Latest Odisha News

ବାମନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ସକାଳ ସାଢ଼େ ପାଞ୍ଚଟାରେ ଟ୍ରେନ୍। ଗାଁରେ ଷ୍ଟେସନ୍ ନାହିଁ। ପାଖାପାଖି ପାଞ୍ଚ କିଲୋମିଟର ଗଲେ ଟ୍ରେନ୍ ଧରିବାକୁ ହେବ। ତେବେ ସେଇ ପାଞ୍ଚ କିଲୋମିଟର ଯିବା ପାଇଁ ଏତେ ସକାଳୁ ଗାଁରେ ଗାଡ଼ି ଘୋଡ଼ା ବି କିଛି ନାହିଁ। ତେଣୁ ରାତିରୁ ହିଁ ଶୀଘ୍ର ଶୋଇପଡ଼ି ଯେତେ ସମ୍ଭବ ସକାଳୁ ଉଠି ପ୍ରସ୍ତୁତ ହେଲେ ଯାଇ ଟ୍ରେନ୍ ଧରି ହେବ। ସେଥିପାଇଁ ଦି ଘଣ୍ଟା ଆଗରୁ ଘରୁ ବାହାରି ଚାଲି ଚାଲି ଯିବାକୁ ପଡ଼ିବ। ଏ ସମସ୍ତ ଯୋଜନାକୁ ଆଖି ଆଗରେ ରଖି ଗୋବିନ୍ଦ ବାବୁ ରାତିରୁ ହିଁ ବ୍ୟାଗପତ୍ର ପ୍ରସ୍ତୁତ କରିଦେଲେ। ପିଲା ଦିଟା ସାନ ସାନ। ଜଣେ ପାଞ୍ଚ ବର୍ଷର ଆଉ ଜଣେ ଆଠ ବର୍ଷର। ତେଣୁ ସେମାନଙ୍କୁ ବି ଖୁଆଇ ପିଆଇ ଶୀଘ୍ର ଶୁଆଇ ଦେଲେ ଗୋବିନ୍ଦ ବାବୁ। ସ୍ତ୍ରୀ କୁମୁଦିନୀ ଗର୍ଭବତୀ। ତେଣୁ ଗୋବିନ୍ଦ ବାବୁ କହନ୍ତି, ଗର୍ଭାବସ୍ଥାରେ ଯଦି ମାଆମାନେ ଖୁସିରେ ରହିବେ ଏବଂ ଭଲ କାମ କରିବେ, ତାହେଲେ ତାର ସୁପ୍ରଭାବ ଗର୍ଭସ୍ଥ ସନ୍ତାନ ଉପରେ ପଡ଼ିବ। ତେଣୁ ସେ ସବୁଦିନ କୁମୁଦିନୀଙ୍କୁ କହନ୍ତି ରାମାୟଣ, ଭାଗବତ ପଢ଼ିବା ପାଇଁ। କୁମୁଦିନୀ ବି ଅତି ନିଷ୍ଠାପର ଭାବେ ଏ ସବୁ କଥାକୁ ମାନି ଚଳନ୍ତି।

ଏବେ ଚାରି ମାସର ଗର୍ଭ। ଆଗକୁ ହୁଏତ ଆଉ ଘରୁ କୁଆଡ଼େ ଯାଇହେବ ନାହିଁ। ତେଣୁ ଏ ଯାତ୍ରାର ଆୟୋଜନ। ଗାଁ ପାଖ ଷ୍ଟେସନରୁ ପାସେଞ୍ଜର ଧରି ସପରିବାର ଶ୍ରୀକ୍ଷେତ୍ର ଯିବେ ଗୋବିନ୍ଦ ବାବୁ । ସ୍ତ୍ରୀ, ଦୁଇଟା ପିଲାଙ୍କୁ ଧରି ଯିବାରେ କିଛି ଅସୁବିଧା ହେବକି ବୋଲି ଭାବିବା ପୂର୍ବରୁ ଗୋବିନ୍ଦ ବାବୁଙ୍କ ବାପା ନିଜ ଆଡୁ କହିଲେ, ବୁଝିଲୁ ଗୋବିନ୍ଦ, ତୁ ଏ ପିଲାମାନଙ୍କୁ ଏକା ସଙ୍ଗରେ ନେଇ କାହିଁକି ଯାଉଛୁ? ମୁଁ ବି ତୋ ସାଙ୍ଗରେ ଯିବି। ଗୋବିନ୍ଦ ବାବୁଙ୍କ ମନ କଥା ସତେ ଯେମିତି କହିଦେଲେ ତାଙ୍କ ବାପା। ଅବଶ୍ୟ ଗୋବିନ୍ଦ ବାବୁଙ୍କ ବାପା ଅତ୍ୟନ୍ତ ରକ୍ଷଣଶୀଳ। ତେଣୁ ଏ ସବୁ ମାମଲାରେ ପରିବାର ଓ ପିଲାମାନେ ପ୍ରଥମ ପ୍ରାଥମିକତା।

ଚିରାଚରିତ ଭାବେ ଗୋବିନ୍ଦ ବାବୁଙ୍କ ବାପା ଅଢ଼େଇଟାରୁ ଉଠି ଗାଧୁଆପାଧୁଆ ସାରି ଆଗୁଆ ପ୍ରସ୍ତୁତ ହୋଇଗଲେ। ତା ପରେ ସେ ହିଁ ନାତି ନାତୁଣୀ ଦୁହିଙ୍କୁ ଉଠାଇ, ସେମାନଙ୍କୁ ପ୍ରସ୍ତୁତ କରାଇଦେଲେ। ଏବେ ପ୍ରସ୍ତୁତ ହେଉଥାନ୍ତି ଗୋବିନ୍ଦ ବାବୁ ଓ ତାଙ୍କ ପତ୍ନୀ କୁମୁଦିନୀ। ସକାଳ ଚାରିଟା ସୁଦ୍ଧା ସମସ୍ତେ ଘରୁ ବାହାରି ପଡ଼ିଲେ ଷ୍ଟେସନ ଅଭିମୁଖେ। ଭାବିଲେ ଗାଁ ଛକ ଯାଏଁ ଗଲେ କାଳେ କିଛି ଗାଡ଼ି ମୋଟର ମିଳିଯିବ। ହେଲେ ସବୁ ଶୂନ୍ୟ। ମହାଶୂନ୍ୟ। କିଛି ଗାଡ଼ି ମୋଟରର ଦେଖା ଦର୍ଶନ ନାହିଁ। ତେଣୁ ସମସ୍ତେ ଚାଲିବା ଆରମ୍ଭ କରିଦେଲେ ଷ୍ଟେସନ ଅଭିମୁଖେ। ଗାଡ଼ି ଷ୍ଟେସନ ପହଞ୍ଚିବା ନେଇ ଦ୍ୱିତୀୟ ଘଣ୍ଟି ହୋଇସାରିଥାଏ। ଏତିକିବେଳେ ସମସ୍ତେ ପହଞ୍ଚିଲେ ଷ୍ଟେସନରେ। ଟିକଟ କିଣୁ କିଣୁ ଟ୍ରେନ ପ୍ଲାଟଫର୍ମରେ ପଶୁଥାଏ। ତରତର ହୋଇ ଶେଷରେ ଟ୍ରେନରେ ଚଢ଼ିପାରିଲେ ସମସ୍ତେ। ଟ୍ରେନରେ ବସି ସାରିଲା ପରେ ସବୁଠୁ ବେଶୀ ଖୁସିଥିଲେ ଗୋବିନ୍ଦ ବାବୁଙ୍କ ଦୁଇଟି ପିଲା। ଜୀବନରେ ପ୍ରଥମ ଥର ପାଇଁ ଟ୍ରେନରେ ବସିଥିବାରୁ ସେମାନେ ଅତି ଉତ୍କଣ୍ଠିତ ଥିଲେ। ଝରକା ବାଟ ଦେଇ ସେମାନେ ଦେଖୁଥିଲେ ଏକ ଚଳମାନ୍ ପୃଥିବୀ। ସେମାନଙ୍କୁ ଲାଗୁଥିଲା ଟ୍ରେନଟି ସ୍ଥିର, କିନ୍ତୁ ଝର୍କା ସେପାଖର ଗଛ ଲତା, ପାହାଡ଼, ଗାଁ, ନଦୀ ସବୁକିଛି ଅତି ଦ୍ରୁତଗତିରେ ଦୌଡ଼ିବାରେ ଲାଗିଛନ୍ତି ।

