ବକ୍ଷ ଶୂଳରେ ଭେଦ କରୁଥିବା ବେଳେ, ଅନ୍ୟ ଏକ ହସ୍ତରେ ମହିଷାସୁରର ଶିରଧାରଣ କରିଛନ୍ତି। ଅନ୍ୟ ଛଅ ହାତରେ ଦେବୀ ରତ୍ନମାଳ, ଖଡ଼୍‌ଗ, ଶର, ଢାଲ, ଧନୁ ଓ ନାଗଫାଶ ଧାରଣ କରିଛନ୍ତି। ଦେବୀଙ୍କର ଗୋଟିଏ ପାଦ ସିଂହ ଉପରେ ଥିବାବେଳେ ଅନ୍ୟ ପାଦଟି ଏକ ପଦ୍ମ ପୁଷ୍ପ ଉପରେ ରହିଛି। ମହିଷାସୁରର ଶରୀର ମନୁଷ୍ୟର ହେଲାବେଳେ ମୁଣ୍ଡଟି ମହିଷର।

ଏହା ମଧ୍ୟ ପଢନ୍ତୁ

https://odishasambad.in/upgraded-tourist-amenities-near-patora-dam-in-nuapada-attract-footfall/

ପୁରୀ ଠାରୁ ବ୍ରହ୍ମଗିରୀ ଦେଇ ମାତ୍ର ୨୫ କି.ମି ଯାତ୍ରା କଲେ ପଡିଥାଏ ଏହି ଘଞ୍ଚ ଜଙ୍ଗଲ । ଆଉ ଏହି ଜଙ୍ଗଲ ମଧ୍ୟରେ ବାଲିମନ୍ତରେ ପୂଜା ପାଉଛନ୍ତି ବାଲିହରଚଣ୍ଡୀ । ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ପର୍ଯ୍ୟଟକଙ୍କ ମନମୋହୁଛି ବାଲିହରଚଣ୍ଡୀ ପୀଠ । ଭୋର ୫ଟାରେ ମା’ଙ୍କର ଦ୍ଵାର ଫିଟିବା ପରେ ସକାଳ ଧୂପନୀତି ହୋଇଥାଏ । ଦିନ ୧୨ଟାରେ ମଧ୍ୟାନ୍ନ ଧୂପ ହେବା ସହ ମା’ଙ୍କ ପ୍ରିୟ ଭୋଗ ମାଛ ପୋଡିବଳୀ, ଅନ୍ନ, ଡାଲି, ମାଛ ଛିଞ୍ଚଡା ଓ ଖୀରି ଭୋଗ ହୋଇଥାଏ । ଆମିଷ ମା’ଙ୍କ ପ୍ରୟ ଭୋଗ ହୋଇଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ବଣଭୋଜିରେ ଆମିଷ ରୋଷେଇ କରିଥାନ୍ତି । ଶୀତଦିନେ ବାଲିହରଚଣ୍ଡୀପୀଠ ପର୍ଯ୍ୟଟକଙ୍କପାଇଁ ପ୍ରମୁଖ ଆକର୍ଷଣୀୟ କେନ୍ଦ୍ର ପାଲଟିଥିବା ବେଳେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଏବେଠୁ ପରିଲକ୍ଷିତ ହେଲାଣି ।

Leave A Reply

Your email address will not be published.