ଗାଁରୁ ଶ୍ରୀକ୍ଷେତ୍ର ପ୍ରାୟ ଦେଢ଼ଶହ କିଲୋମିଟର। କିନ୍ତୁ ପାସେଞ୍ଜର ଟ୍ରେନ୍ ହୋଇଥିବାରୁ, ପ୍ରାୟ ସବୁ ଷ୍ଟେସନରେ ଷ୍ଟପେଜ୍। ତେଣୁ ପାଖାପାଖି ଚାରି ଘଣ୍ଟାର ଯାତ୍ରା ପରେ ଶେଷରେ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ଗୋବିନ୍ଦ ବାବୁ ଏବଂ ପରିବାର। ପୂର୍ବ ନିର୍ଦ୍ଧାରଣ ଅନୁସାରେ ସେମାନେ ଶ୍ରୀମନ୍ଦିର ଯିବା ପୂର୍ବରୁ ଗୋଟିଏ ଧର୍ମଶାଳାରେ ବ୍ୟାଗପତ୍ର ରଖି ସ୍ନାନ ଶୌଚ ଶେଷ କଲେ। ତା ପରେ ସମସ୍ତେ ଚାଲିଲେ ଶ୍ରୀମନ୍ଦିର। ସିଂହଦ୍ୱାର ଅରୁଣସ୍ତମ୍ଭ ପାଖରୁ ହିଁ ଗୋବିନ୍ଦ ବାବୁଙ୍କ ପୁଅ ଝିଅ ଅତି ଆଚମ୍ବିତ ଭାବେ ସବୁ କିଛି ଦେଖୁଥାନ୍ତି। ଧୀରେ ଧୀରେ ପତିତପାବନ ଦର୍ଶନ କରି ଆଗକୁ ବଢ଼ିଲେ ବାଇଶି ପାହାଚ। ତେବେ ବାଇଶି ପାହାଚ ଆରମ୍ଭରୁ ହିଁ ସମସ୍ତଙ୍କୁ ଅଟକାଇଦେଲେ କୁମୁଦିନୀ। ଗୋବିନ୍ଦ ବାବୁ ପଚାରିବା ପୂର୍ବରୁ ସେ କହିଲେ, ପ୍ରଥମେ ଏ ଦୁଇଜଣଙ୍କୁ ବାଇଶି ପାହାଚରେ ଗଡ଼ାଅ ଏବଂ ତା ପରେ ମୁଣ୍ଡିଆ ମାରନ୍ତୁ ସେମାନେ। ସେଇଆ ହିଁ ହେଲା। ପୁଅ ଝିଅ ଉଭୟେ ବାଇଶି ପାହାଚରେ ଅତି ଆନନ୍ଦ ମନରେ ଗଡ଼ିଲେ। ତା ପରେ ଆଗକୁ ଚାଲିଲେ ସମସ୍ତେ। ସୌଭାଗ୍ୟବଶତଃ ସେଦିନ ଏମାନେ ପହଞ୍ଚିଲା ବେଳକୁ ଠାକୁରଙ୍କ ସାହାଣମେଳା ଦର୍ଶନ ଚାଲିଥାଏ। ତେଣୁ ଏମାନେ ବି ଅନ୍ୟ ଭକ୍ତଙ୍କ ସହିତ ମନ୍ଦିର ଭିତରେ ଯାଇ ଅତି ଆନନ୍ଦ ମନରେ କଲେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ। ତା ପରେ ଶ୍ରୀମନ୍ଦିରରୁ ବାହାରି ସିଧା ସମସ୍ତେ ଆନନ୍ଦ ବଜାରରେ। କାରଣ ପାହାନ୍ତିଆରୁ ଘରୁ ବାହାରିଥିବାରୁ କେହି କିଛି ଖିଆ ପିଆ କରିନଥାନ୍ତି। ମହାପ୍ରଭୁଙ୍କ ଅନୁକମ୍ପାରୁ ଆନନ୍ଦ ବଜାରରେ ସଦ୍ୟ ପ୍ରସ୍ତୁତ ମହାପ୍ରସାଦ ମିଳିଗଲା। ସମସ୍ତେ ଏକାଠି ବସି ମହାପ୍ରସାଦକୁ ଅତି ଆନନ୍ଦର ସହ ସେବନ କଲେ।

ତା ପରେ ଦେବୀ ମହାଲକ୍ଷ୍ମୀଙ୍କ ମନ୍ଦିରରେ ମାଆଙ୍କ ଦର୍ଶନ କରି ସେଇଠି ହିଁ ଟିକିଏ ବିଶ୍ରାମ କଲେ ସମସ୍ତେ। ସେଇଠୁ ଗୋଟିଏ ପରେ ଗୋଟିଏ ମନ୍ଦିର ବୁଲି ବୁଲି ଦର୍ଶନ ଚାଲିଲା। ମନ୍ଦିର ବେଢ଼ାରେ ସମସ୍ତ ଦେବଦେବୀଙ୍କ ଦର୍ଶନ ପରେ ଶେଷରେ ସପରିବାର ପହଞ୍ଚିଲେ କୋଇଲି ବୈକୁଣ୍ଠରେ। ଏଇଟା ସେଇ ସ୍ଥାନ ଯେଉଁଠି ମହାପ୍ରଭୁଙ୍କ ନବକଳେବର ପରେ ପୁରାତନ ଶ୍ରୀବିଗ୍ରହକୁ ସଂସ୍କାର କରାଯାଏ। ଗୋବିନ୍ଦ ବାବୁ କୋଇଲି ବୈକୁଣ୍ଠର ମହାତ୍ମ୍ୟ ସମ୍ପର୍କରେ କୁମୁଦିନୀ ଓ ପିଲାମାନଙ୍କୁ କହୁଥାନ୍ତି। ଏତିକି ବେଳେ ସେଇଠୁ ଅନତି ଦୂରରେ ବସିଥିବା ଦୁଇ ଜଣ ବାମନ ଭାଇ ଭଉଣୀଙ୍କ ଉପରେ କୁମୁଦିନୀଙ୍କ ନଜର ପଡ଼ିଲା। ସେ ଅନ୍ୟମନସ୍କ ହୋଇଗଲେ। ବାରମ୍ବାର ତାଙ୍କ ନଜର ସେଇ ବାମନ ଭାଇ ଭଉଣୀଙ୍କ ଆଡ଼କୁ ହିଁ ଯାଉଥାଏ।

ସେଠାରୁ ଚାଲିଆସିବା ପରେ ସମସ୍ତେ ଫେରିଲେ ଧର୍ମଶାଳାକୁ। ସେଇଠି ବିଶ୍ରାମ ନେଇ ସାରି ସମୟ ଦେଖିଲା ବେଳେ ସନ୍ଧ୍ୟା ସାଢ଼େ ପାଞ୍ଚଟା ବାଜିଲାଣି। ତାପରେ ଗୋବିନ୍ଦ ବାବୁ ସମସ୍ତଙ୍କୁ ନେଇ ସମୁଦ୍ରକୂଳକୁ ଚାଲିଲେ। ପିଲାମାନେ ପ୍ରଥମ ଥର ପାଇଁ ସମୁଦ୍ରକୁ ଏତେ ପାଖରୁ ଦେଖୁଥାନ୍ତି। ବାରମ୍ବାର କାହାରି କଥା ନଶୁଣି ପାଣି ଭିତରକୁ ଯିବାକୁ ଉଦ୍ୟତ ହେଉଥାନ୍ତି। ସେଥିପାଇଁ ବାପାଙ୍କଠୁ ଗାଳି ଶୁଣିଲେ ଉଭୟ। ହେଲେ ବେଳାଭୂମିରେ ଗୋଟିଏ ସ୍ଥାନରେ ବସିଥିବା କୁମୁଦିନୀ ଯଦିଓ ସେଇଠି ଶାରୀରିକ ଭାବେ ଉପସ୍ଥିତ ଥିଲେ, କିନ୍ତୁ ମାନସିକ ଭାବେ ସେ ଥିଲେ ସେଇ ବାମନ ଭାଇ-ଭଉଣୀଙ୍କ ନିକଟରେ। ଧୀରେ ଧୀରେ ପ୍ରତି କଥାରେ ତାଙ୍କ ଆଖି ସାମ୍ନାକୁ ଆସି ଯାଉଥାଏ ସେହି ଚିତ୍ର। ଦୁଇଟି ବାମନ ଭାଇ-ଭଉଣୀ। ଏପରିକି ସେମାନଙ୍କ ସହିତ କିଛି ସମୟ ପାଇଁ ଆଗ୍ରହରେ କଥା ହୋଇଥିଲେ କୁମୁଦିନୀ। ତେଣୁ ତାଙ୍କୁ ଲାଗୁଥାଏ, କାଳେ ସେମାନଙ୍କୁ ଏତେ ଦେଖିଥିବା କାରଣରୁ ତାଙ୍କ ଗର୍ଭସ୍ଥ ଶିଶୁ ଏମିତି ବାମନ ହୋଇଯିବନି ତ ? ଏଇ ଚିନ୍ତା ତାଙ୍କୁ ବାରମ୍ବାର ବିଚଳିତ କରିଦେଉଥାଏ। କିନ୍ତୁ ଏ ବାବଦରେ ସେ ଗୋବିନ୍ଦ ବାବୁ କିମ୍ବା ନିଜ ଶ୍ୱଶୁରଙ୍କୁ ବି କିଛି କହୁନଥାନ୍ତି। ଦୁଇ ଦିନ ଶ୍ରୀକ୍ଷେତ୍ରରେ ରହିବା ପରେ, ଶେଷରେ ଯେତେବେଳେ ସେମାନେ ଗାଁକୁ ଫେରିବା ପାଇଁ ସ୍ଥିର ହେଲା, କୁମୁଦିନୀ ଜିଦ୍ କଲେ, ଯିବା ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ହିଁ ଗାଁକୁ ଯିବା।

ବିଳମ୍ବ ହୋଇଯାଉଥିବା ଦେଖି, ତରତର ହୋଇ ମନ୍ଦିରକୁ ଗଲେ ସମସ୍ତେ। ମନ୍ଦିରରେ ସିଧା ଯାଇ ପହଞ୍ଚିଲେ ଗରୁଡ଼ ସ୍ତମ୍ଭ ପଛ ପାଖ ସ୍ଥାନରେ। ଯେଉଁଠି ଠିଆ ହୋଇ ସେମାନେ ଦର୍ଶନ କରିବେ ମହାପ୍ରଭୁଙ୍କୁ। ସେଇଠି ଠିଆ ହୋଇ ହଠାତ୍ କାନ୍ଦି ଉଠିଲେ କୁମୁଦିନୀ। ମନେ ମନେ କଣ ସବୁ ଗୁଣୁଗୁଣୋଉଥାନ୍ତି ସେ। ଶେଷରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଲାଗୁଥିଲା, ସତେଯେମିତି ସେ ମହାପ୍ରଭୁଙ୍କୁ କିଛି କହି କହି ମନ୍ଦିରରୁ ବାହାରୁଛନ୍ତି। ସମସ୍ତେ ପୁଣି ସେହି ଟ୍ରେନରେ ଆସି ଗାଁରେ ପହଞ୍ଚିଲେ। ସେତେବେଳକୁ ରାତି ପ୍ରାୟ ଏଗାରଟା। ସେଇ ରାତିରେ ହିଁ ଷ୍ଟେସନରୁ ଅଟୋରିକ୍ସାଟିଏ ଧରି ଘରେ ପହଞ୍ଚିଲେ ଗୋବିନ୍ଦ ବାବୁଙ୍କ ପରିବାର । ପିଲାମାନେ ଅତି କ୍ଳାନ୍ତ ଥିବାରୁ ବାଟରୁ ହିଁ ଶୋଇପଡ଼ିଥିଲେ। କିନ୍ତୁ କୁମୁଦିନୀଙ୍କ ଆଖିରେ ନିଦ ନାହିଁ। ତାଙ୍କ ମନରେ କେବଳ ଚାଲିଛି ସେଇ ଗୋଟିଏ କଥା। କାଳେ ତାଙ୍କ ଗର୍ଭସ୍ଥ ପିଲାଟି ବାମନ ହୋଇଯିବନି ତ? ଏ ସବୁ ହାବ ଭାବ ଦେଖି ଗୋବିନ୍ଦ ବାବୁ ପଚାରିଲେ, କିଛି ଅସୁବିଧା ହୋଇଛି କି? ତମେ ଅନ୍ୟମନସ୍କ ରହୁଛ। ପୁଣି ବିବ୍ରତ ହେଲାଭଳି ଲାଗୁଛ। କିଛି ସମସ୍ୟା କି? ଗୋବିନ୍ଦ ବାବୁଙ୍କଠାରୁ ଏ କଥାତକ ଶୁଣିଲା ପରେ ସାହସ ଜୁଟାଇ କୁମୁଦିନୀ କହିଲେ, ବୁଝିଲ, କାହିଁକି କେଜାଣି ମୋ ମନକୁ ବାରମ୍ବାର ସେଇ ବାମନ ପିଲା ଦୁଇଟି ପଶି ଆସୁଛନ୍ତି। ତମେ କହ, ମୋ ପିଲା ବାମନ ହୋଇଯିବନି ତ? ଏଇ ପ୍ରଶ୍ନ ଶୁଣି ଖୁବ୍ ଜୋରରେ ହସି ଉଠିଲେ ଗୋବିନ୍ଦ ବାବୁ। ଆରେ ତମେ ସେମିତି କାହିଁକି ଭାବୁଛ? ତମ ଡର ମୁତାବକ ଯଦି ସବୁକିଛି ଘଟୁଥାନ୍ତା, ତାହେଲେ ତ ପୂରା ଦୁନିଆ ହିଁ ବଦଳି ଯାଇଥାନ୍ତା। ତଥାପି ତମ ସୂଚନା ପାଇଁ ଜଣାଇ ଦେଉଛି ଯେ, ଆଜିକାଲିର ଚିକିତ୍ସା ବିଜ୍ଞାନ ଏଭଳି ଦୃଷ୍ଟିକୋଣକୁ ସମର୍ଥନ କରେ ନାହିଁ। ଏ ସବୁ ସତ୍ତ୍ୱେ ଯଦି ତୁମ ମନ ବ୍ୟାକୁଳ ହୋଇ ଉଠୁଛି, ତାହେଲେ ତୁମେ ଜାଣି ରଖିବା ଦରକାର ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେହି ବାମନ ରୂପକୁ ଦର୍ଶନ କରିବା ପାଇଁ ଭକ୍ତମାନେ ଯୋଜନ ଯୋଜନ ମାଇଲ ଦୂରରୁ ରଥଯାତ୍ରାରେ ଶ୍ରୀକ୍ଷେତ୍ରରେ ପହଞ୍ଚନ୍ତି। ଉଦ୍ଦେଶ୍ୟ କେବଳ ଏକ। ରଥାରୂଢ଼ ମହାପ୍ରଭୁଙ୍କ ତ୍ରିବିକ୍ରମ ବାମନ ରୂପକୁ ରଥ ଉପରେ ଦର୍ଶନ କରି କୋଟି ଜନ୍ମର ପୁଣ୍ୟ ଅର୍ଜନ କରିବା ଏବଂ  ମୋକ୍ଷପ୍ରାପ୍ତି କରିବା। ତେଣୁ ଆମ ପିଲାଟି ଯଦି ବାମନ ହୋଇଯିବ, ସେଥିରେ ଦୁଃଖ କରିବାର କଣ ଅଛି? ସେ ବାମନ ବି ତ ଭଗବାନଙ୍କ ଅବତାର। ତେଣୁ ଏହାକୁ ନେଇ ଚିନ୍ତିତ କି ବିବ୍ରତ ହେବାର କିଛି ନାହିଁ। ଗୋବିନ୍ଦ ବାବୁଙ୍କ କଥା ଶୁଣି ଏଥର କୁମୁଦିନୀଙ୍କ ମନ ଟିକିଏ ହାଲୁକା ହୋଇ ଯାଇଥିଲା। ସେ ଧୀରେ ଧୀରେ ନିଜ ଚିନ୍ତାର ଫୋକସ୍ ଦେଶର ରାଜନୀତି ଆଡ଼କୁ ବଦଳାଇ ଦେଲେ। ତା ପରେ ରାଜନୀତି, ସମଜା ସେବା, ପରିବାର .. ଏମିତି କେତେ କଣ ବିଷୟ ପାଲଟିଗଲା ତାଙ୍କ ଆଲୋଚନାର ଫଳ। ଶେଷରେ ଯେଉଁଦିନ ଗୋବିନ୍ଦ ବାବୁଙ୍କ ତୃତୀୟ ସନ୍ତାନ ଭୂମିଷ୍ଠ ହେଲା, ସେଦିନ ଘରେ ଆନନ୍ଦ କହିଲେ ନସରେ। ଏତିକି ବେଳେ କୁମୁଦିନୀ କହିଲେ ସମସ୍ତଙ୍କ ଉଦ୍ଦେଶ୍ୟରେ, ଏକୋଇଶିଆ କେବେ ହେବ ମୁଁ ଜାଣିନି। ମୋ ପୁଅର ନାଁ ଆଜିଠୁ ହେବ ଜଗନ୍ନାଥ। ମୁଁ ତାକୁ ଜଗନ୍ନାଥ ହିଁ ଡାକିବି। କିନ୍ତୁ କୁମୁଦିନୀଙ୍କ ଏ ନାଁ ବଦଳରେ ଏକୋଇଶିଆ ଦିନ କୀର୍ତ୍ତନିଆମାନେ ତାକୁ ନାଁ ଦେଲେ ବାମନ। କୁମୁଦିନୀଙ୍କ ଛାତିରେ ଛନକା ପଶିଗଲା। ଏମାନେ କୁଆଡୁ ଜାଣିଲେ ମୋ ଚିନ୍ତାର କାରଣ? ସେଇ ଏକୋଇଶିଆ ଦିନଠୁ ଘରୁ ପରିବାରରୁ ସମସ୍ତେ ତାକୁ ଡାକୁଥାନ୍ତି ବାମନ କେବଳ କୁମୁଦିନୀଙ୍କୁ ଛାଡ଼ି। ସେ କେବଳ ଜଗନ୍ନାଥ ବୋଲି ଡାକନ୍ତି ନିଜ ସାନ ପୁଅକୁ।

ପୁଅ ଏବେ ତିରିଶ ବର୍ଷର ହେଲାଣି। ଘରର ସବୁଠୁ ଡେଙ୍ଗା ସେ। କହିବାକୁ ଗଲେ, ଗାଁର ଉଚ୍ଚସାର ମଣିଷଙ୍କ ଭିତରୁ ସେ ଜଣେ। କିନ୍ତୁ ତା ନାଁଟା ବାମନ। ବାମନ ବଡ଼ ହେବା ପରେ ମାଆଠାରୁ ଏଇ ପୂରା କାହାଣୀ ଶୁଣିଛି ସେ। ତେଣୁ ସେବେଠୁ ପ୍ରତିବର୍ଷ ରଥଯାତ୍ରାରେ ମାଆକୁ ନେଇ ସେ ଯାଉଛି ଶ୍ରୀକ୍ଷେତ୍ର। ରଥ ଉପରେ ମହାପ୍ରଭୁଙ୍କ ବାମନ ରୂପକୁ ଦର୍ଶନ କରୁଛନ୍ତି କୁମୁଦିନୀ। ଆଉ କହନ୍ତି, ମହାପ୍ରଭୁ, ମୋ ବାମନ ତୁମକୁ ଲାଗିଲା। …

ମିଡିଆ ଷ୍ଟଡିଜ୍
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

Comments are closed.